Site icon ଆଜିକାଲି

ସୁପ୍ରିମକୋର୍ଟ ବିଚାରପତି ଚନ୍ଦ୍ରଚୂଡଙ୍କ ରେକର୍ଡ, ରାତି ୯ଟା ଯାଏଁ ଲଗାତାର ୭୫ଟି ମାମଲାର ଶୁଣାଣି କଲେ


ନୂଆଦିଲ୍ଲୀ: ଦଶହରା ଛୁଟି ପୂର୍ବରୁ ୭୫ଟି ତାଲିକାଭୁକ୍ତ ମାମଲାର ଶୁଣାଣି ଶେଷ କରିବାକୁ ସୁପ୍ରିମକୋର୍ଟର ଏକ ଖଣ୍ଡପୀଠ ଶୁକ୍ରବାର ନିର୍ଦ୍ଧାରିତ ଅବଧିରୁ ପ୍ରାୟ ପାଞ୍ଚ ଘଣ୍ଟା ଅଧିକ ସମୟ ବସିଥିଲା। ଜଷ୍ଟିସ୍ ଡିଓ୍ବାଇ ଚନ୍ଦ୍ରଚୂଡ ଏବଂ ଜଷ୍ଟିସ୍ ହିମା କୋହଲିଙ୍କ ଖଣ୍ଡପୀଠ ରାତି ୯:୧୦ ପର୍ଯ୍ୟନ୍ତ ଲଗାତାର ୭୫ଟି ଯାକ ମାମଲାର ଶୁଣାଣି କରିଥିଲେ। ସକାଳେ ଯେତେବେଳେ ଅଦାଲତ କାର୍ଯ୍ୟ ଆରମ୍ଭ ହୋଇଥିଲା, ଜଣେ ଓକିଲ ତାଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି ହୋଇପାରିବ କି ନାହିଁ ଆଶଙ୍କା ପ୍ରକାଶ କରିଥିଲେ । କାରଣ ତାଙ୍କ ମାମଲା ତାଲିକାର ସବା ଶେଷରେ ଥିଲା । ଏନେଇ ଜଷ୍ଟିସ୍ ଚନ୍ଦ୍ରଚୂଡ ତାଙ୍କୁ ଆଶ୍ୱାସନ ଦେଇ କହିଥିଲେ, “ବ୍ୟସ୍ତ ହୁଅନ୍ତୁ ନାହିଁ । ମୁଁ ମୋର ପରିବାର ସଦସ୍ୟଙ୍କୁ କହିଛି ଯେ ତାଲିକାଭୁକ୍ତ ସମସ୍ତ ମାମଲାର ଶୁଣାଣି ଶେଷ ନକରି ମୁଁ ଆଜି ଘରକୁ ଫେରିବି ନାହିଁ। ମୁଁ ସେମାନଙ୍କୁ ଅପେକ୍ଷା ନ କରିବାକୁ କହିଛି।”
ସୁପ୍ରିମକୋର୍ଟର ବିଚାରପତିମାନେ ସାଧାରଣତଃ ସକାଳ ୧୦.୩୦ ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଶୁଣାଣି କରନ୍ତି। ସର୍ବୋଚ୍ଚ ନ୍ୟାୟାଳୟର ଦଶହରା ଛୁଟି ଅକ୍ଟୋବର ୧ରୁ ଅକ୍ଟୋବର ୯ ପର୍ଯ୍ୟନ୍ତ ହେବ। କ୍ରମାଗତ ୭୫ଟି ମାମଲାର ମାରାଥନ ଶୁଣାଣି ଶେଷ କରିବା ପରେ ଜଷ୍ଟିସ ଚନ୍ଦ୍ରଚୂଡ ସମସ୍ତ ଓକିଲ, ସୁପ୍ରିମକୋର୍ଟ କର୍ମଚାରୀ ଏବଂ ସୁରକ୍ଷା ଅଧିକାରୀଙ୍କୁ ସହଯୋଗ ପାଇଁ ଧନ୍ୟବାଦ ଜଣାଇଥିଲେ ।

Exit mobile version