Site icon ଆଜିକାଲି

ଟି-୨୦ ବିଶ୍ବକପ: ପାକିସ୍ତାନକୁ ହରାଇ ଇଂଲଣ୍ଡ ଚାମ୍ପିୟନ


ମେଲବୋର୍ଣ୍ଣ: ଇଂଲଣ୍ଡ ଟି-୨୦ ବିଶ୍ବ ଚାମ୍ପିୟନ ହୋଇଛି । ରବିବାର ଏଠାରେ ଅନୁଷ୍ଠିତ ଟି-୨୦ ବିଶ୍ୱକପର ଫାଇନାଲରେ ପାକିସ୍ତାନକୁ ୫ ଓ୍ବିକେଟରେ ହରାଇ ଇଂଲଣ୍ଡ ଟାଇଟଲ ଜିତିଛି । ଇଂଲଣ୍ଡ ଦ୍ବିତୀୟ ଥର ପାଇଁ ଟି-୨୦ ବିଶ୍ୱକପ ଚାମ୍ପିୟନ ହୋଇଛି । ଏହା ପୂର୍ବରୁ ଦଳ ୨୦୧୦ ସଂସ୍କରଣରେ ଟାଇଟଲ ଜିତିଥିଲା । ଏହାଛଡ଼ା ଇଂଲଣ୍ଡ ଏବେ ବିଶ୍ୱର ପ୍ରଥମ ଦଳ ଭାବେ ଏକାସଙ୍ଗେ ଉଭୟ ଦିନିକିଆ (୨୦୧୯) ଓ ଟି-୨୦ ବିଶ୍ବକପ ଟାଇଟଲ ପାଖରେ ରଖିଛି । ଷ୍ଟାର୍ ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ ଦଳର ଏହି ଡବଲ ବିଶ୍ବକପ୍ ବିଜୟରେ ନାୟକ ସାଜିଛନ୍ତି ।

ପାକିସ୍ତାନ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ବେଳେ ଚ୍ୟାଲେଞ୍ଜିଂ ସ୍କୋର୍ ଛିଡ଼ା କରିବାରେ ବିଫଳ ହୋଇଥିଲା । ଦଳ ନିର୍ଦ୍ଧାରିତ ୨୦ ଓଭରରେ ୮ ଓ୍ବିକେଟ୍ ହରାଇ ମାତ୍ର ୧୩୭ ରନ୍ କରିବାକୁ ସକ୍ଷମ ହୋଇଥିଲା । ଏହାର ଜବାବରେ ଇଂଲଣ୍ଡ ଟପ୍ ଅର୍ଡର ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ହେଲେ ୨୦୧୯ ଦିନିକିଆ ବିଶ୍ୱକପ୍ ଫାଇନାଲ ଭଳି ବେନ୍ ଷ୍ଟୋକ୍ସ ଇଂଲଣ୍ଡ ପାଇଁ ପୁଣି ତ୍ରାଣକର୍ତ୍ତା ସାଜି ଦଳ ପାଇଁ ଟ୍ରଫି ନିଶ୍ଚିତ କରିଥିଲେ । ୧୩୮ ରନର ବିଜୟ ଲକ୍ଷ୍ୟକୁ ଇଂଲଣ୍ଡ ଗୋଟିଏ ଓଭର ବାକି ଥାଇ ହାସଲ କରିନେଇଥିଲା । ଷ୍ଟୋକ୍ସ ୪୯ ବଲରେ ଗୋଟିଏ ଛକା ଓ ୫ଟି ଚୌକା ସହ ଅପରାଜିତ ୫୨ ରନ୍ କରିଥିଲେ । ଅଧିନାୟକ ଜୋସ ବଟଲର ୨୬ ରନ୍ କରିଥିବା ବେଳେ ହ୍ୟାରି ବ୍ରୁକ୍ ୨୦ ଓ ମୋଇନ ଅଲ୍ଲୀ ୧୯ ରନ୍ କରିଥିଲେ । ପାକିସ୍ତାନ ପକ୍ଷରୁ ହାରିସ୍ ରାଉଫ୍ ୨ଟି ଓ୍ବିକେଟ୍ ନେଇଥିଲେ।

ପାକିସ୍ତାନ ଟିମ୍ ୧୯୯୨ର ମ୍ୟାଜିକ୍ ଦୋହରାଇବାରେ ବିଫଳ ହୋଇଛି । ସେହିବର୍ଷ ଏହି ଗ୍ରାଉଣ୍ଡରେ ହିଁ ଦିନିକିଆ ବିଶ୍ୱକପ୍ ଫାଇନାଲରେ ଇଂଲଣ୍ଡକୁ ହରାଇ ଇମ୍ରାନ ଖାନଙ୍କ ପାକିସ୍ତାନ ଚାମ୍ପିୟନ ହୋଇଥିଲା । ବାବର ଆଜମଙ୍କ ଟିମ୍ ଇତିହାସର ପୁନରାବୃତ୍ତି କରିବ ବୋଲି ଦଳର ପ୍ରଶଂସକ ଆଶା କରୁଥିଲେ । କିନ୍ତୁ ଇଂଲଣ୍ଡ ୩୦ ବର୍ଷ ତଳର ସେହି ପରାଜୟର ପ୍ରତିଶୋଧ ନେଇଛି ।

ପୂର୍ବରୁ ଇଂଲଣ୍ଡ ଅଧିନାୟକ ବଟଲର ଟସ୍ ଜିତି ପାକିସ୍ତାନକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲେ । ପାକିସ୍ତାନ ଦୃଢ ଷ୍ଟାର୍ଟ କରିଥିଲେ ମଧ୍ୟ ଶେଷ ୧୦ ଓଭରରେ ଦିଗହରା ହୋଇଯାଇଥିଲା । ଦଳ ଶେଷ ୯ ଓଭରରେ ୭ ଓ୍ବିକେଟ୍ ହରାଇ ମାତ୍ର ୫୫ ରନ୍ କରିଥିଲା । ଦଳ ପକ୍ଷରୁ ଶାନ୍ ମାସୁଦ୍ ୩୮, ଅଧିନାୟକ ବାବର ୩୨ ଓ ଶାଦାବ୍ ଖାନ୍ ୨୦ ରନ୍ କରିଥିଲେ । ଇଂଲଣ୍ଡ ତରଫରୁ ସାମ କରନ୍ ୩ଟି ଓ୍ବିକେଟ୍ ନେଇଥିଲେ। ଆଦିଲ ରସିଦ୍ ଓ କ୍ରିସ୍ ଜୋର୍ଡାନ ୨ଟି ଲେଖାଏଁ ୱିକେଟ୍ ପାଇଥିଲେ । ସାମ୍ କରନ୍ ଉଭୟ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଓ ସିରିଜ୍ ପୁରସ୍କାର ପାଇଛନ୍ତି ।

Exit mobile version