Site icon ଆଜିକାଲି

ବିଲକିସ୍ ବାନୋ ବଳାତ୍କାରୀଙ୍କୁ କାହିଁକି ଛାଡ଼ିଲ ? – ଗୁଜରାଟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ


ନୂଆଦିଲ୍ଲୀ : ସୁପ୍ରିମକୋର୍ଟରେ ମଙ୍ଗଳବାର ବିଲକିସ୍ ବାନୋ ଗଣବଳାତ୍କାର ମାମଲାର ଶୁଣାଣି ‌ହୋଇଛି । ଦୋଷୀଙ୍କୁ ଆଗୁଆ ମୁକ୍ତ କରାଯିବା ନେଇ ଗୁଜରାଟ ସରକାରଙ୍କ ନିଷ୍ପତ୍ତି ଉପରେ ସୁପ୍ରିମକୋର୍ଟ ପ୍ରଶ୍ନ ଉଠାଇଛନ୍ତି ‌‌। ଏହାର କ’ଣ କାରଣ ଥିଲା ବୋଲି ସୁପ୍ରିମକୋର୍ଟ ପଚାରିଛନ୍ତି। କୋର୍ଟ କହିଛନ୍ତି ଯେ, ଆଜି ବିଲକିସଙ୍କ ସହିତ ଏପରି ଘଟିଛି, ଆସନ୍ତାକାଲି ଆଉ କାହା ସହିତ ହୋଇପାରେ।

ଜଷ୍ଟିସ କେଏମ ଜୋସେଫ ଏବଂ ବି.ଭି ନାଗରତ୍ନାଙ୍କ ଏକ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଛି। ମଙ୍ଗଳବାର ଦିନ ଏହି ଶୁଣାଣିରେ ଖଣ୍ଡପୀଠ କହିଛନ୍ତି ଯେ ସମାଜକୁ ପ୍ରଭାବିତ କରୁଥିବା ଏପରି ଘୃଣ୍ୟ ଅପରାଧିକ ମାମଲାରେ ଦୋଷୀଙ୍କୁ କ୍ଷମା ପ୍ରଦାନ ନେଇ ନିଷ୍ପତ୍ତି ନେବାବେଳେ ସର୍ବସାଧାରଣ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି କ୍ଷମତା ପ୍ରୟୋଗ କରାଯିବା ଆବଶ୍ୟକ।

କୋର୍ଟ କହିଛନ୍ତି, ନିଷ୍ପତ୍ତି ସହ କେନ୍ଦ୍ର ସହମତ ହୋଇଛି । ଏହାର ଅର୍ଥ ନୁହେଁ ଯେ ରାଜ୍ୟ ନିଜର ବିବେକ ପ୍ରୟୋଗ କରିବ ନାହିଁ। ଯଦି ଆଇନ ଅନୁଯାୟୀ ସବୁକିଛି ଘଟିଛି, ତେବେ ଏଥିରେ ଲୁଚାଇବାକୁ କ’ଣ ଅଛି ବୋଲି ସରକାରଙ୍କୁ ପଚାରିଛନ୍ତି । ବିଲକିସ୍ ବାନୋ ଗଣବଳାତ୍କାର ଦୋଷୀଙ୍କୁ ଛଡ଼ାଯିବା ନିଷ୍ପତ୍ତି ସମ୍ବନ୍ଧୀୟ ଫାଇଲ ଦାଖଲ କରି ମେ’ ୧ ସୁଦ୍ଧା ଜବାବୀ ସତ୍ୟପାଠର ଦାଖଲ କରିବାକୁ କୋର୍ଟ ସରକାରଙ୍କୁ କହିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ମେ’୨ ତାରିଖରେ ହେବ। ଗୁଜରାଟ ସରକାର ଗତ ବର୍ଷ ଏହି ମାମଲାରେ ୧୧ ଜଣ ଦୋଷୀଙ୍କୁ ଆଗୁଆ ମୁକ୍ତ କରିଦେଇଥିଲେ । ସରକାରଙ୍କ ଏହି ନିଷ୍ପତ୍ତି ବିରୋଧରେ ବିଲକିସ୍ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲେ ।

ମାର୍ଚ୍ଚ ୨୮ରେ ଜଷ୍ଟିସ୍ କେ.ଏମ ଜୋସେଫ ଏବଂ ବି.ଭି ନାଗରତ୍ନାଙ୍କ ଏକ ଖଣ୍ଡପୀଠ ଦୋଷୀମାନଙ୍କୁ କ୍ଷମା ପ୍ରଦାନ କରାଯିବା ନେଇ ସମ୍ପୃକ୍ତ ଫାଇଲ ସହ ପ୍ରସ୍ତୁତ ରହିବାକୁ ଗୁଜରାଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲା। ଏହାପୂର୍ବରୁ ଡିସେମ୍ବର ୨୦୨୨ରେ ଜଜ୍ ବେଲା ମାଧୁର୍ୟା ତ୍ରିବେଦୀ ଏହି ମାମଲାର ଶୁଣାଣିରୁ ଓହରି ଯାଇଥିଲେ। ଏହି କାରଣରୁ ଶୁଣାଣି ସ୍ଥଗିତ ରଖାଯାଇଥିଲା। ବିଲକିସ୍ ବାନୋ ଗଣବଳାତ୍କାର ମାମଲାର ଅନ୍ୟତମ ଦୋଷୀ ଶୈଲେଶ ଚିମନଲାଲ ଭଟ୍ଟଙ୍କୁ ବିଜେପି ସାଂସଦ ଜସୱନ୍ତ ସିଂ ଭବୋର ଏବଂ ବିଧାୟକ ଶୈଲେଶ ଭବୋରଙ୍କ ସହ ଗୋଟିଏ ମଞ୍ଚରେ ଦେଖିବାକୁ ମିଳିଥିଲା ।

୨୦୦୨ ଗୋଧ୍ରାକାଣ୍ଡ ପରେ ଗୁଜରାଟରେ ଘଟିଥିବା ସାମ୍ପ୍ରଦାୟିକ ଦଙ୍ଗାର ଶିକାର ହୋଇଥିଲେ ବିଲକିସ୍ ବାନୋ ଏବଂ ତାଙ୍କ ପରିବାର । ବିଲକିସ୍ ବାନୋଙ୍କୁ ଗଣବଳାତ୍କାର କରାଯାଇଥିବା ବେଳେ ତାଙ୍କ ପରିବାରର ୭ ଜଣ ସଦସ୍ୟଙ୍କୁ ହତ୍ୟା କରାଯାଇଥିଲା । ଆଜୀବନ କାରାଦଣ୍ଡରେ ଦଣ୍ଡିତ ଏହି ମାମଲାର ୧୧ ଦୋଷୀଙ୍କୁ ଗତ ବର୍ଷ ଅଗଷ୍ଟ ୧୫ରେ ଆଗୁଆ ମୁକ୍ତ କରିଥିଲେ ଗୁଜରାଟ ସରକାର। ଏହା ବିରୋଧରେ ବାନୋ ୩୦ ନଭେମ୍ବର ୨୦୨୨ରେ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ।

Exit mobile version