Site icon ଆଜିକାଲି

ମହିଳା ରେସଲରଙ୍କ ଅଭିଯୋଗକୁ ଗମ୍ଭୀର କହିଲେ ସୁପ୍ରିମକୋର୍ଟ, ଦିଲ୍ଲୀ ପୋଲିସକୁ ନୋଟିସ୍

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ସଂଘ (ଡବ୍ଲୁଏଫ୍ଆଇ) ସଭାପତି ବ୍ରଜଭୂଷଣ ଶରଣ ସିଂହଙ୍କ ବିରୋଧରେ ୭ ମହିଳା ରେସଲର କରିଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ମଙ୍ଗଳବାର ଦିଲ୍ଲୀ ପୋଲିସକୁ ନୋଟିସ ଜାରି କରି ଜବାବ ମାଗିଛନ୍ତି ।

ରେସଲରଙ୍କ ପକ୍ଷରୁ ହାଜର ହୋଇ ବରିଷ୍ଠ ଓକିଲ କପିଲ ସିବଲ ଏହି ମାମଲାର ଶୀଘ୍ର ଶୁଣାଣି କରିବାକୁ ଦାବି କରିଥିଲେ । ସିବଲ ସୁପ୍ରିମକୋର୍ଟଙ୍କୁ କହିଥିଲେ ଯେ ୭ ଜଣ ମହିଳା ରେସଲରଙ୍କ ଅଭିଯୋଗ ସତ୍ତ୍ୱେ ଦିଲ୍ଲୀ ପୋଲିସ ଏତଲା ରୁଜୁ କରୁନାହିଁ । ଏମାନଙ୍କ ମଧ୍ୟରେ ଜଣେ ନାବାଳିକା ରେସଲର ଥିବାରୁ ମାମଲାର ଗୁରୁତ୍ବ ବଢ଼ିଯାଇଛି ।

ସୁପ୍ରିମକୋର୍ଟ ରେସଲରଙ୍କ ଅଭିଯୋଗକୁ ଗମ୍ଭୀର ବୋଲି କହିଥିଲେ । ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ଼ କହିଥିଲେ ଯେ ଅନ୍ତର୍ଜାତୀୟ କ୍ରୀଡ଼ାରେ ଭାରତର ପ୍ରତିନିଧିତ୍ୱ କରୁଥିବା ରେସଲରମାନେ ଏହି ଆବେଦନରେ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଏହା ଏକ ଗମ୍ଭୀର ମାମଲା । କୋର୍ଟ ଏହାର ଶୁଣାଣି କରିବା ଜରୁରୀ । ମହିଳା ରେସଲରଙ୍କ ଆବେଦନ ଉପରେ ଶୁଣାଣି ଏପ୍ରିଲ ୨୮ରେ କରାଯିବ ବୋଲି ପ୍ରଧାନ ବିଚାରପତି କହିଛନ୍ତି ।

ଡବ୍ଲୁଏଫ୍ଆଇ ସଭାପତି ବ୍ରଜଭୂଷଣ ଶରଣ ସିଂହଙ୍କ ବିରୋଧରେ ଅଭିଯୋଗର ତଦନ୍ତ କରିଥିବା ମନିଟରିଂ କମିଟିର ରିପୋର୍ଟ ସାର୍ବଜନୀନ କରିବାକୁ ଦାବି କରି ଦେଶର ଅଗ୍ରଣୀ ରେସଲରମାନେ ତିନି ଦିନ ଧରି ଜନ୍ତର ମନ୍ତର ଠାରେ ବିକ୍ଷୋଭ ଜାରି ରଖିଛନ୍ତି ।

Exit mobile version