Site icon ଆଜିକାଲି

ରୌପ୍ୟରେ ସନ୍ତୁଷ୍ଟ ହେଲେ ସୁଶିଲା ଦେବୀ, କାଂସ୍ୟ ପଦକ ଜିତିଲେ ବିଜୟ

ବର୍ମିଂହାମ : ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ରେ ଜୁଡୋରେ ଭାରତକୁ ମିଳିଲା ଦୁଇଟି ପଦକ । ସୁଶୀଲା ଦେବୀଙ୍କ ସ୍ୱର୍ଣ୍ଣ ଜିତିବାର ସ୍ୱପ୍ନ ଅଧାରେ ଅଟକି ଯାଇଛି। ଆଜି ସେ ୪୮ କେଜି ମହିଳା ଜୁଡୋର ଫାଇନାଲରେ ପ୍ରବେଶ କରିଥିଲେ ମଧ୍ୟ ତାଙ୍କୁ ପରାଜୟର ମୁହଁ ଦେଖିବାକୁ ମିଳିଛି। ଫାଇନାଲ ବାଉଟରେ ସେ ଜବରଦସ୍ତ ଲଢ଼େଇ କରିଥିଲେ ବି ଶେଷ ମୁହୂର୍ତ୍ତରେ ଦକ୍ଷିଣ ଆଫ୍ରିକାର ମିଚେଲା ହ୍ୱାଇଟବୋଇଙ୍କ ଠାରୁ ହାରି ଯାଇଛନ୍ତି। ମ୍ୟାଚ୍‌ର ସମସ୍ତ ୩ ମିନିଟ ସମୟ ଉଭୟ ଖେଳାଳି ପରସ୍ପରକୁ ଜୋରଦାର ଟକ୍କର ଦେଇଥିଲେ। ହେଲେ ଶେଷ କିଛି ସେକେଣ୍ଡରେ ସୁଶୀଲାଙ୍କ ହାତରୁ ମ୍ୟାଚ୍‌ ଖସି ଯାଇଥିଲା। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଏହା ସୁଶୀଲାଙ୍କ ଦ୍ୱିତୀୟ ପଦକ।

ଅନ୍ୟପଟେ ଭାରତର ବିଜୟ କୁମାର ଯାବଦ କାଂସ୍ୟ ପଦକ ଜିତିଛନ୍ତି । ୬୦ କେଜି ପୁରୁଷ ବର୍ଗର ଜୁଡୋରେ ଭାରତର ବିଜୟ ବ୍ରୋଞ୍ଜ ପଦକ ଜିତିଛନ୍ତି । ସେ ସେମିଫାଇନାଲରେ ହାରିଥିଲେ ମଧ୍ୟ ରିପେଜ ରାଉଣ୍ଡ ଜିତିଥିଲେ । ଏହାପରେ ସେ ବ୍ରୋଞ୍ଜ ପଦକ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଥିଲେ। ବ୍ରୋଞ୍ଜ ଲଢ଼େଇରେ ସେ ନିଜର ଜଲୱା ଦେଖାଇଛନ୍ତି।

ସୂଚନା ଯେ, ରାଜ୍ୟଗୋଷ୍ଠୀ କ୍ରୀଡାରେ ଆଜିର ରୌପ୍ୟ ଓ ବ୍ରୋଞ୍ଜକୁ ମିଶାଇ ଭାରତର ପଦକ ସଂଖ୍ୟା ୮କୁ ବୃଦ୍ଧି ପାଇଛି। ଏଥିରେ ୩ଟି ସ୍ୱର୍ଣ୍ଣ, ୩ଟି ରୌପ୍ୟ ଓ ୨ଟି ବ୍ରୋଞ୍ଜ ପଦକ ରହିଛି। ୮ଟି ପଦକରୁ ଭାରତ କେବଳ ଭାରୋତ୍ତୋଳନରେ ୬ଟି ପଦକ ହାତେଇଛି। ସେହିପରି ଲନ ବାଉଲ୍ସରେ ଭାରତୀୟ ମହିଳା ଦଳ ପଦକ ପକ୍କା କରିଛନ୍ତି। ସ୍କ୍ୱାଶରେ ସୌରଭ ଘୋଷାଲ ସେମିରେ ପ୍ରବେଶ କରିଥିବାରୁ ତାଙ୍କ ଠାରୁ ବି ଦେଶ ପଦକ ଆଶା ରଖିଛି।

Exit mobile version