Site icon ଆଜିକାଲି

ଟି-୨୦ ବିଶ୍ୱକପ : ଜିମ୍ବାୱେ ବିପକ୍ଷରେ ଭାରତର ଚୂଡ଼ାନ୍ତ ଏକାଦଶ

ନୂଆଦିଲ୍ଲୀ : ଚଳିତ ଟି-୨୦ ବିଶ୍ୱକପ ୨୦୨୨ରେ ଭାରତ ପ୍ରଦର୍ଶନ ଅତ୍ୟନ୍ତ ଭଲ ରହିଛି । ଏହି ଟୁର୍ଣ୍ଣାମେଣ୍ଟର ସୁପର-୧୨ ରାଉଣ୍ଡର ୪ଟି ମ୍ୟାଚରୁ ଦଳ ୩ଟି ଜିତିଛି । ବର୍ତ୍ତମାନ ଟିମ୍ ଇଣ୍ଡିଆ ଜିମ୍ୱାୱେ ବିପକ୍ଷ ମ୍ୟାଚରେ ବିଜୟ ହାସଲ କରି ସେମିଫାଇନାଲ ପାଇଁ ନିଜ ଟିକେଟକୁ ପକ୍କା କରିବାକୁ ଚାହିଁବ । ଭାରତ ଓ ଜିମ୍ବାୱେ ମଧ୍ୟରେ ମ୍ୟାଚ ନଭେମ୍ବର ୬ରେ ଖେଳାଯିବ । ଭାରତୀୟ ଦଳ ପାଇଁ ଏହି ମ୍ୟାଚ୍ ଜିତିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କାରଣ ଏହି ମ୍ୟାଚ୍ ଜିତିବା ସହ ଦଳର ସେମିଫାଇନାଲ ଟିକେଟ ପକ୍କା ହୋଇଯିବ । ଏଥିପାଇଁ ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା କୌଣସି କମି ରଖିବାକୁ ଚାହୁଁନାହାଁନ୍ତି । ଜିମ୍ବାୱେ ବିପକ୍ଷରେ ପ୍ଲେଇଙ୍ଗ୍ ଇଲେଭେନର ରୋହିତ ଶର୍ମା ବଡ଼ ପରିବର୍ତ୍ତନ କରିପାରନ୍ତି ।

ଟିମ୍ ଇଣ୍ଡିଆ ତରଫରୁ କେଏଲ୍ ରାହୁଲ ବାଂଲାଦେଶ ବିପକ୍ଷରେ ଏକ ଦମଦାର୍ ଇନିଂସ ଖେଳିଥିଲେ । ଏଭଳି ପରିସ୍ଥିତିରେ ରୋହିତ ଶର୍ମାଙ୍କ ସହ କେଏଲ ରାହୁଲଙ୍କ ଓପେନିଂ କରିବା ଏକ ପ୍ରକାରର ନିଶ୍ଚିତ ବୋଲି ମନେ କରାଯାଉଛି । ଯେତେବେଳେ ଏହି ଉଭୟ ଖେଳାଳି ସେମାନଙ୍କ ଫର୍ମରେ ଥାଆନ୍ତି, ସେମାନେ ଯେକୌଣସି ବୋଲିଂ ଆଟାକକୁ ସାମ୍ନା କରି ରନର ବର୍ଷା କରିପାରନ୍ତି । ଗତ ଏକ ଦଶନ୍ଧି ଧରି ବିରାଟ କୋହଲି ଭାରତୀୟ ଦଳ ପାଇଁ ତିନି ନମ୍ବରରେ ସବୁଠାରୁ ବିଶ୍ୱସ୍ତ ବ୍ୟାଟ୍ସମ୍ୟାନ୍ ରହିଆସିଛନ୍ତି । ସେ ନିଜେ ଭାରତୀୟ ଦଳ ପାଇଁ ଅନେକ ମ୍ୟାଚ୍ ଜିତିଛନ୍ତି । ସେ ଟି-୨୦ କ୍ରିକେଟରେ ସର୍ବାଧିକ ରନ୍ ସ୍କୋର ମଧ୍ୟ କରିଛନ୍ତି । ତାଙ୍କ ପାଖରେ ଏପରି କଳା ଅଛି ଯେ ସେ ଯେକୌଣସି ପିଚରେ ରନ୍ ସ୍କୋର କରିପାରନ୍ତି ।

ଅନ୍ୟପକ୍ଷେ ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବଙ୍କୁ ଚତୁର୍ଥ ନମ୍ବରରେ ଖେଳୁଥିବାର ଦେଖିବାକୁ ମିଳିପାରେ । ତାଙ୍କୁ ଭାରତର ଏବି ଡି ଭିଲିୟର୍ସ କୁହାଯାଏ । ସେ ମୈଦାନର ଯେକୌଣସି କୋଣରେ ଷ୍ଟ୍ରୋକ୍ ଲଗାଇପାରନ୍ତି । ଷ୍ଟାର୍ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ନିଶ୍ଚିତ ଭାବରେ ପଞ୍ଚମ ସ୍ଥାନରେ ସୁଯୋଗ ପାଇବେ । ସେ ବ୍ୟାଟିଂ ସହ ବଲରୁ ମଧ୍ୟ ଧମାଲ କରିବାରେ ଜଣେ ଦମଦାର୍ ଖେଳାଳି । ଏହା ସହ ହାର୍ଦ୍ଦିକ ପାଣ୍ଡ୍ୟା ଦଳ ପାଇଁ କଠିନ ପରିସ୍ଥିତିରେ ୱିକେଟ୍ ବାହାର କରନ୍ତି ।

ସେହିପରି ଦୀନେଶ କାର୍ତ୍ତିକ ୱିକେଟ୍ କିପରର ଦାୟିତ୍ୱ ତୁଲାଉଥିବାର ନଜରକୁ ଆସିପାରନ୍ତି । ଜସପ୍ରୀତ ବୁମ୍ରାଙ୍କ ଅନୁପସ୍ଥିତିରେ ଭୁବନେଶ୍ୱର କୁମାର ଭାରତୀୟ ଦ୍ରୁତ ବୋଲିଂ ଆକ୍ରମଣର ନେତୃତ୍ୱ ନେଇ ଚମତ୍କାର ପ୍ରଦର୍ଶନ କରିଛନ୍ତି । ତାଙ୍କୁ ଅର୍ଶଦୀପ ସିଂ ଓ ମହମ୍ମଦ ଶାମିଙ୍କ ଭଲ ସାଥ୍ ମିଳୁଛି । ଅଧିନାୟକ ରୋହିତ ଶର୍ମାଙ୍କ ପାଇଁ ଅର୍ଶଦୀପ ସିଂ ଟ୍ରମ୍ପ କାର୍ଡ ବୋଲି ପ୍ରମାଣିତ ହୋଇସାରିଛନ୍ତି । ଅଲରାଉଣ୍ଡର ଅକ୍ଷର ପଟେଲ ଆଉ ଏକ ସୁଯୋଗ ପାଇପାରନ୍ତି । ରବିଚନ୍ଦ୍ରନ୍ ଅଶ୍ୱିନ୍ ଟି-୨୦ ବିଶ୍ୱକପ୍ ୨୦୨୨ରେ ତାଙ୍କ ନାମ ଅନୁଯାୟୀ ପ୍ରଦର୍ଶନ କରିବାରେ ସଫଳ ହୋଇପାରି ନାହାଁନ୍ତି । ବିପକ୍ଷ ବ୍ୟାଟ୍ସମ୍ୟାନମାନେ ତାଙ୍କ ବିପକ୍ଷରେ ବହୁତ ସ୍କୋର କରିଛନ୍ତି । ସେ ଟିମ୍ ଇଣ୍ଡିଆ ପାଇଁ ସବୁଠୁ ବଡ ମୁଣ୍ଡବିନ୍ଧାର କାରଣ ପାଲଟିଛନ୍ତି। ଏଭଳି ପରିସ୍ଥିତିରେ ରୋହିତ ଶର୍ମା ତାଙ୍କ ସ୍ଥାନରେ ୟୁଜବେନ୍ଦ୍ର ଚହଲଙ୍କୁ ସୁଯୋଗ ଦେଇପାରନ୍ତି । ଚହଲ ଆଇପିଏଲ ୨୦୨୨ରେ ସର୍ବାଧିକ ୨୭ ୱିକେଟ୍ ନେଇଥିଲେ ।

ଭାରତୀୟ ସମ୍ଭାବ୍ୟ ଏକାଦଶ : ରୋହିତ ଶର୍ମା (ଅଧିନାୟକ), କେଏଲ୍ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ୟୁଜବେନ୍ଦ୍ର ଚହଲ, ଭୁବନେଶ୍ୱର କୁମାର, ଅର୍ଶଦୀପ ସିଂ, ମହମ୍ମଦ ଶାମି ।

Exit mobile version