Site icon ଆଜିକାଲି

କୋହଲିଙ୍କ ଖାସ୍ କ୍ଲବରେ ଏଣ୍ଟ୍ରି ମାରିବେ ସୂର୍ଯ୍ୟକୁମାର

ନୂଆଦିଲ୍ଲୀ : ଭାରତୀୟ ଖେଳାଳି ସୂର୍ଯ୍ୟକୁମାର ଯାଦବ ବର୍ତ୍ତମାନ ଫର୍ମରେ ଅଛନ୍ତି । ଗତବର୍ଷ ଟି-୨୦ ଅନ୍ତର୍ଜାତୀୟରେ ପଦାର୍ପଣ କରିଥିବା ସୂର୍ଯ୍ୟକୁମାର ବର୍ତ୍ତମାନ ଦଳ ପାଇଁ ଦମଦାର ପ୍ରଦର୍ଶନ କରି ଆସୁଛନ୍ତି। ଟି-୨୦ ମାନ୍ୟତାରେ ସୂର୍ଯ୍ୟକୁମାର ବର୍ତ୍ତମାନ ଦ୍ଵିତୀୟ ସ୍ଥାନରେ ଅଛନ୍ତି। ଏହି ଡାହାଣହାତୀ ବ୍ୟାଟସମ୍ୟାନ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ଅନେକ ରେକର୍ଡ ନିଜ ନାମରେ କରିଛନ୍ତି। ଏହି ଇନିଂସ ଜରିଆରେ ସେ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ଭାରତ ପାଇଁ ସର୍ବାଧିକ ରନ କରିବାର ବ୍ୟାଟସମ୍ୟାନ ହୋଇ ପାରିଛନ୍ତି। ସୂର୍ଯ୍ୟ ଦ୍ଵିତୀୟ ମ୍ୟାଚ୍‌ରେ ଆଉ ଏକ ବଡ ଉପଲବ୍ଧି ହାସଲ କରିବାର ବହୁତ ନିକଟତର ହୋଇଛନ୍ତି। ଯଦି ସେ ଏମିତି କରିବାରେ ସଫଳ ହୁଅନ୍ତି ତେବେ ବିରାଟ କୋହଲି, ରୋହିତ ଶର୍ମା ଏବଂ ଏମଏସ ଧୋନୀଙ୍କ ପରି ତାରକା ଖେଳାଳିଙ୍କ କ୍ଲବ୍‌ରେ ସାମିଲ୍ ହେବେ।

ସୂର୍ଯ୍ୟକୁମାର ୩୨ ଟି-୨୦ ଅନ୍ତର୍ଜାତୀୟରେ ୯୭୬ ରନ କରିଛନ୍ତି। ସେ ୧୦୦୦ ରନ କ୍ଲବ୍‌ରେ ସାମିଲ୍ ହେବାର ଦ୍ଵାର ଦେଶରେ ଅଛନ୍ତି। ଆଉ ୨୪ ରନ କଲେ ନବମ ଭାରତୀୟ ବ୍ୟାଟସମ୍ୟାନ ହିସାବରେ ଟି-୨୦ ଅନ୍ତର୍ଜାତୀୟରେ ୧୦୦୦ ରନ ପୂରଣ କରିବେ। ଏହି ତାଲିକାରେ ଅଧିନାୟକ ରୋହିତ ଶର୍ମା ଶୀର୍ଷରେ ଅଛନ୍ତି। ସେ ୧୪୦ଟି ମ୍ୟାଚ୍‌ରେ ୩୬୯୪ ରନ କରିଥିବା ବେଳେ ବିରାଟ କୋହଲି ୧୦୮ ମ୍ୟାଚ୍‌ରେ ୩୬୬୩ ରନ ସହିତ ଦ୍ଵିତୀୟ ସ୍ଥାନରେ ଅଛନ୍ତି। କେଏଲ ରାହୁଲ ୨୦୮୦ ରନ ସହିତ ଭାରତ ପକ୍ଷରୁ ସର୍ବାଧିକ ରନ କରିବା ତାଲିକାରେ ତୃତୀୟ ସ୍ଥାନରେ ଅଛନ୍ତି। ତାଙ୍କ ପରେ ଶିଖର ଧାଓ୍ଵନ(୧୭୫୯), ଏମଏସ ଧୋନୀ(୧୬୧୭), ସୁରେଶ ରୈନା(୧୬୦୫), ଯୁବରାଜ ସିଂହ(୧୧୭୭) ଏବଂ ଶ୍ରେୟସ ଆୟର(୧୦୨୯)। ୯୮୯ ରନ ସହିତ ହାର୍ଦ୍ଦିକ ପାଣ୍ଡ୍ୟା ସୂର୍ଯ୍ୟକୁମାର ଯାଦବଙ୍କଠୁ କିଛିଟା ଆଗରେ ଅଛନ୍ତି।

Exit mobile version