Site icon ଆଜିକାଲି

ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ : ଭାରତୀୟ ଦଳରେ ସାମିଲ ହେଲେ ମହମ୍ମଦ ସିରାଜ

ନୂଆଦିଲ୍ଲୀ: ପିଠି ଆଘାତ ଯୋଗୁଁ ଷ୍ଟାର୍ ଦ୍ରୁତ ବୋଲର ଯସପ୍ରୀତ ବୁମ୍ରା ଦକ୍ଷିଣ ଆଫ୍ରିକା ବିପକ୍ଷ ଚଳିତ ଟି -୨୦ ସିରିଜରୁ ବାଦ୍ ପଡିଛନ୍ତି। ପିଠି ଯନ୍ତ୍ରଣା ନେଇ ଅଭିଯୋଗ ପରେ ସେ ପ୍ରଥମ ମ୍ୟାଚ୍ ଖେଳିପାରିନଥିଲେ। ଏହି ସିରିଜର ଅବଶିଷ୍ଟ ଦୁଇଟି ମ୍ୟାଚ୍ ପାଇଁ ବୁମରାଙ୍କ ସ୍ଥାନରେ ମହମ୍ମଦ ସିରାଜଙ୍କୁ ଦଳରେ ସାମିଲ କରାଯାଇଛି ।

ଏହାପୂର୍ବରୁ ବିସିସିଆଇ ସୂତ୍ରରୁ କୁହାଯାଇଥିଲା ଯେ ବୁମରା ଟି -୨୦ ବିଶ୍ୱକପରୁ ବି ବାଦ୍ ପଡିଛନ୍ତି। ତେବେ ଏନେଇ ବିସିସିଆଇରୁ ଏପର୍ଯ୍ୟନ୍ତ କୌଣସି ଔପଚାରିକ ଘୋଷଣା କରାଯାଇ ନାହିଁ। ଉଲ୍ଲେଖଯୋଗ୍ୟ ଯେ ଏସିଆ କପରୁ ବିଶ୍ରାମ ପରେ ବୁମ୍ରା ଅଷ୍ଟ୍ରେଲିଆ ବିପକ୍ଷ ଟି -୨୦ ସିରିଜରୁ ପ୍ରତ୍ୟାବର୍ତ୍ତନ କରିଥିଲେ। ସେ ମୋହଲିରେ ଏହି ସିରିଜର ପ୍ରଥମ ମ୍ୟାଚ ଖେଳି ନଥିଲେ। ଦ୍ୱିତୀୟ ଏବଂ ତୃତୀୟ ମ୍ୟାଚ୍‌ରେ ବୁମରା ପଡ଼ିଆକୁ ଓହ୍ଲାଇଥିଲେ। କିନ୍ତୁ ସେଭଳି ପ୍ରଭାବୀ ପ୍ରଦର୍ଶନ କରିପାରିନଥିଲେ | ସେ ୨ଟି ମ୍ୟାଚରେ ମାତ୍ର ଗୋଟିଏ ୱିକେଟ୍ ନେଇଥିଲେ।

ସିରାଜ ଶେଷ ଥର ପାଇଁ ଫେବୃଆରୀରେ ଧର୍ମଶାଳାରେ ଶ୍ରୀଲଙ୍କା ବିପକ୍ଷରେ ଟି-୨୦ ଅନ୍ତର୍ଜାତୀୟ ଖେଳିଥିଲେ। ସେ ୧୦.୪୫ ହାରରେ ୫ଟି ଟି-୨୦ରେ ପାଞ୍ଚଟି ୱିକେଟ୍ ନେଇଛନ୍ତି। ଟି-୨୦ ବିଶ୍ୱକପ ପାଇଁ ମନୋନୀତ ଭାରତୀୟ ଦଳରେ ସିରାଜଙ୍କୁ ରିଜର୍ଭ ଖେଳାଳି ଭାବରେ ମଧ୍ୟ ସାମିଲ କରାଯାଇ ନାହିଁ। ଚୟନକର୍ତ୍ତାମାନେ ବିଶ୍ବକପ୍ ପାଇଁ ମହମ୍ମଦ ଶାମି ଏବଂ ଦୀପକ ଚହରଙ୍କୁ ଷ୍ଟାଣ୍ଡବାଇ ଖେଳାଳି ଭାବେ ରଖିଛନ୍ତି। ବୁମରା ଟି-୨୦ ବିଶ୍ୱକପରୁ ବାଦ୍ ପଡିଲେ ସିରାଜ ରିଜର୍ଭ ଖେଳାଳି ଭାବରେ ଅଷ୍ଟ୍ରେଲିଆ ଯିବେ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

Exit mobile version