Site icon ଆଜିକାଲି

ଆନନ୍ଦ ମୋହନ ମାମଲା: ବିହାର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍

ନୂଆଦିଲ୍ଲୀ / ପାଟନା: ଆଇଏଏସ୍ ଅଧିକାରୀ ଜି.କୃଷ୍ଣୈୟା ହତ୍ୟା ମାମଲାର ଦୋଷୀ ବାହୁବଳୀ ରାଜନେତା ଆନନ୍ଦ ମୋହନଙ୍କୁ ମୁକ୍ତ କରାଯିବା ନେଇ ସୁପ୍ରିମକୋର୍ଟ ସୋମବାର ବିହାର ସରକାରଙ୍କୁ ନୋଟିସ ଜାରି କରିଛନ୍ତି। ସୁପ୍ରିମକୋର୍ଟ ଏହି ମାମଲାରେ ଉଭୟ ବିହାର ସରକାର ଏବଂ ଆନନ୍ଦ ମୋହନଙ୍କଠାରୁ ଜବାବ ମାଗିଛନ୍ତି।

ଆନନ୍ଦ ମୋହନଙ୍କୁ ଖଲାସ କରିବା ନିଷ୍ପତ୍ତିକୁ ଜି.କୃଷ୍ଣୈୟାଙ୍କ ପତ୍ନୀ ଉମା କୃଷ୍ଣୈୟା ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ଜଷ୍ଟିସ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ ଜେ.କେ ମହେଶ୍ୱରୀଙ୍କ ଏକ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ।

ସୁପ୍ରିମକୋର୍ଟ ବିହାର ସରକାର ତଥା ଅନ୍ୟ ସମ୍ପୃକ୍ତ ଲୋକଙ୍କୁ ନୋଟିସ୍ ପଠାଇଥିବାରୁ ଆମେ ଖୁସି ବୋଲି ଜି.କୃଷ୍ଣୈୟାଙ୍କ ପତ୍ନୀ ଉମା କୃଷ୍ଣାୟା କହିଛନ୍ତି। ସୁପ୍ରିମକୋର୍ଟରୁ ଆମେ ନିଶ୍ଚିତ ଭାବେ ନ୍ୟାୟ ପାଇବୁ ବୋଲି ସେ କହିଛନ୍ତି ।

ବିହାରର ନୀତିଶ ସରକାର ଜେଲ୍ ମାନୁଆଲରେ ସଂଶୋଧନ କରିବା ପରେ ଆନନ୍ଦ ମୋହନଙ୍କ ସହ ବିଭିନ୍ନ ଜେଲରେ ବନ୍ଦୀ ଥିବା ୨୭ ଜଣ କଏଦୀ ମୁକ୍ତ ହୋଇଥିଲେ । ଜେଲ ମାନୁଆଲ ସଂଶୋଧନ ମୁତାବକ ୧୪ ବର୍ଷରୁ ଅଧିକ ସମୟ ଜେଲରେ ରହିଥିବା କଏଦୀମାନଙ୍କୁ ଛାଡ଼ି ଦିଆଯାଇଥିଲା।

ଉଲ୍ଲେଖଯୋଗ୍ୟ, ଆଇଏଏସ୍ ଅଧିକାରୀ ତଥା ବିହାର ଗୋପାଳଗଞ୍ଜର ତତ୍କାଳୀନ ଜିଲ୍ଲା ମାଜିଷ୍ଟ୍ରେଟ୍ ଜି କୃଷ୍ଣୈୟାଙ୍କୁ ୧୯୯୪ ମସିହାରେ ହତ୍ୟା କରାଯାଇଥିଲା । ଜି କୃଷ୍ଣୈୟା ନିଜ‌ ସରକାରୀ କାରରେ ମୁଜାଫରପୁର ଦେଇ ଯାଉଥିବା ବେଳେ ପ୍ରାୟ ୫୦୦୦ରୁ ଊର୍ଦ୍ଧ୍ବ ଭିଡ଼ ତାଙ୍କୁ ଅଟକାଇ ପିଟି ପିଟି ହତ୍ୟା କରିଥିଲେ । ହତ୍ୟା ସମୟରେ ଆନନ୍ଦ ମୋହନ ଘଟଣାସ୍ଥଳରେ ଉପସ୍ଥିତ ଥିଲେ । ତାଙ୍କ ଇସାରାରେ ଏହି ହତ୍ୟାକାଣ୍ଡ ଘଟିଥିଲା ।

ଏହି ହତ୍ୟା ମାମଲାରେ ଆନନ୍ଦ ମୋହନଙ୍କୁ ପ୍ରଥମେ ମୃତ୍ୟୁ ଦଣ୍ଡ ମିଳିଥିଲା । ହେଲେ ପରେ ହାଇକୋର୍ଟ ତାଙ୍କ ଦଣ୍ଡକୁ କୋହଳ କରି ଆଜୀବନ କାରାଦଣ୍ଡରେ ପରିଣତ କରିଥିଲେ।

Exit mobile version