Site icon ଆଜିକାଲି

ଶିବସେନା ବିବାଦ: ଉଦ୍ଧବ ସରକାରଙ୍କୁ ପୁନଃ ଅବସ୍ଥାପିତ କରିବା ସମ୍ଭବ ନୁହେଁ କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଶିବସେନା ବିବାଦ ଉପରେ ସୁପ୍ରିମକୋର୍ଟର ସମ୍ବିଧାନ ଖଣ୍ଡପୀଠ ରାୟ ଶୁଣାଇଛନ୍ତି । କୋର୍ଟ କହିଛନ୍ତି ଯେ ଆମେ ଉଦ୍ଧବ ଠାକରେ ସରକାରଙ୍କୁ ପୁନଃ ଅବସ୍ଥାପିତ କରିପାରିବୁ ନାହିଁ । କାରଣ ସେ ବିଧାନସଭାରେ ଶକ୍ତି ପରୀକ୍ଷା ନ କରି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ।

ହେଲେ ସୁପ୍ରିମକୋର୍ଟ ଏହି ପୁରା ପ୍ରସଙ୍ଗରେ ତତ୍କାଳୀନ ରାଜ୍ୟପାଳ ଭଗତ ସିଂହ କୋଶ୍ୟାରି ଓ ବାଚସ୍ପତିଙ୍କ ଭୂମିକା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ।

ସୁପ୍ରିମକୋର୍ଟଙ୍କ ରାୟ କିନ୍ତୁ ଏକନାଥ ସିନ୍ଦେଙ୍କ ପାଇଁ ଆଶ୍ବସ୍ତିକର ବିଷୟ ହୋଇଛି । ତାଙ୍କ ସରକାରଙ୍କୁ ଏବେ କୌଣସି ବିପଦ ନାହିଁ । କାରଣ ସିନ୍ଦେ ସରକାରକୁ କୋର୍ଟ ଅବୈଧ ବୋଲି କହିନାହାଁନ୍ତି ।

ମୁଖ୍ୟମନ୍ତ୍ରୀ ସିନ୍ଦେ ସମେତ ଶିବସେନାର ୧୬ ବିଦ୍ରୋହୀ ବିଧାୟକଙ୍କ ଅଯୋଗ୍ୟତା ସମ୍ପର୍କରେ ନିଷ୍ପତ୍ତି ମହାରାଷ୍ଟ୍ର ବିଧାନସଭା ବାଚସ୍ପତିଙ୍କ ଉପରେ ଛାଡିଛନ୍ତି ସୁପ୍ରିମକୋର୍ଟ। ଏହାଛଡ଼ା ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବା ନେଇ ବାଚସ୍ପତିଙ୍କ କ୍ଷମତା ସଂକ୍ରାନ୍ତ ମାମଲା କୋର୍ଟ ଏକ ବୃହତର ସମ୍ବିଧାନ ଖଣ୍ଡପୀଠକୁ ପଠାଇଛନ୍ତି ।

Exit mobile version