Site icon ଆଜିକାଲି

ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ପ୍ରଶାସନିକ ସେବା ଉପରେ ଦିଲ୍ଲୀ ସରକାରଙ୍କ ସମ୍ପୂର୍ଣ୍ଣ ନିୟନ୍ତ୍ରଣ

ନୂଆଦିଲ୍ଲୀ: ଦିଲ୍ଲୀର ପ୍ରଶାସନିକ ଅଧିକାରୀଙ୍କ ବଦଳି ଓ ପୋଷ୍ଟିଂ ମାମଲାରେ ସୁପ୍ରିମକୋର୍ଟ ଗୁରୁବାର ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଉପରାଜ୍ୟପାଳ ନୁହେଁ ବରଂ ଦିଲ୍ଲୀ ସରକାରଙ୍କ ଅଧୀନରେ ପ୍ରଶାସନିକ ଅଧିକାରୀ କାର୍ଯ୍ୟ କରିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଏହି ମାମଲାରେ ୨୦୧୯ରେ ଜଷ୍ଟିସ ଭୂଷଣଙ୍କ ରାୟକୁ ସୁପ୍ରିମକୋର୍ଟର ସମ୍ବିଧାନ ଖଣ୍ଡପୀଠ ରଦ୍ଦ କରିଛନ୍ତି ‌‌। ଦିଲ୍ଲୀ ସରକାରଙ୍କ କୌଣସି କ୍ଷମତା ନାହିଁ ବୋଲି ଜଷ୍ଟିସ ଭୂଷଣ କହିଥିଲେ ‌‌।

ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ଼ ରାୟ ଶୁଣାଇବା ବେଳେ କହିଛନ୍ତି ଯେ ପାଞ୍ଚ ଜଣିଆ ଖଣ୍ଡପୀଠ ଏକମତ ଯେ ପ୍ରଶାସନିକ ସେବା ସମ୍ବନ୍ଧୀୟ ନିଷ୍ପତ୍ତି ନେବାରେ ଦିଲ୍ଲୀ ସରକାରଙ୍କ ସମ୍ପୂର୍ଣ୍ଣ କ୍ଷମତା ରହିଛି । ଉଭୟ କେନ୍ଦ୍ର ଏବଂ ରାଜ୍ୟ ଆଇନ ପ୍ରଣୟନ କରିବାର କ୍ଷମତା ରଖିଛନ୍ତି, କିନ୍ତୁ ରାଜ୍ୟର ଅଧିକର କ୍ଷେତ୍ରରେ କେନ୍ଦ୍ର ଯେଭଳି ଅନୁପ୍ରବେଶ ନ କରେ ସେଥିପ୍ରତି ସାବଧାନତା ଅବଲମ୍ବନ କରିବା ଆବଶ୍ୟକ । ଯଦି ଏଭଳି ହୁଏ ତେବେ ଏହା ସଂଘୀୟ ବ୍ୟବସ୍ଥାକୁ ପ୍ରଭାବିତ କରିବ। ଉପରାଜ୍ୟପାଳଙ୍କୁ କେବଳ ଦିଲ୍ଲୀ ସରକାରଙ୍କ ପରାମର୍ଶରେ କାର୍ଯ୍ୟ କରିବାକୁ ପଡ଼ିବ। କେନ୍ଦ୍ର ସହ ବିବାଦ ମଧ୍ୟରେ ସୁପ୍ରିମକୋର୍ଟଙ୍କ ରାୟ ଦିଲ୍ଲୀର ଆମ୍ ଆଦମୀ ପାର୍ଟି ସରକାର ପାଇଁ ଏକ ବଡ଼ ବିଜୟ ବୋଲି କୁହାଯାଉଛି ।

ପ୍ରଶାସନିକ ଅଧିକାରୀଙ୍କ ବଦଳି ଏବଂ ପୋଷ୍ଟିଂ ଅଧିକାରକୁ ନେଇ ଦିଲ୍ଲୀ ସରକାର ଏବଂ ଉପରାଜ୍ୟପାଳ ମଧ୍ୟରେ ବିବାଦ ଲାଗି ରହିଥିଲା। ଉପରାଜ୍ୟପାଳ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବା ଅଧିକାର ନାହିଁ ବୋଲି ଯୁକ୍ତି କରିଥିଲେ ଦିଲ୍ଲୀର ଅରବିନ୍ଦ କେଜ୍ରିୱାଲ ସରକାର । ଏନେଇ ଦିଲ୍ଲୀ ସରକାର ସୁପ୍ରିମକୋର୍ଟରେ ପିଟିସନ ଦାୟର କରିଥିଲେ।

ପ୍ରଧାନ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱରେ ସୁପ୍ରିମକୋର୍ଟର ୫ ଜଣିଆ ସମ୍ବିଧାନ ପୀଠ ଏହି ମାମଲାରେ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କ ବ୍ୟତୀତ ଏହି ଖଣ୍ଡପୀଠର ଅନ୍ୟ ସଦସ୍ୟ ଥିଲେ ଜଷ୍ଟିସ ଏମ୍ଆର୍ ଶାହା, ଜଷ୍ଟିସ କ୍ରିଷ୍ଣା ମୁରାରୀ, ଜଷ୍ଟିସ ହିମା କୋହଲି ଏବଂ ଜଷ୍ଟିସ ପିଏସ ନରସିଂହା । ଜାନୁଆରୀ ୧୮ରେ କୋର୍ଟ ଏହି ମାମଲାରେ ରାୟ ସଂରକ୍ଷିତ ରଖିଥିଲେ। ଏହି ମାମଲା ୬ ମେ ୨୦୨୨ରେ ପାଞ୍ଚ ଜଣିଆ ସାମ୍ବିଧାନିକ ପୀଠକୁ ପଠାଯାଇଥିଲା।

Exit mobile version