Site icon ଆଜିକାଲି

ଶିବସେନା ଉପରେ ଉଦ୍ଧବ ନା ସିନ୍ଦେଙ୍କ ଅଧିକାର ? ରାୟ ସଂରକ୍ଷିତ ରଖିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଗତ ବର୍ଷ ମହାରାଷ୍ଟ୍ରରେ ଶିବସେନା ବିଭାଜନ ପରେ ସୃଷ୍ଟି ହୋଇଥିବା ରାଜନୈତକ ସଙ୍କଟ ସହ ଜଡିତ ଆବେଦନ ଉପରେ ଗୁରୁବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା। ୨୦୧୬ ନବାମ-ରେବିୟା ରାୟର ପୁନର୍ବିଚାର ପାଇଁ ଏହି ଆବେଦନକୁ ସାତଜଣିଆ ବିଚାରପତିଙ୍କ ଖଣ୍ଡପୀଠ ନିକଟକୁ ପଠାଯିବ କି ନାହିଁ ତାହା ଉପରେ କୋର୍ଟ ନିଜ ରାୟ ସଂରକ୍ଷିତ ରଖିଛନ୍ତି।

ସୁପ୍ରିମକୋର୍ଟଙ୍କ ନବାମ-ରେବିୟା ରାୟ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବାରେ ବିଧାନସଭା ବାଚସ୍ପତିଙ୍କ କ୍ଷମତା ସହ ଜଡ଼ିତ । ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱରେ ଏକ ପାଞ୍ଚ ଜଣିଆ ସମ୍ବିଧାନ ଖଣ୍ଡପୀଠ ଉଦ୍ଧବ ଠାକରେ ଏବଂ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଗୋଷ୍ଠୀର ଓକିଲଙ୍କ ଯୁକ୍ତି ଶୁଣିବା ପରେ ରାୟ ସଂରକ୍ଷିତ ରଖିଥିଲେ ।

ଶିବସେନା (ଉଦ୍ଧବ ଗୋଷ୍ଠୀ) ପକ୍ଷରୁ ହାଜର ହୋଇଥିବା ବରିଷ୍ଠ ଓକିଲ କପିଳ ସିବଲ ଏବଂ ଅଭିଷେକ ମନୁ ସିଂଘଭି ଏହି ମାମଲାକୁ ସାତଜଣିଆ ଖଣ୍ଡପୀଠକୁ ପଠାଇବାକୁ ଦାବି କରିଛନ୍ତି। ନବାମ-ରେବିୟା ମାମଲାରେ ରାୟର ପୁନର୍ବିଚାର କରିବା ପାଇଁ ମଧ୍ୟ ଉଦ୍ଧବ ଗୋଷ୍ଠୀ ଅପିଲ କରିଛି ।

ଅନ୍ୟପକ୍ଷରେ ସିନ୍ଦେ ଗୋଷ୍ଠୀ ପକ୍ଷରୁ ବରିଷ୍ଠ ଓକିଲ ହରିଶ ସାଲଭେ ଏବଂ ଏନ.କେ କୌଲ ଏହି ମାମଲା ଏକ ବୃହତ ଖଣ୍ଡପୀଠ ନିକଟକୁ ପଠାଇବାକୁ ବିରୋଧ କରିଥିଲେ। ମହାରାଷ୍ଟ୍ରର ରାଜ୍ୟପାଳଙ୍କ ତରଫରୁ ହାଜର ହୋଇଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ମଧ୍ୟ ଏହି ମାମଲାକୁ ଏକ ବଡ଼ ବେଞ୍ଚକୁ ପଠାଇବାକୁ ବିରୋଧ କରିଥିଲେ।

ସୂଚନା ଯେ, ୨୦୧୬ ମସିହାରେ ସୁପ୍ରିମକୋର୍ଟ ଅରୁଣାଚଳ ପ୍ରଦେଶର ବରଖାସ୍ତ ମୁଖ୍ୟମନ୍ତ୍ରୀ ନବାମ ଟୁକିଙ୍କ ନେତୃତ୍ୱରେ ସରକାରର ପୁନଃ ଅବସ୍ଥାପିତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ସୁପ୍ରିମକୋର୍ଟ କହିଥିଲେ ଯେ ଯଦି ବିଧାନସଭାରେ ବାଚସ୍ପତିଙ୍କୁ ହଟାଇବା ପ୍ରସ୍ତାବ ବିଚାରାଧୀନ ଥାଏ, ତେବେ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରାଯାଇ ପାରିବ ନାହିଁ ।

Exit mobile version