Site icon ଆଜିକାଲି

ବିଲକିସ୍ ବାନୋଙ୍କୁ ଝଟକା, ଗଣଦୁଷ୍କର୍ମ ଦୋଷୀଙ୍କୁ ଛଡ଼ାଯିବା ବିରୋଧରେ ପୁନର୍ବିଚାର ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବିଲକିସ୍ ବାନୋଙ୍କୁ ଲାଗିଛି ବଡ଼ ଝଟକା । ଗଣବଳାତ୍କାର ଦୋଷୀଙ୍କୁ ମୁକ୍ତ କରିବା ବିରୋଧରେ ବିଲକିସ୍ ବାନୋଙ୍କ ପୁନର୍ବିଚାର ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ବାନୋ ତାଙ୍କ ଆବେଦନରେ ସୁପ୍ରିମକୋର୍ଟଙ୍କ ସେହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଥିଲେ ଯେଉଁଥିରେ ତାଙ୍କୁ ଗଣଦୁଷ୍କର୍ମ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ହତ୍ୟା ମାମଲାରେ ୧୧ ଦୋଷୀଙ୍କୁ ମୁକ୍ତ କରିବା ପାଇଁ ଗୁଜରାଟ ସରକାରଙ୍କୁ ଅନୁମତି ଦିଆଯାଇଥିଲା ।

ଏହାପୂର୍ବରୁ ସୁପ୍ରିମକୋର୍ଟ ବାନୋଙ୍କ ଆବେଦନ ଉପରେ ଶୀଘ୍ର ଶୁଣାଣି କରିବାକୁ ମନା କରିଦେଇଥିଲେ। ବିଲକିସ୍ ବାନୋଙ୍କ ତରଫରୁ ହାଜର ହୋଇଥିବା ଓକିଲ ଶୋଭା ଗୁପ୍ତା ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ଼ ଓ ଜଷ୍ଟିସ୍ ପିଏସ୍ ନରସିଂହାଙ୍କ ଏକ ଖଣ୍ଡପୀଠକୁ ଏହି ମାମଲାର ଶୁଣାଣି ପାଇଁ ଅନ୍ୟ ଏକ ପୀଠ ଗଠନ କରିବା ପାଇଁ ଅନୁରୋଧ କରିଥିଲେ । କିନ୍ତୁ ଏଥିରେ ପ୍ରଧାନ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡ଼ ବିରକ୍ତ ପ୍ରକାଶ ଗୋଟିଏ କଥାକୁ ବାରମ୍ବାର ବାରମ୍ବାର ନ ଦୋହରାଇବାକୁ କହିଥିଲେ ।

୨୦୦୨ରେ ଗୋଧ୍ରା ଟ୍ରେନ୍ ପୋଡ଼ି ଘଟଣା ପରେ ଗୁଜରାଟରେ ହୋଇଥିବା ଦଙ୍ଗା ସମୟରେ ବିଲକିସ୍ ବାନୋଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା ଓ ତାଙ୍କ ପରିବାରର ୭ ଜଣ ସଦସ୍ୟଙ୍କୁ ହତ୍ୟା କରାଯାଇଥିଲା। ଘଟଣା ସମୟରେ ବାନୋଙ୍କୁ ୨୧ ବର୍ଷ ହୋଇଥିଲା ଏବଂ ସେ ପାଞ୍ଚ ମାସର ଗର୍ଭବତୀ ଥିଲେ। ଏହି ମାମଲାରେ ୨୧ ଜାନୁଆରୀ ୨୦୦୮ରେ ଏକ ସ୍ୱତନ୍ତ୍ର ସିବିଆଇ କୋର୍ଟ ୧୧ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରି ସେମାନଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ତେବେ ଗୁଜରାଟ ସରକାର ଚଳିତ ବର୍ଷ ଅଗଷ୍ଟ ୧୫ରେ ସମସ୍ତ ଦୋଷୀଙ୍କୁ ଜେଲରୁ ମୁକ୍ତ କରିଥିଲେ।୧୯୯୨ର ଏକ ଆଇନ ଅନୁଯାୟୀ ଗୁଜରାଟ ସରକାର ଏଭଳି ନିଷ୍ପତ୍ତି ନେଇଥିଲେ ।

Exit mobile version