Site icon ଆଜିକାଲି

ଇଡି ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ବୃଦ୍ଧି ବେଆଇନ କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ନିର୍ଦ୍ଦେଶକ ସଞ୍ଜୟ ମିଶ୍ରଙ୍କ କାର୍ଯ୍ୟକାଳ ତୃତୀୟ ଥର ପାଇଁ ବୃଦ୍ଧି ନିଷ୍ପତ୍ତିକୁ ବେଆଇନ ବୋଲି କହିଛନ୍ତି ସୁପ୍ରିମକୋର୍ଟ। ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ୨୦୨୧ରେ ଏନଜିଓ କମନ୍ କଜ୍ ମାମଲାରେ କୋର୍ଟ ଦେଇଥିବା ରାୟର ଏହା ଉଲ୍ଲଙ୍ଘନ। ଏଥିସହ କୋର୍ଟ ଇଡି ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ବୃଦ୍ଧି ନେଇ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ରଦ୍ଦ କରିଛନ୍ତି । କୋର୍ଟ କହିଛନ୍ତି ସଞ୍ଜୟ ମିଶ୍ର କେବଳ ଜୁଲାଇ ୩୧ ପର୍ଯ୍ୟନ୍ତ ଇଡି ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିପାରିବେ |

ଅନ୍ୟପକ୍ଷରେ, ସଞ୍ଜୟ ମିଶ୍ରଙ୍କ କାର୍ଯ୍ୟକାଳ ବୃଦ୍ଧି ନିଷ୍ପତ୍ତି ସପକ୍ଷରେ ଯୁକ୍ତି ବାଢ଼ି କେନ୍ଦ୍ର ସରକାର କହିଛନ୍ତି, ତାଙ୍କ ସ୍ଥାନ ନେବାକୁ ଏପର୍ଯ୍ୟନ୍ତ କୌଣସି ଯୋଗ୍ୟ ଅଧିକାରୀ ମିଳିନାହାଁନ୍ତି। ଏହାଛଡ଼ା ସଞ୍ଜୟ ମିଶ୍ର ‘ଏଫ୍ଏଟିଏଫ୍ (ଫାଇନାନ୍ସିଆଲ ଆକ୍ସନ ଟେକେନ୍ ରିପୋର୍ଟ) ଭଳି କିଛି ଗୁରୁତ୍ଵପୂର୍ଣ୍ଣ ମାମଲାରେ କାମ କରୁଛନ୍ତି। ସଞ୍ଜୟ ମିଶ୍ରଙ୍କ ସ୍ଥାନରେ ଜଣେ ଯୋଗ୍ୟ ଅଧିକାରୀଙ୍କୁ ନିଯୁକ୍ତି ଦେବାକୁ କିଛି ସମୟ ଦରକାର | ସରକାରଙ୍କ ନିବେଦନକୁ ବିଚାର କରିବା ପରେ ସଞ୍ଜୟ ମିଶ୍ରଙ୍କୁ ଜୁଲାଇ ୩୧ ପର୍ଯ୍ୟନ୍ତ କାର୍ଯ୍ୟ କରିବାକୁ କୋର୍ଟ ଅନୁମତି ଦେଇଛନ୍ତି।

ସଞ୍ଜୟ କୁମାର ମିଶ୍ର ପ୍ରଥମେ ୨୦୧୮ ନଭେମ୍ବରରେ ଇଡି ମୁଖ୍ୟ ଭାବେ ଦାୟିତ୍ୱ ନେଇଥିଲେ। ସେ ଦୁଇ ବର୍ଷ ପରେ ଏହି ପଦବୀରୁ ଅବସର ନେବା କଥା। କିନ୍ତୁ ୨୦୨୦ ନଭେମ୍ବରରେ ସରକାର ତାଙ୍କ କାର୍ଯ୍ୟକାଳକୁ ବଢ଼ାଇଥିଲେ। ତା’ପରେ ତାଙ୍କ କାର୍ଯ୍ୟକାଳକୁ ଆହୁରି ଦୁଇ ଥର ବଢ଼ାଯାଇଥିଲା।

କେନ୍ଦ୍ରୀୟ ଭିଜିଲାନ୍ସ କମିଶନ ଆକ୍ଟ ଏବଂ ଦିଲ୍ଲୀ ସ୍ପେଶାଲ ପୋଲିସ ଏଷ୍ଟାବ୍ଲିସମେଣ୍ଟ ଆଇନରେ ହୋଇଥିବା ପରିବର୍ତ୍ତନକୁ ସୁପ୍ରିମକୋର୍ଟ ଅନୁମୋଦନ କରିଛନ୍ତି। ସେଥିରେ ସଂଶୋଧନ ଦ୍ୱାରା କେନ୍ଦ୍ର ଇଡି ଏବଂ ସିବିଆଇ ପରି ଏଜେନ୍ସିର ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରିପାରିବ।

କୋର୍ଟ କହିଛନ୍ତି ଯେ ଏଭଳି ଅଧିକାରୀଙ୍କ ନିଯୁକ୍ତି ଉଚ୍ଚ ସ୍ତରୀୟ କମିଟି ଦ୍ୱାରା କରାଯାଇଥାଏ। ଜନସାଧାରଣଙ୍କ ସ୍ୱାର୍ଥରେ ଅଧିକାରୀମାନଙ୍କୁ ସେବା ସମ୍ପ୍ରସାରଣ କରାଯାଇପାରେ । କିନ୍ତୁ ଏହା କାହିଁକି କରାଗଲା, ତାହା ସରକାର ଲିଖିତ ଆକାରରେ ଦେବାକୁ ପଡ଼ିବ |

କଂଗ୍ରେସ ଏବଂ ଟିଏମସି ନେତାଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟ ଏହି ମାମଲାରେ ରାୟ ସଂରକ୍ଷିତ ରଖିଥିଲେ ।
ଜଷ୍ଟିସ ବି.ଆର ଗଭାଇ, ଜଷ୍ଟିସ ବିକ୍ରମ ନାଥ ଏବଂ ଜଷ୍ଟିସ ସଞ୍ଜୟ କାରୋଲଙ୍କ ଏକ ଖଣ୍ଡପୀଠ ଇଡି ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ବୃଦ୍ଧିକୁ ବିରୋଧ କରି ଆବେଦନର ଶୁଣାଣି କରିଥିଲେ । କେନ୍ଦ୍ରୀୟ ଭିଜିଲାନ୍ସ କମିଶନ ଆକ୍ଟ ଏବଂ ଦିଲ୍ଲୀ ସ୍ପେଶାଲ ପୋଲିସ ଏଷ୍ଟାବ୍ଲିସମେଣ୍ଟ ଆକ୍ଟରେ ହୋଇଥିବା ପରିବର୍ତ୍ତନକୁ ମଧ୍ୟ ଚ୍ୟାଲେଞ୍ଜ କରାଯାଇଥିଲା।

କଂଗ୍ରେସ ନେତ୍ରୀ ଜୟା ଠାକୁର, ରଣଦୀପ ସୁରଜେୱାଲା, ଟିଏମସି ସାଂସଦ ମହୁଆ ମଇତ୍ର, ସାକେତ ଗୋଖଲେଙ୍କ ପକ୍ଷରୁ ଏହି ପିଟିସନ ଦାଖଲ କରାଯାଇଥିଲା। ପୂର୍ବ ଶୁଣାଣିରେ ସର୍ବୋଚ୍ଚ ନ୍ୟାୟାଳୟ ରାୟ ସଂରକ୍ଷିତ ରଖିଥିଲେ।

FacebookTwitterLinkedinWhatsapp
Exit mobile version