Site icon ଆଜିକାଲି

ଜ୍ଞାନବ୍ୟାପି ମସଜିଦ ମାମଲା: ‘ଶିବଲିଙ୍ଗ’ର ବୈଜ୍ଞାନିକ ସର୍ଭେ ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବାରାଣସୀର ଜ୍ଞାନବ୍ୟାପି ମସଜିଦ ପରିସରରେ ‘ଶିବଲିଙ୍ଗ’ ବୋଲି ଦାବି କରାଯାଉଥିବା ଢାଞ୍ଚାର ବୈଜ୍ଞାନିକ ସର୍ଭେ ପାଇଁ ଆହ୍ଲାବାଦ ହାଇକୋର୍ଟର ଆଦେଶ ଉପରେ ସୁପ୍ରିମକୋର୍ଟ ରୋକ୍ ଲଗାଇଛନ୍ତି।

ଆହ୍ଲାବାଦ ହାଇକୋର୍ଟ ଆଦେଶ ବିରୋଧରେ ଜ୍ଞାନବ୍ୟାପି ମସଜିଦ କମିଟିର ଆବେଦନର ଶୁଣାଣି କରି ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଏକ ଖଣ୍ଡପୀଠ କେନ୍ଦ୍ର, ଉତ୍ତର ପ୍ରଦେଶ ସରକାର ଏବଂ ହିନ୍ଦୁ ପକ୍ଷକୁ ନୋଟିସ ଜାରି କରିଛନ୍ତି ‌।

ଏହି ଖଣ୍ଡପୀଠ ର ଅନ୍ୟ ଦୁଇ ସଦସ୍ୟ ହେଲେ ଜଷ୍ଟିସ୍ ପିଏସ୍ ନରସିଂହ ଏବଂ ଜଷ୍ଟିସ୍ କେ.ଭି ବିଶ୍ୱନାଥନ୍ ।

ଜ୍ଞାନବ୍ୟାପି ମସଜିଦ ପରିସରରେ ହୋଇଥିବା ସର୍ଭେ ସମୟରେ ମିଳିଥିବା ‘ଶିବଲିଙ୍ଗ’ର ବୈଜ୍ଞାନିକ ପରୀକ୍ଷା କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ମୁସଲିମ ପକ୍ଷ ସୁପ୍ରିମକୋର୍ଟ ଦ୍ବାରସ୍ଥ ହୋଇଥିଲେ ।

ମେ ୧୨ରେ ଆହ୍ଲାବାଦ ହାଇକୋର୍ଟ ଜ୍ଞାନବ୍ୟାପି ମସଜିଦ ପରିସରରେ ମିଳିଥିବା ‘ଶିବଲିଙ୍ଗ’ର ପ୍ରାଚୀନତା ଜାଣିବା ପାଇଁ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ (ଏଏସ୍ଆଇ) ର ତତ୍ତ୍ବାବଧାନରେ କାର୍ବନ ଡେଟିଂ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ହିନ୍ଦୁପକ୍ଷ ଯାହା ‘ଶିବଲିଙ୍ଗ’ ବୋଲି ଦାବି କରିଛନ୍ତି, ମସଜିଦ କମିଟି ସେହି ଢାଞ୍ଚାକୁ ‘ୱଜୁଖାନା’ର ଏକ ଫୁଆରା ବୋଲି କହୁଛି |

Exit mobile version