Site icon ଆଜିକାଲି

ଅତିକ୍ ଅହମ୍ମଦ ମାମଲାରେ ୟୁପି ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ – ହସ୍ପିଟାଲ୍ ଆସିବା ନେଇ ହତ୍ୟାକାରୀ ଜାଣିଲେ କେମିତି ?

ନୂଆଦିଲ୍ଲୀ: ଅତିକ୍ ଅହମ୍ମଦ ଏବଂ ତାଙ୍କ ଭାଇ ଅଶରଫଙ୍କ ହତ୍ୟା ମାମଲାର ନିରପେକ୍ଷ ତଦନ୍ତ ଦାବି କରି ଦାୟର ପିଟିସନର ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ଏ ମାମଲାରେ ୟୁପି ସରକାରଙ୍କୁ କୋର୍ଟ ଅନେକ ପ୍ରଶ୍ନ ପଚାରିଛନ୍ତି। କୋର୍ଟ ଉତ୍ତର ପ୍ରଦେଶ ସରକାରଙ୍କୁ ପଚାରିଛନ୍ତି – ହତ୍ୟାକାରୀମାନେ ସେମାନଙ୍କୁ ହସ୍ପିଟାଲ ନେବା ବିଷୟରେ କିପରି ସୂଚନା ପାଇଲେ ?

ପୋଲିସ ହେପାଜତରେ ଅତିକ୍-ଅଶରଫଙ୍କ ହତ୍ୟା ନେଇ ଯୋଗୀ ଆଦିତ୍ୟନାଥ ସରକାରଙ୍କୁ ରିପୋର୍ଟ ମାଗିଛନ୍ତି ସୁପ୍ରିମକୋର୍ଟ । ଏହାଛଡ଼ା ଅତିକଙ୍କ ପୁଅ ଅସଦର ଏନକାଉଣ୍ଟର ନେଇ ମଧ୍ୟ କୋର୍ଟ ଉତ୍ତର ପ୍ରଦେଶ ପୋଲିସକୁ ରିପୋର୍ଟ ତଲବ କରିଛନ୍ତି । ପ୍ରୟାଗରାଜ ପୋଲିସ ହେପାଜତରେ ଡାକ୍ତରୀ ଯାଞ୍ଚ ପାଇଁ ନିଆଯାଉଥିବା ବେଳେ ଗଣମାଧ୍ୟମ ଆଗରେ ଅତିକ୍ ଅହମ୍ମଦ ଏବଂ ତାଙ୍କ ଭାଇଙ୍କୁ ହତ୍ୟା କରାଯାଇଥିଲା। ଅତିକ୍-ଅଶରଫଙ୍କ ହତ୍ୟା ମାମଲାର ନିରପେକ୍ଷ ତଦନ୍ତ ଦାବି କରି ଓକିଲ ବିଶାଲ ତିୱାରୀ ସୁପ୍ରିମକୋର୍ଟରେ ଏକ ପିଟିସନ ଦାୟର କରିଥିଲେ। ମେଡିକାଲ ଚେକଅପ୍ ପାଇଁ ନିଆଯାଉଥିବା ବେଳେ ଉଭୟ ଭାଇଙ୍କୁ କାହିଁକି ଗଣମାଧ୍ୟମ ସାମ୍ନାକୁ ଅଣାଯାଇଥିଲା ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି।

ସୁପ୍ରିମକୋର୍ଟ ପଚାରିଥିଲେ, “ହତ୍ୟାକାରୀ କିପରି ଜାଣିଲେ ଯେ ଅତିକ୍-ଅଶରଫଙ୍କୁ ହସ୍ପିଟାଲ ଅଣାଯାଉଛି ବୋଲି ? ଆମେ ଏହା ଟିଭିରେ ଦେଖିଛୁ। ତାଙ୍କୁ ଆମ୍ବୁଲାନ୍ସରେ କାହିଁକି ନିଆଯାଇନଥିଲା? ତାଙ୍କୁ ଗଣମାଧ୍ୟମ ସାମ୍ନାକୁ କାହିଁକି ଅଣାଯାଇଥିଲା?”

ଜଷ୍ଟିସ୍ ଏସ୍ ରବୀନ୍ଦ୍ର ଭଟ ଏବଂ ଜଷ୍ଟିସ୍ ଦୀପଙ୍କର ଦତ୍ତଙ୍କ ଏକ ଖଣ୍ଡପୀଠ ୟୁପି ସରକାରଙ୍କ ତରଫରୁ ହାଜର ହୋଇଥିବା ବରିଷ୍ଠ ଓକିଲ ମୁକୁଲ ରୋହତଗୀଙ୍କୁ ଏହିସବୁ ଅସମାହିତ ପ୍ରଶ୍ନ ପଚାରିଥିଲେ। ରାଜ୍ୟ ସରକାର ଏହି ମାମଲାର ଯାଞ୍ଚ୍ କରୁଛନ୍ତି । ଏଥିପାଇଁ ତିନି ଜଣିଆ କମିଶନ ଗଠନ କରାଯାଇଛି ବୋଲି ରୋହତଗୀ ସୁପ୍ରିମକୋର୍ଟଙ୍କୁ କହିଛନ୍ତି। ୟୁପି ପୋଲିସ ଟିମ୍ ମଧ୍ୟ ଏହାର ତଦନ୍ତ କରୁଛନ୍ତି ବୋଲି ସେ କହିଛନ୍ତି। ଏହି ମାମଲାରେ ଏପର୍ଯ୍ୟନ୍ତ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ସ୍ଥିତି ରିପୋର୍ଟ ଦାଖଲ କରିବାକୁ କୋର୍ଟ ୟୁପି ସରକାରଙ୍କୁ କହିଛନ୍ତି।

ପୂର୍ବତନ ସମାଜବାଦୀ ପାର୍ଟି ସାଂସଦ ତଥା ମାଫିଆ ଡନ୍ ଅତିକ୍ ଅହମ୍ମଦ ଏବଂ ତାଙ୍କ ଭାଇ ଆଶରଫ ଅହମ୍ମଦଙ୍କୁ ପୋଲିସ ହେପାଜତରେ ନିୟମିତ ଯାଞ୍ଚ ପାଇଁ ପ୍ରୟାଗରାଜର କଲଭିନ ହସ୍ପିଟାଲକୁ ନିଆଯାଉଥିବା ବେଳେ ତିନି ଜଣ ଯୁବକ ଅତି ନିକଟରୁ ଉଭୟଙ୍କୁ ଗୁଳି କରି ହତ୍ୟା କରିଥିଲେ।

Exit mobile version