Site icon ଆଜିକାଲି

ଟି-୨୦ ବିଶ୍ୱକପ: ୱେଷ୍ଟଇଣ୍ଡିଜକୁ ହରାଇ ସେମିରେ ଦକ୍ଷିଣ ଆଫ୍ରିକା

ନର୍ଥ ସାଉଣ୍ଡ (ଆଣ୍ଟିଗ୍ବା): ଟି-୨୦ ବିଶ୍ୱକପରେ ସୋମବାର ଏକ ବର୍ଷା ପ୍ରଭାବିତ ସୁପର ୮ ମ୍ୟାଚରେ ୱେଷ୍ଟଇଣ୍ଡିଜକୁ ଡକୱର୍ଥ ଲୁଇସ ନିୟମାନୁସାରେ ୩ ୱିକେଟରେ ହରାଇ ଦକ୍ଷିଣ ଆଫ୍ରିକା ସେମିଫାଇନାଲରେ ପ୍ରବେଶ କରିଛି। ଅନ୍ୟପକ୍ଷରେ ଏହି ପରାଜୟ ଯୋଗୁଁ ସହ ଆୟୋଜକ ୱେଷ୍ଟଇଣ୍ଡିଜ୍ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଛି।

ଟସ୍ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇବା ପରେ ୱେଷ୍ଟଇଣ୍ଡିଜ୍ ୮ ୱିକେଟ୍ ହରାଇ ୧୩୫ ରନ୍ କରିଥିଲା। ଏହାର ଜବାବରେ ଯେତେବେଳେ ଦକ୍ଷିଣ ଆଫ୍ରିକା ୨ ୱିକେଟ୍ ହରାଇ ୧୫ ରନ୍ କରିଥିଲା, ବର୍ଷା ଯୋଗୁଁ ଖେଳ‌ କିଛି ସମୟ ବନ୍ଦ ହୋଇଥିଲା। ବର୍ଷା ବିରତି ପରେ ଡକୱର୍ଥ-ଲୁଇସ୍ ପଦ୍ଧତି ମୁତାବକ ଦକ୍ଷିଣ ଆଫ୍ରିକା ପାଇଁ ବିଜୟ ଲକ୍ଷ୍ୟ ୧୭ ଓଭରରେ ୧୨୩ ରନ୍ ଧାର୍ଯ୍ୟ ହୋଇଥିଲା। ଏହି ପୁନଃ ନିର୍ଦ୍ଧାରିତ ଟାର୍ଗେଟକୁ ଦକ୍ଷିଣ ଆଫ୍ରିକା ୭ ୱିକେଟ୍ ବିନିମୟରେ ୧୬.୧ ଓଭରରେ ହାସଲ କରିନେଇଥିଲା । ଦଳ ନିଜ ତିନୋଟି ଯାକ ସୁପର ୮ ମ୍ୟାଚ୍ ଜିତି ଗ୍ରୁପ୍-୨ ଶୀର୍ଷରେ ରହି ସେମିଫାଇନାଲରେ ପ୍ରବେଶ କରିଛି । ଏହି ଗ୍ରୁପରୁ ଦ୍ୱିତୀୟ ଦଳ ଭାବେ ଇଂଲଣ୍ଡ ପୂର୍ବରୁ ସେମିଫାଇନାଲରେ ପହଞ୍ଚି ସାରିଛି । ଇଂଲଣ୍ଡ ୪ ପଏଣ୍ଟ ସହ ଏହି ଗ୍ରୁପରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ଇଂଲଣ୍ଡ ରବିବାର ଅନ୍ୟତମ ସହ ଆୟୋଜକ ଆମେରିକାକୁ ୧୦ ୱିକେଟରେ ପରାସ୍ତ କରି ଶେଷ-୪ରେ ସ୍ଥାନ ନିଶ୍ଚିତ କରିଥିଲା।

Exit mobile version