Site icon ଆଜିକାଲି

ହେଟ୍ ସ୍ପିଚର ପ୍ରସାର କରୁଥିବା ଟିଭି ଚ୍ୟାନେଲ ଉପରେ ବର୍ଷିଲେ ସୁପ୍ରିମକୋର୍ଟ


ନୂଆଦିଲ୍ଲୀ: ହେଟ୍ ସ୍ପିଚର ପ୍ରସାର କରୁଥିବା ଟିଭି ଚ୍ୟାନେଲ ଗୁଡିକ ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ । “ଅଧିକାଂଶ ହେଟ୍ ସ୍ପିଚ୍ ଗଣମାଧ୍ୟମ ଏବଂ ସୋସିଆଲ ମିଡିଆରେ ପ୍ରସାର ହେଉଛି । ହେଟ୍ ସ୍ପିଚର ପ୍ରସାର ରୋକିବାରେ ଟିଭି ଆଙ୍କର୍ ମାନଙ୍କର ଏକ ବଡ଼ ଦାୟିତ୍ବ ରହିଛି। କିନ୍ତୁ ଟିଭି ଆଙ୍କର୍ ବିତର୍କ ସମୟରେ ଅତିଥିଙ୍କୁ ମଧ୍ୟ ସମୟ ଦିଅନ୍ତି ନାହିଁ । ଏଭଳି ସ୍ଥିତିରେ କେନ୍ଦ୍ର କାହିଁକି ନୀରବଦ୍ରଷ୍ଟା ସାଜିଛି ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ ଉଠାଇଛନ୍ତି । ହେଟ୍ ସ୍ପିଚ୍ ଉପରେ ଲଗାମ ଲଗାଇବାକୁ ନିୟାମକ ଜରୁରୀ ବୋଲି ଉଚ୍ଚତମ ନ୍ୟାୟାଳୟ କହିଛନ୍ତି । ଏହି ମାମଲାରେ ଦୁଇ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ମାଗିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୨୩ରେ ହେବ ।

ହେଟ୍ ସ୍ପିଚ୍ ନେଇ ଦାୟର ପିଟିସନ ଶୁଣାଣି ବେଳେ ଜଷ୍ଟିସ୍ କେ.ଏମ ଜୋସେଫଙ୍କ ଖଣ୍ଡପୀଠ ଗଣମାଧ୍ୟମର ଦାୟିତ୍ୱହୀନତା ନେଇ ଅସନ୍ତୋଷ ପ୍ରକାଶ କରିଥିଲେ । ଖଣ୍ଡପୀଠ କହିଥିଲେ ଯେ ହେଟ୍ ସ୍ପିଚକୁ ରାଜନୈତିକ ଦଳମାନେ ପୁଞ୍ଜି ଭାବେ ବ୍ୟବହାର କରନ୍ତି । ଟିଭି ଚ୍ୟାନେଲଗୁଡିକ ଏଥିପାଇଁ ଏକ ପ୍ଲାଟଫର୍ମ ଭାବେ କାମ କରୁଛନ୍ତି। ଅଧିକାଂଶ ହେଟ୍ ସ୍ପିଚ୍ ଟିଭି, ସୋସିଆଲ ମିଡିଆରେ ଭରି ରହିଛି । ଦୁର୍ଭାଗ୍ୟବଶତ ଟିଭି ଚ୍ୟାନେଲ ଗୁଡିକ ପାଇଁ ଆମ ଦେଶରେ କୌଣସି ନିୟାମକ ବ୍ୟବସ୍ଥା ନାହିଁ। ହେଟ୍ ସ୍ପିଚ୍ ପାଇଁ ଇଂଲଣ୍ଡର ଏକ ଟିଭି ଚ୍ୟାନେଲ ଉପରେ ମୋଟା ଜରିମାନା ଲଗାଯାଇଥିଲା। ଆଙ୍କର୍ ମାନଙ୍କୁ କୁହାଯିବା ଉଚିତ ଯେ ଭୁଲ୍ କଲେ ପରିଣାମ ଭୋଗିବାକୁ ପଡ଼ିବ। କିନ୍ତୁ ସମସ୍ୟା ହେଉଛି ଆମର ଟିଭି ବିତର୍କ । ଏଥିରେ ଜଣେ ବ୍ୟକ୍ତି ଆଉ ଏକ ଧର୍ମ ସମ୍ପ୍ରଦାୟର ବ୍ୟକ୍ତିଙ୍କୁ ଘୃଣା ମନ୍ତବ୍ୟ ସହ ଦାବିବାକୁ ଉଦ୍ୟମ କରନ୍ତି । ଟିଭି ଖୋଲିଲେ ଆମକୁ ଏହି ସବୁ ଦେଖିବାକୁ ମିଳୁଛି । ଏଥିରୁ ନେତାମାନେ ଫାଇଦା ଉଠାଉଛନ୍ତି। ଗଣତନ୍ତ୍ରର ସ୍ତମ୍ଭ ସ୍ବାଧୀନ ହେବା ଉଚିତ୍। ଟିଭି ଚ୍ୟାନେଲ ଗୁଡ଼ିକୁ ଏ ସବୁର ଶିକାର ହେବା ଉଚିତ୍ ନୁହେଁ ବୋଲି ଜଷ୍ଟିସ ଜୋସେଫ୍ କହିଛନ୍ତି ।

FacebookTwitterLinkedinWhatsapp
Exit mobile version