Site icon ଆଜିକାଲି

ଟି-୨୦ ବିଶ୍ୱକପ: ଇଂଲଣ୍ଡକୁ ହରାଇଲା ଅଷ୍ଟ୍ରେଲିଆ

ବାରବାଡୋସ: ଦିନିକିଆ ବିଶ୍ୱକପରେ ସପ୍ତମ ସ୍ଥାନରେ ରହିଥିବା ଇଂଲଣ୍ଡ ଚଳିତ ଟି-୨୦ ବିଶ୍ୱକପରେ ମଧ୍ୟ ଖରାପ ଆରମ୍ଭ କରିଛି। ବର୍ଷା ଯୋଗୁଁ ସ୍କଟଲ୍ୟାଣ୍ଡ ବିପକ୍ଷ ପ୍ରଥମ ମ୍ୟାଚ୍ ଧୋଇଯିବା ପରେ ଦଳ ଦ୍ୱିତୀୟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଠାରୁ ୩୬ ରନ୍‌ରେ ହାରିଯାଇଛି । ଏହି ପରାଜୟ ପରେ ଡିଫେଣ୍ଡିଂ ଚାମ୍ପିଅନ୍ ଇଂଲଣ୍ଡ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେବା‌ ଆଶଙ୍କାରେ ରହିଛି। ସୁପର-୮ ପର୍ଯ୍ୟାୟକୁ ଉନ୍ନୀତ ହେବାକୁ ହେଲେ ଇଂଲଣ୍ଡକୁ ପରବର୍ତ୍ତୀ ଦୁଇଟି ମ୍ୟାଚ୍ ଜିତିବାକୁ ପଡ଼ିବ ।

ବାରବାଡୋସର କେନ୍ସିଙ୍ଗଟନ୍ ଓଭାଲରେ ଶନିବାର ରାତିରେ ଖେଳାଯାଇଥିବା ଏହି ହାଇଭୋଲଟେଜ୍ ମ୍ୟାଚରେ ଇଂଲଣ୍ଡ ଅଧିନାୟକ ଟସ୍ ଜିତି ଅଷ୍ଟ୍ରେଲିଆକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ୨୦୧ ରନ୍ କରିଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ଡେଭିଡ୍ ଓ୍ବାର୍ଣ୍ଣର ୩୯, ଅଧିନାୟକ ମିଚେଲ ମାର୍ଶ ୩୫, ଟ୍ରାଭିସ୍ ହେଡ୍ ୩୪ ଓ ମାର୍କସ ଷ୍ଟୋଇନିସ୍ ୩୦ ରନ୍ କରିଥିଲେ । ଇଂଲଣ୍ଡ ୨୦୨ ରନର ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ୬ ୱିକେଟ୍ ବିନିମୟରେ ମାତ୍ର ୧୬୫ ରନ୍ କରିବାକୁ ସମର୍ଥ ହୋଇଥିଲା। ଇଂଲଣ୍ଡ ତରଫରୁ କ୍ୟାପଟେନ ଜୋସ ବଟଲର ସର୍ବାଧିକ ୪୨ ରନ୍ କରିଥିବା ବେଳେ ଫିଲ ସଲ୍ଟ ୩୭ ରନ୍ କରିଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ଆଡାମ ଜାମ୍ପା ଓ ପ୍ୟାଟ କମିନ୍ସ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ।

ଏହି ମ୍ୟାଚ୍ ପରେ ଇଂଲଣ୍ଡ ଗ୍ରୁପ୍ ବିରେ ଚତୁର୍ଥ ସ୍ଥାନରେ ରହିଛି । ଦଳ ପାଖରେ ମାତ୍ର ଗୋଟିଏ ପଏଣ୍ଟ ଥିବାବେଳେ ଅଷ୍ଟ୍ରେଲିଆ ପାଖରେ ୪, ସ୍କଟଲ୍ୟାଣ୍ଡ ୩ ଏବଂ ନାମିବ୍ୟା ୨ ପଏଣ୍ଟ ସହ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ରହିଛନ୍ତି ।

Exit mobile version