Site icon ଆଜିକାଲି

ଇଡବ୍ଲୁଏସ୍ ବର୍ଗ‌ ପାଇଁ ୧୦% ସଂରକ୍ଷଣ ବ୍ୟବସ୍ଥାକୁ କାଏମ ରଖିଲେ ସୁପ୍ରିମକୋର୍ଟ


ନୂଆଦିଲ୍ଲୀ: କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନରେ ଆଡମିଶନ ଓ ସରକାରୀ ଚାକିରି କ୍ଷେତ୍ରରେ ଆର୍ଥିକ ଦୁର୍ବଳ (ଇଡବ୍ଲୁଏସ୍) ବର୍ଗ‌ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥାକୁ ସୁପ୍ରିମକୋର୍ଟ କାଏମ ରଖିଛନ୍ତି । ପ୍ରଧାନ ବିଚାରପତି ୟୁୟୁ ଲଲିତଙ୍କ ନେତୃତ୍ଵାଧୀନ ଏକ ପାଞ୍ଚ ଜଣିଆ ଖଣ୍ଡପୀଠ ୩:୨ ଆଧାରରେ ସମ୍ବିଧାନର ୧୦୩ ତମ ସଂଶୋଧନ ସପକ୍ଷରେ ରାୟ ଦେଇଛନ୍ତି।

ପ୍ରଧାନ ବିଚାରପତି ୟୁୟୁ ଲଲିତ ଏବଂ ଜଷ୍ଟିସ ରବିନ୍ଦ୍ର ଭଟ୍ଟ ଇଡବ୍ଲୁଏସ୍ କୋଟାକୁ ବିରୋଧ କରିଥିବା ବେଳେ ଅବଶିଷ୍ଟ ତିନି ବିଚାରପତି ଇଡବ୍ଲୁଏସ୍ କୋଟା ବ୍ୟବସ୍ଥାକୁ ସମର୍ଥନ କରିଛନ୍ତି । ଏହି ତିନି ବିଚାରପତି ହେଉଛନ୍ତି ଜଷ୍ଟିସ ଦୀନେଶ ମହେଶ୍ୱରୀ, ଜଷ୍ଟିସ ବେଲା ଏମ୍ ତ୍ରିବେଦୀ ଏବଂ ଜଷ୍ଟିସ ଜେ.ବି ପାରଦୀୱାଲା । ଏହି ତିନି ବିଚାରପତି ନିଜ ରାୟରେ କହିଥିଲେ ଯେ ସମ୍ବିଧାନର ୧୦୩ ତମ ସଂଶୋଧନ ସମ୍ବିଧାନର ମୌଳିକ ଢାଞ୍ଚାର ପରିପନ୍ଥୀ ନୁହେଁ । ଇଡବ୍ଲୁଏସ୍ ସଂରକ୍ଷଣ ବ୍ୟବସ୍ଥା ବୈଧ ।

ସୂଚନାଯୋଗ୍ୟ ଯେ ଇଡବ୍ଲୁଏସ୍ କୋଟାରେ ସାଧାରଣ ବର୍ଗକୁ କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନ ଓ ସରକାରୀ ଚାକିରି କ୍ଷେତ୍ରରେ ୧୦ ପ୍ରତିଶତ ସଂରକ୍ଷଣ ପ୍ରଦାନ କରାଯାଇଛି । ତେବେ ଏହି ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା | ଏହି ମାମଲାରେ ପ୍ରଧାନ ବିଚାରପତି ଲଲିତ, ଜଷ୍ଟିସ ରବିନ୍ଦ୍ର ଭଟ୍ଟ, ଜଷ୍ଟିସ ବେଲା ଏମ ତ୍ରିବେଦୀ ଏବଂ ଜଷ୍ଟିସ ଜେ.ବି ପାରଦୀୱାଲାଙ୍କୁ ନେଇ ପାଞ୍ଚ ଜଣିଆ ସମ୍ବିଧାନ ଖଣ୍ଡପୀଠ ସାତ ଦିନ ଧରି ମାରାଥନ ଶୁଣାଣି କରିବା ପରେ ସେପ୍ଟେମ୍ବର ୨୭ ରେ ରାୟ ସଂରକ୍ଷିତ ରଖିଥିଲେ।

Exit mobile version