Site icon ଆଜିକାଲି

ସନାତନ ଧର୍ମ ସମ୍ପର୍କରେ ମନ୍ତବ୍ୟ ପାଇଁ ଉଦୟନିଧି ଷ୍ଟାଲିନଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: “ସନାତନ ଧର୍ମର ମୂଳପୋଛ” ମନ୍ତବ୍ୟ ନେଇ ସୁପ୍ରିମକୋର୍ଟ ସୋମବାର ତାମିଲନାଡୁ ମନ୍ତ୍ରୀ ଉଦୟନିଧି ଷ୍ଟାଲିନଙ୍କ ଉପରେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଭାଷଣ ଏବଂ ବାକ୍ ସ୍ୱାଧୀନତାର ଅଧିକାରର ଅପବ୍ୟବହାର କରିବା ପରେ ସେ କୋର୍ଟଙ୍କ ପାଖକୁ ଏକ ଆବେଦନ ସହିତ କାହିଁକି ଆସିଛନ୍ତି ବୋଲି ତାଙ୍କୁ ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ।

ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ଦୀପଙ୍କର ଦତ୍ତଙ୍କ ଏକ ଖଣ୍ଡପୀଠ ଷ୍ଟାଲିନଙ୍କୁ କହିଛନ୍ତି, ସେ ଜଣେ ମନ୍ତ୍ରୀ । ମନ୍ତବ୍ୟ ଦେବା ପୂର୍ବରୁ ତା’ର ପରିଣାମ ସମ୍ପର୍କରେ ସେ ଜାଣିବା ଉଚିତ ।

ସୂଚନାଯୋଗ୍ୟ ଯେ, ସନାତନ ଧର୍ମ ଉପରେ ବିବାଦୀୟ ମନ୍ତବ୍ୟ ନେଇ ତାଙ୍କ ବିରୋଧରେ ଦେଶର ବିଭିନ୍ନ କୋର୍ଟରେ ଦାୟର ମାମଲାର ଏକାଠି ଶୁଣାଣି ପାଇଁ ଷ୍ଟାଲିନ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ।

ଖଣ୍ଡପୀଠ କହିଛନ୍ତି, “ଆପଣ ସମ୍ବିଧାନର ଧାରା ୧୯ (୧) (କ) ଅନୁଯାୟୀ ଆପଣଙ୍କର ଅଧିକାରର ଅପବ୍ୟବହାର କରିଛନ୍ତି। ଧାରା ୨୫ ଅଧୀନ ଅନୁଯାୟୀ ମଧ୍ୟ ନିଜ ଅଧିକାରର ଦୁରୁପଯୋଗ କରିଛନ୍ତିି । ପୁଣି ଏବେ ଧାରା ୩୨ (ସୁପ୍ରିମକୋର୍ଟରେ ଆବେଦନ କରିବା) ଅନୁଯାୟୀ ଆପଣ ନିଜ ଅଧିକାର ସାବ୍ୟସ୍ତ କରୁଛନ୍ତି ? ଆପଣ କ’ଣ ନିଜ ମନ୍ତବ୍ୟର ପରିଣାମ ଜାଣି ନଥିଲେ ? ଆପଣ ଜଣେ ସାଧାରଣ ମଣିଷ ନୁହଁନ୍ତି । ଆପଣ ଜଣେ ମନ୍ତ୍ରୀ। ଏପରି ମନ୍ତବ୍ୟର ପରିଣାମ କ’ଣ ହେବ ତାହା ଆପଣ ଜାଣିବା ଉଚିତ୍ ଥିଲା। ”

ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି ।

ତାମିଲନାଡୁର ମୁଖ୍ୟମନ୍ତ୍ରୀ ତଥା ରାଜ୍ୟରେ ଶାସକ ଡିଏମକେ ମୁଖ୍ୟ ଏମ.କେ ଷ୍ଟାଲିନଙ୍କ ପୁଅ ଉଦୟନିଧି ଷ୍ଟାଲିନ ସେପ୍ଟେମ୍ବର ୨୦୨୩ରେ ଏକ କାର୍ଯ୍ୟକ୍ରମରେ ସନାତନ ଧର୍ମ ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ସନାତନ ଧର୍ମକୁ ଡେଙ୍ଗୁ ଓ ମ୍ୟାଲେରିଆ ସହ ତୁଳନା କରି ଉଦୟନିଧି କହିଥିଲେ ଯେ ଏହି ସାମାଜିକ ନ୍ୟାୟ ଏବଂ ସମାନତାର ବିରୁଦ୍ଧ । ସନାତନ ଧର୍ମର ମୂଳପୋଛ କରିବାକୁ ସେ ଆହ୍ବାନ କରିଥିଲେ ।

FacebookTwitterLinkedinWhatsapp
Exit mobile version