Site icon ଆଜିକାଲି

ନିଟ-ପିଜି ପରୀକ୍ଷାକୁ ସ୍ଥଗିତ ରଖିବାକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଆସନ୍ତା ଅଗଷ୍ଟ ୧୧ ତାରିଖ (ରବିବାର) ହେବାକୁ ଥିବା ନିଟ-ପିଜି ପରୀକ୍ଷାକୁ ସ୍ଥଗିତ ରଖିବାକୁ ଆଜି ମନା କରି ଦେଇଛନ୍ତି ସୁପ୍ରିମକୋର୍ଟ। ଏ ନେଇ ହୋଇଥିବା ଆବେଦନକୁ ଖାରଜ କରି ସୁପ୍ରିମକୋର୍ଟ ଏହି ପରୀକ୍ଷାକୁ ଘୁଞ୍ଚାଇବାକୁ ନିର୍ଦ୍ଦେଶ ଦେବାକୁ ମନା କରି ଦେଇଛନ୍ତି।

ନିଟ-ପିଜି ପରୀକ୍ଷା ଗତ ଜୁନ୍ ୨୩ ତାରିଖରେ ହେବାର ଥିଲା। ତେବେ ନିଟ-ୟୁଜି ପରୀକ୍ଷା ବିବାଦକୁ ନେଇ ଏହାକୁ ସ୍ଥଗିତ ରଖାଯାଇଥିଲା। ଏହାକୁ ପୁଣି ଥରେ ସ୍ଥଗିତ ରଖିବାକୁ ଆବେଦନ କରିଥିବା କିଛି ଶିକ୍ଷାର୍ଥୀ ଯେଉଁ ଯୁକ୍ତି ଦର୍ଶାଇଥିଲେ, ସେଥିରୁ ଗୋଟିଏ ହେଉଛି ପରୀକ୍ଷା ହେବାକୁ ଥିବା ସହର ଓ କେନ୍ଦ୍ର ସଂପର୍କରେ ଅଧିକ ଦିନ ପୂର୍ବରୁ ସୂଚନା ଦେବାର ଆବଶ୍ୟକତା ଥିଲା।

ସେମାନେ କହିଥିଲେ ଯେ ଏହି ପରୀକ୍ଷା ଦେବା ପାଇଁ ପ୍ରସ୍ତୁତି ଚଲାଇଥିବା ଆଶାୟୀଙ୍କ ମଧ୍ୟରୁ ଅନେକଙ୍କର ପରୀକ୍ଷା କେନ୍ଦ୍ର ଯେଉଁ ସହରଗୁଡ଼ିକରେ ପଡ଼ିଛି, ସେଠାରେ ପହଞ୍ଚିବାକୁ ସେମାନଙ୍କୁ କଷ୍ଟ ହେବ। କାହାର ପରୀକ୍ଷା କେନ୍ଦ୍ର କେଉଁଠାରେ ହେବ, ସେ ନେଇ ଜୁଲାଇ ୩୧ରେ ସୂଚନା ଦେଇଥିଲା ଏହି ପରୀକ୍ଷା ପରିଚାଳନା କରୁଥିବା ଏନ୍‌ବିଇଏମ୍‌ଏସ୍‌। ସେହିପରି ରବିବାର ପରୀକ୍ଷା ହେବାକୁ ଥିବା ବେଳେ ତା’ର ମାତ୍ର ଦୁଇ ଦିନ ପୂର୍ବରୁ ଅର୍ଥାତ୍ ଗୁରୁବାର ପରୀକ୍ଷାର୍ଥୀମାନଙ୍କୁ ସେମାନଙ୍କ ପରୀକ୍ଷାକେନ୍ଦ୍ର ସଂପର୍କରେ ସୂଚନା ଦିଆଯାଇଥିଲା। ଏତେ କମ୍‌ ସମୟ ମଧ୍ୟରେ ପରୀକ୍ଷାର୍ଥୀମାନଙ୍କୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାରେ ଅସୁବିଧା ହେବାକୁ ଥିବାରୁ ପରୀକ୍ଷାକୁ ଘୁଞ୍ଚାଇ ଦେବାକୁ ସେମାନେ ଦାବି କରିଥିଲେ।

Exit mobile version