Site icon ଆଜିକାଲି

‘ଦି କେରଳ ଷ୍ଟୋରି’ ଉପରେ ମମତା ସରକାର ଲଗାଇଥିବା ବ୍ୟାନ୍ ହଟାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ‘ଦି କେରଳ ଷ୍ଟୋରି’ ଫିଲ୍ମ ଉପରେ ଲାଗିଥିବା ବ୍ୟାନ୍ ହଟାଇଛନ୍ତି ସୁପ୍ରିମକୋର୍ଟ । ଏବେ ଏହି ଫିଲ୍ମ ପଶ୍ଚିମବଙ୍ଗରେ ପୁଣି ରିଲିଜ୍ ହେବ । ଫିଲ୍ମକୁ ବ୍ୟାନ୍ କରିବା ନିଷ୍ପତ୍ତି ଯୁକ୍ତିଯୁକ୍ତ ନୁହେଁ ବୋଲି କହି ସୁପ୍ରିମକୋର୍ଟ ପଶ୍ଚିମବଙ୍ଗ ସରକାରଙ୍କ ଆଦେଶ ଉପରେ ରୋକ୍ ଲଗାଇଛନ୍ତି।

ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଆଶଙ୍କା କରି ମମତା ବାନାର୍ଜୀ ସରକାର ଏହି ଚଳଚ୍ଚିତ୍ରକୁ ବ୍ୟାନ୍ କରିଥିଲେ। ପଶ୍ଚିମବଙ୍ଗ ସରକାରଙ୍କ ଏହି ନିଷ୍ପତ୍ତିକୁ ଚଳଚ୍ଚିତ୍ରର ନିର୍ମାତା ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ଏହି ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ କହିଛନ୍ତି – ଆଇନ ଶୃଙ୍ଖଳା ବଜାୟ ରଖିବା ରାଜ୍ୟ ସରକାରଙ୍କ ଦାୟିତ୍ବ। ଆଇନ ଶୃଙ୍ଖଳା ଆଳ ଦେଖାଇ ଚଳଚ୍ଚିତ୍ର ଉପରେ କଟକଣା ଲଗାଇବା ଠିକ୍ ନୁହେଁ। ଯଦି ଏପରି ହୁଏ ତାହା ହେଲେ ସବୁ ଚଳଚ୍ଚିତ୍ର ବ୍ୟାନ୍ ହେବ ବୋଲି ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଏକ ଖଣ୍ଡପୀଠ କହିଛନ୍ତି ।

ତାମିଲନାଡ଼ୁରେ ମଧ୍ୟ ‘ଦି କେରଳ ଷ୍ଟୋରି’ର ସ୍କ୍ରିନିଂ ହେବ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ତାମିଲନାଡ଼ୁର ହଲ୍ ମାଲିକମାନେ ଏହି ଚଳଚ୍ଚିତ୍ରର ସ୍କ୍ରିନିଂ ନ କରିବାକୁ ନିଷ୍ପତ୍ତି ନେଇଥିଲେ । ତେବେ‌ ସୁପ୍ରିମକୋର୍ଟ ତାମିଲନାଡୁ ସରକାରଙ୍କୁ ଏହି ଫିଲ୍ମର ସ୍କ୍ରିନିଂ ପାଇଁ ଆବଶ୍ୟକ ସୁରକ୍ଷା ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଫିଲ୍ମ ଦେଖିବାକୁ ଚାହୁଁଥିବା ଦର୍ଶକଙ୍କ ପାଇଁ ତାମିଲନାଡୁ ସରକାର ସୁବ୍ୟବସ୍ଥା କରିବେ ବୋଲି କୋର୍ଟ କହିଛନ୍ତି ।

ତାମିଲନାଡୁ ସରକାର ମଧ୍ୟ ‘ଦି କେରଳ ଷ୍ଟୋରି’ ନିର୍ମାତାଙ୍କ ସ୍ୟାଡୋ ବ୍ୟାନ୍ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ତାମିଲନାଡୁ ସରକାର କହିଛନ୍ତି ଯେ ଏହି ଚଳଚ୍ଚିତ୍ର ରାଜ୍ୟର ୧୯ଟି ମଲ୍ଟିପ୍ଲେକ୍ସରେ ମୁକ୍ତିଲାଭ କରିଛି । ସରକାର ଫିଲ୍ମ ସ୍କ୍ରିନିଂକୁ ବନ୍ଦ କରି ଦେଇଛନ୍ତି ବୋଲି ଫିଲ୍ମ ନିର୍ମାତାଙ୍କ ପାଖରେ କୌଣସି ଲିଖିତ ପ୍ରମାଣ ନାହିଁ ବୋଲି ଦାବି କରିଥିଲେ ତାମିଲନାଡୁର ଡିଏମକେ ସରକାର ।

ସୁପ୍ରିମକୋର୍ଟ ‘ଦି କେରଳ ଷ୍ଟୋରି’ର ନିର୍ମାତାମାନଙ୍କୁ ମଧ୍ୟ ଏକ ପରାମର୍ଶ ଦେଇଛନ୍ତି । କେରଳରେ ଯେଉଁ ୩୨,୦୦୦ ଯୁବତୀଙ୍କ ଧର୍ମ ପରିବର୍ତ୍ତନ ହୋଇଥିବା ଦାବି କରାଯାଇଛି, ଏନେଇ କୌଣସି ପ୍ରାମାଣିକ ତଥ୍ୟ ନାହିଁ ବୋଲି ଫିଲ୍ମର ନିର୍ମାତା ‘ଡିସକ୍ଲେମର’ରେ ଉଲ୍ଲେଖ କରିବେ । ଚଳଚ୍ଚିତ୍ରର କାହାଣୀ କାଳ୍ପନିକ ବିଷୟ ଉପରେ ଆଧାରିତ ବୋଲି ମଧ୍ୟ ଉଲ୍ଲେଖ କରାଯିବ | ଏହି ‘ଡିସକ୍ଲେମର’ ମେ ୨୦ ଅପରାହ୍ନ ୫ଟା ପୂର୍ବରୁ ଫିଲ୍ମରେ ଯୋଡ଼ିବାକୁ ନିର୍ମାତାମାନଙ୍କୁ କହିଛନ୍ତି କୋର୍ଟ ।

ପଶ୍ଚିମବଙ୍ଗରେ ମମତା ସରକାର ଏହି ଚଳଚ୍ଚିତ୍ରକୁ ବ୍ୟାନ୍ କରିଥିବାବେଳେ ତାମିଲନାଡୁର ହଲ୍ ମାଲିକମାନେ ଏହାର ସ୍କ୍ରିନିଂ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ । କୋଲକାତା ଏବଂ ମାଡ୍ରାସ ହାଇକୋର୍ଟ ଏହି ମାମଲାରେ ହସ୍ତକ୍ଷେପ କରିବାକୁ ମନା କରିଦେଇଥିଲେ। ଗ୍ରୀଷ୍ମ ଛୁଟି ପରେ ଅର୍ଥାତ୍ ଜୁଲାଇ ୧୮ରେ ସୁପ୍ରିମକୋର୍ଟ ଉଭୟ ହାଇକୋର୍ଟଙ୍କ ରାୟ ବିରୋଧରେ ପିଟିସନର ଶୁଣାଣି କରିବେ।

Exit mobile version