Site icon ଆଜିକାଲି

‘କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ରୁହ’, ପତଞ୍ଜଳି ବିଜ୍ଞାପନ ମାମଲାରେ ରାମଦେବଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ପତଞ୍ଜଳି ଆୟୁର୍ବେଦର ଔଷଧ ସମ୍ପର୍କିତ ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ଯୋଗଗୁରୁ ବାବା ରାମଦେବ ଓ ତାଙ୍କ ସହଯୋଗୀ ଆଚାର୍ଯ୍ୟ ବାଳକୃଷ୍ଣ ଆଜି ସୁପ୍ରିମକୋର୍ଟରେ ହାଜର ହୋଇଛନ୍ତି । କୋର୍ଟଙ୍କ ନିର୍ଦ୍ଦେଶ ପାଳନ କରିନଥିବାରୁ ଉଭୟଙ୍କୁ କଡ଼ା ଭର୍ତ୍ସନା କରିଛନ୍ତି ସୁପ୍ରିମକୋର୍ଟ । ଉଭୟଙ୍କ କ୍ଷମା ପ୍ରାର୍ଥନାକୁ ମଧ୍ୟ କୋର୍ଟ ଗ୍ରହଣ କରି ନାହାଁନ୍ତି । ସୁପ୍ରିମକୋର୍ଟ ରାମଦେବ ଓ ବାଳକୃଷ୍ଣଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ରହିବାକୁ କହିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୧୦ରେ ହେବ ।

ବିଭ୍ରାନ୍ତିକର ବିଜ୍ଞାପନ ସମ୍ପର୍କରେ ଜଷ୍ଟିସ୍ ହିମା କୋହଲି ଏବଂ ଅହସାନୁଦ୍ଦିନ ଅମାନୁଲ୍ଲାଙ୍କ ଏକ ଖଣ୍ଡପୀଠ ସୋମବାର ପତଞ୍ଜଳି ବିରୋଧରେ ଅବମାନନା ମାମଲାର ଶୁଣାଣି କରିଥିଲେ । ଗତ ମାସରେ ପତଞ୍ଜଳି କରିଥିବା କ୍ଷମା ପ୍ରାର୍ଥନାକୁ ଗ୍ରହଣ କରିବାକୁ ମନା କରିଦେଇଥିଲେ ଖଣ୍ଡପୀଠ । ରାମଦେବଙ୍କ ଓକିଲ ଯୋଡ଼ ହସ୍ତରେ କୋର୍ଟଙ୍କୁ କହିଥିଲେ ଯେ, ଆମେ କ୍ଷମା ମାଗିବାକୁ ଚାହୁଁଛୁ ଏବଂ କୋର୍ଟ ଯାହା ଆଦେଶ ଦେବେ ତାହା ପାଳନ କରିବାକୁ ଆମେ ପ୍ରସ୍ତୁତ। କିନ୍ତୁ କୋର୍ଟ ପତଞ୍ଜଳି କଥା ଶୁଣିନଥିଲେ । ଅଦାଲତଙ୍କ ଆଦେଶର ପରଦିନ ପତଞ୍ଜଳି ତରଫରୁ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା ଓ ନିଜ ଔଷଧକୁ ପ୍ରଭାବୀ ବୋଲି ଦାବି କରି ବିଜ୍ଞାପନ ଛାପିବା ଜାରି ରଖିଥିଲା କମ୍ପାନୀ । ପତଞ୍ଜଳି ସବୁ ସୀମା ଲଂଘିଛି ବୋଲି କହିଛନ୍ତି କୋର୍ଟ। ଏହାଛଡ଼ା ପତଞ୍ଜଳିର ବିଭ୍ରାନ୍ତିକର ବିଜ୍ଞାପନ ପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରାନଯିବା ନେଇ ସୁପ୍ରିମକୋର୍ଟ କେନ୍ଦ୍ର ଉପରେ ମଧ୍ୟ ବର୍ଷିଥିଲେ । ପତଞ୍ଜଳି ବିଜ୍ଞାପନ ପ୍ରତି କେନ୍ଦ୍ର ଆଖି ବନ୍ଦ କରି ବସିଥିଲା ବୋଲି ‌କହିଥିଲେ କୋର୍ଟ।

ପତଞ୍ଜଳି ବିରୋଧରେ ‘ଭାରତୀୟ ମେଡିକାଲ୍ ଆସୋସିଏସନ୍’ (ଆଇଏମ୍ଏ)ର ଏକ ଆବେଦନ ଉପରେ ଶୁଣାଣି କହୁଛନ୍ତି ସୁପ୍ରିମକୋର୍ଟ । କୋଭିଡ୍ ଟକାକରଣ ଅଭିଯାନ ଏବଂ ଆଧୁନିକ ଔଷଧ ବିରୋଧରେ ରାମଦେବ ଓ ପତଞ୍ଜଳି ଅପପ୍ରଚାର ଚଳାଉଛି ବୋଲି ଅଭିଯୋଗ କରିଥିଲା ଆଇଏମ୍ଏ । କୋର୍ଟଙ୍କ କଟକଣା ସତ୍ତ୍ୱେ ପତଞ୍ଜଳି ବିଜ୍ଞାପନ ପ୍ରକାଶନ ଜାରି ରଖିବା ପରେ ମାର୍ଚ୍ଚ ୧୯ରେ ରାମଦେବ ଓ ବାଳକୃଷ୍ଣଙ୍କୁ କୋର୍ଟ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲେ । ଏହାଛଡ଼ା ଉଭୟଙ୍କୁ ବ୍ୟକ୍ତିଗତ ଭାବେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ ।

ବୁଧବାର ସୁଦ୍ଧା ପତଞ୍ଜଳି ଏବଂ ବାଳକୃଷ୍ଣଙ୍କୁ ନୋଟିସର ଜବାବ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହାଛଡ଼ା କୋର୍ଟ କେନ୍ଦ୍ରକୁ ପୂର୍ବ ସତ୍ୟପାଠ ପ୍ରତ୍ୟାହାର କରିବାକୁ ଅନୁମତି ଦେଇଛନ୍ତି । ନଭେମ୍ବର ୨୧, ୨୦୨୩ ଆଦେଶ ପରିପ୍ରେକ୍ଷୀରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ବିସ୍ତୃତ ବିବରଣୀ ଦାଖଲ କରିବାକୁ କେନ୍ଦ୍ରକୁ ଦୁଇ ସପ୍ତାହର “ଶେଷ ସୁଯୋଗ” ଦେଇଛନ୍ତି କୋର୍ଟ।

Exit mobile version