Site icon ଆଜିକାଲି

ଟି-୨୦ ବିଶ୍ୱକପ୍‌ : ହାଇ ଭୋଲ୍‌ଟେଜ୍‌ ମୁକାବିଲାରେ ଟସ୍ ଜିତି ଭାରତର ବୋଲିଂ ନିଷ୍ପତ୍ତି

ମେଲବୋର୍ଣ୍ଣ : ଆଜି ମେଲବର୍ଣ୍ଣରେ ଭାରତ ଓ ପାକିସ୍ତାନ ମଧ୍ୟରେ ଟି-୨୦ ବିଶ୍ବକପ୍‌ର ହାଇ ଭୋଲ୍‌ଟେଜ୍‌ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌କୁ ସାରା ବିଶ୍ବ ନଜର ରଖିଥିଲା ବେଳେ କ୍ରିକେଟ୍‌ ଉ‌ଷ୍ମତା ମଧ୍ୟ ବଢ଼ିବାରେ ଲାଗିଛି। ମ୍ୟାଚକୁ ନେଇ ପଡିଆ ଭିତରେ ଯେତିକି ଉତ୍କଣ୍ଠା, ପଡିଆ ବାହାରେ ସେତିକି। ଗତ ବିଶ୍ଵ କପ୍ ପରାଜୟର ପ୍ରତିଶୋଧ ନେବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ ରୋହିତ ଶର୍ମାଙ୍କ ନେତୃତ୍ଵାଧୀନ ଭାରତୀୟ ଦଳ। ମଇଦାନକୁ ଓହ୍ଲାଇବାକୁ ଉଭୟ ଭାରତ ଏବଂ ପାକିସ୍ତାନ ଖେଳାଳି ପ୍ରସ୍ତୁତ ରହିଛନ୍ତି । ହାଇଭୋଲଟେଜ୍ ମୁକାବିଲାରେ ଟସ୍ ଜିତି ଭାରତ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି।

ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବରେ ଭାରତ ୨୦୦୭ରେ ପାକିସ୍ତାନକୁ ହରାଇ ପ୍ରଥମ ଥର ବିଶ୍ବବିଜେତା ହୋଇଥିଲା। କିନ୍ତୁ ୧୫ ବର୍ଷ ହେଲାଣି ଏହି ସ୍ବାଦ ଭାରତ ଚାଖିନି। କେବଳ ଏତିକି ନୁହେଁ, ପାକିସ୍ତାନ ବିପକ୍ଷରେ ଭାରତର ଅପରାଜେୟ ଧାରା ମଧ୍ୟ ଗତ ବିଶ୍ବକପ୍‌ରେ ଭାଙ୍ଗିଥିଲା। ଦୁବାଇରେ ପରାଜୟ ଯୋଗୁ ଭାରତୀୟ ଖେଳାଳି ଘାଇଲା ଥିବା ବେଳେ ମେଲବର୍ଣ୍ଣରେ ତାହାର ପ୍ରତିଶୋଧ ନେବାକୁ ଆଗ୍ରହୀ। ଅନ୍ୟପକ୍ଷରେ ପାକିସ୍ତାନ ପରାଜୟ ଧାରା ଭାଙ୍ଗି ବିଜୟ ଅଭିଯାନକୁ ଫେରିଥିବାରୁ ବାବର ଆଜମ୍‌ ରବିବାର ମଧ୍ୟ ଜିତିବାକୁ ସବୁପ୍ରକାର ଉଦ୍ୟମ କରିବେ। ଯଦିଓ ପାକିସ୍ଥାନର ପ୍ରାରମ୍ଭିକ ଯୋଡ଼ି ଚିନ୍ତାଜନକ ରହିଛି, ତଥାପି ରିଜୱାନ୍‌ଙ୍କ ଉପରେ ଦଳ ଅଧିକ ଭରସା ରଖୁଛି।

ଗତ ଟି-୨୦ ବିଶ୍ୱକପ୍‌ରେ ପାକିସ୍ତାନ ଠାରୁ ପରାଜିତ ହେବା ପରେ ଭାରତୀୟ ଦଳରେ ଅନେକ ପରିବର୍ତ୍ତନ ହୋଇଛି । ବିରାଟ କୋହଲି ଅଧିନାୟକ ନାହାନ୍ତି । ସୂର୍ଯ୍ୟକୁମାର ଯାଦବ ପ୍ରମୁଖ ବ୍ୟାଟର ଭାବେ ଉଭା ହୋଇଛନ୍ତି । ବୋଲିଂ ବିଭାଗ ଅସନ୍ତୁଳିତ । ଜଶପ୍ରୀତ ବୁମରା ନାହାନ୍ତି । ଏଭଳି ଅନେକ ପରିବର୍ତ୍ତନ ମଧ୍ୟରେ ରୋହିତ ଶର୍ମା ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଗତ ବର୍ଷ ଦୁବାଇରେ ଖେଳାଯାଇଥିବା ଟି-୨୦ ୱାର୍ଲଡ୍ କପ୍‌ରେ ପରସ୍ପରକୁ ଭେଟିଥିଲେ ଭାରତ-ପାକିସ୍ତାନ । ପ୍ରଥମେ ବ୍ୟାଟିଂ କରି ଭାରତ ୭ ୱିକେଟ ହରାଇ କରିଥିଲା ୧୫୧ ରନ୍ । ହେଲେ ଏଥର କିନ୍ତୁ ପାକିସ୍ତାନ କିଛି ଅଲଗା ମୁଡରେ ଥିଲା । ପାକିସ୍ତାନ ବ୍ୟାଟସମ୍ୟାନ୍ କୌଣସି କ୍ଷତି ହେବାକୁ ନଦେଇ ଅତି ସହଜରେ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ଯାଇଥିଲେ । ପୁରା ୧୦ ୱିକେଟରେ ଭାରତ ଠାରୁ ମ୍ୟାଚ୍ କାଢିନେଇଥିଲା ପାକିସ୍ତାନ । ଆଉ ଏହା ଥିଲା ବିଶ୍ବକପ୍‌ରେ ଭାରତ ବିପକ୍ଷରେ ପାକିସ୍ତାନର ପ୍ରଥମ ବିଜୟ।

ଆକ୍ଵ୍ୟ ଓ୍ଵେଦର ଅନୁଯାୟୀ, ପଡିଆରେ ଆଜି ପୂରା ଦିନ ବାଦଲ ଛାଇ ରହିବ। ବର୍ଷାର ସମ୍ଭାବନା ୪୦% ରହିପାରେ। କ୍ରିକେଟ୍ ପ୍ରେମୀଙ୍କ ପାଇଁ ଆଶ୍ଵସ୍ତିକର ଖବର ଗତ ଦିନ ତୁଳନାରେ ମେଲବୋର୍ଣ୍ଣ ପାଣିପାଗରେ ବହୁତ ସୁଧାର ହୋଇଛି। ତେଣୁ ଆଶା କରାଯାଉଛି ଆଜି କ୍ରିକେଟ୍‌ପ୍ରେମୀଙ୍କୁ ଭାରତ ବନାମ ପାକିସ୍ତାନ ମୁକାବିଲା ଦେଖିବାକୁ ମିଳିପାରେ। ଶନିବାର ସକାଳୁ ଏ ପର୍ଯ୍ୟନ୍ତ ମେଲବୋର୍ଣ୍ଣରେ ବର୍ଷା ହୋଇ ନାହିଁ। ତେଣୁ ଆଜି ମ୍ୟାଚ୍ ଖେଳାଯିବାର ପୂରା ସମ୍ଭାବନା ରହିଛି। ମ୍ୟାଚ୍ ସମୟରେ ବାଦଲ ଛାଇ ରହିବାରୁ ଦ୍ରୁତ ବୋଲରଙ୍କୁ ପିଚ୍‌ରୁ ସହାୟତା ମିଳିବାର ସମ୍ଭାବନା ଅଧିକ ରହିଛି।

ଭାରତ :
ରୋହିତ ଶର୍ମା(ଅଧିନାୟକ), କେ ଏଲ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଦିନେଶ କାର୍ତ୍ତିକ, ଅକ୍ଷର ପଟେଲ, ରବିଚନ୍ଦ୍ରନ ଅଶ୍ଵିନ, ଭୁବନେଶ୍ୱର କୁମାର, ମହମ୍ମଦ ଶାମି, ଅର୍ଶଦୀପ ସିଂହ।

ପାକିସ୍ତାନ :
ମହମ୍ମଦ ରିଜୱାନ, ବାବର ଆଜମ(ଅଧିନାୟକ), ସାନ ମାସୁଦ, ହାଇଦର ଅଲି, ଇଫତିଖର ଅହମ୍ମଦ, ଆସିଫ ଅଲି, ମହମ୍ମଦ ନୱାଜ, ଶଦାବ ଖାନ, ନସିମ ଶାହ, ଶାହିନ ଆଫ୍ରିଦି, ହ୍ୟାରିସ ରୌଫ ।

FacebookTwitterLinkedinWhatsapp
Exit mobile version