Site icon ଆଜିକାଲି

ଟି-୨୦ ବ୍ୟାଟିଂ ମାନ୍ୟତା : ଶୀର୍ଷ ସ୍ଥାନ ବଜାୟ ରଖିଲେ ସୂର୍ଯ୍ୟକୁମାର

ଦୁବାଇ : ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ତରଫରୁ ଟି-୨୦ ବ୍ୟାଟିଂ ମାନ୍ୟତା ପ୍ରକାଶ ପାଇଛି। ଏଥିରେ ଭାରତୀୟ ଦଳର ତାରକା ବ୍ୟାଟର୍‌ ସୁର୍ଯ୍ୟକୁମାର ଯାଦବ ଶୀର୍ଷ ସ୍ଥାନ ବଜାୟ ରଖିଥିବା ବେଳେ ଓପ୍‌ନର କେଏଲ୍‌ ରାହୁଲ ୫ ସ୍ଥାନ ଉପରକୁ ଉଠିଛନ୍ତି। ଚଳିତ ବିଶ୍ବକପ୍‌ରେ ଚମତ୍କାର ପ୍ରଦର୍ଶନ ପାଇଁ ସୂର୍ଯ୍ୟ ଶୀର୍ଷରେ ସ୍ଥିର ରହିଥିଲା ବେଳେ ଦୁଇଟି ଅର୍ଦ୍ଧଶତକୀୟ ପାଳି ଖେଳିଥିବା ରାହୁଲ ୧୬ତମ ସ୍ଥାନରେ ପହଞ୍ଚିଛନ୍ତି। ସେହିପରି ବୋଲରଙ୍କ ମଧ୍ୟରେ ଭାରତର ଅର୍ଶଦୀପ ସିଂହ ମଧ୍ୟ ୪ ସ୍ଥାନ ଉଠି କ୍ୟାରିୟର ଶ୍ରେଷ୍ଠ ୨୩ରେ ପହଞ୍ଚିଛନ୍ତି। ସେ ଏବେ ପାକିସ୍ତାନ ଦ୍ରୁତ ବୋଲର ସାହିନ ଆଫ୍ରିଦିଙ୍କ ପଛକୁ ରହିଛନ୍ତି।

ଅଷ୍ଟ୍ରେଲିଆ​ରେ‌ ଖେଳାଯାଉଥିବା ଟି-୨୦ ବିଶ୍ବକପ୍‌ରେ ସୂର୍ଯ୍ୟକୁମାର ଚମତ୍କାର ପ୍ରଦର୍ଶନ କରି ଆସୁଛନ୍ତି। ସେ ବର୍ତ୍ତମାନ ସୁଦ୍ଧା ୫ଟି ମ୍ୟାଚ୍‌ରୁ ୨୨୫ ରନ୍‌ ସଂଗ୍ରହ କରିଛନ୍ତି। ତାଙ୍କର ଷ୍ଟ୍ରାଇକ୍‌ ରେଟ୍‌ ୨୦୦ ପାଖାପାଖି ରହିଛି। ଟି-୨୦ ବ୍ୟାଟିଂ ମାନ୍ୟତାରେ ସୂର୍ଯ୍ୟକୁମାର ୮୬୯ ପଏଣ୍ଟ ସହ ଶୀର୍ଷ ସ୍ଥାନରେ ରହିଛନ୍ତି। ଦ୍ବିତୀୟ ସ୍ଥାନରେ ପାକିସ୍ତାନର ମହମ୍ମଦ ରିଜୱାନ୍‌(୮୩୦) ରହିଛନ୍ତି। ତୃତୀୟ ସ୍ଥାନରେ ନ୍ୟୁଜିଲାଣ୍ଡର ଡେଭନ କନ୍‌ୱେ (୭୭୮), ଚତୁର୍ଥ ସ୍ଥାନରେ ପାକିସ୍ତାନ ଦଳର ଅଧିନାୟକ ବାବର ଆଜମ୍‌ (୭୬୨) ମାନ୍ୟତାର ରହିଥିବା ବେଳେ ଦକ୍ଷିଣ ଆଫ୍ରିକାର ଐଦେନ ମାର୍‌କ୍ରମ (୭୪୮) ପଞ୍ଚମ ସ୍ଥାନରେ ରହିଛନ୍ତି। ଅନ୍ୟପକ୍ଷରେ ବାଂଲାଦେଶ ଓ ଜିମ୍ବାୱେ ବିପକ୍ଷରେ ଅର୍ଦ୍ଧଶତକ ହାସଲ କରିଥିବା ଭାରତୀୟ ଦଳର ଉପଅଧିନାୟକ କେଏଲ୍‌ ରାହୁଲ ମାନ୍ୟତାରେ ୫ଟି ସ୍ଥାନ ଉପରକୁ ଉଠି ୧୬ନଂରେ ରହିଥିବା ବେଳେ ତାରକା ବ୍ୟାଟସମ୍ୟାନ୍‌ ବିରାଟ କୋହଲି ୧୧ ଓ ଅଧିନାୟକ ରୋହିତ ଶର୍ମା ୧୮ନଂରେ ରହିଛନ୍ତି।

ସେହିପରି ବୋଲିଂ ମାନ୍ୟତାର ଶ୍ରେଷ୍ଠ ୫ ମଧ୍ୟରୁ ଶ୍ରୀଲଙ୍କାର ୱାନିନ୍ଦୁ ହସରଙ୍ଗା (୭୦୪) ଶୀର୍ଷରେ ରହିଥିଲା ବେଳେ ଆଫ୍‌ଗାନିସ୍ତାନର ରସିଦ ଖାନ୍‌ (୬୯୮), ଅଷ୍ଟ୍ରେଲିଆର ଜୋସ୍‌ ହାଜେଲଉଡ୍‌ (୬୯୦), ଦକ୍ଷିଣ ଆଫ୍ରିକାର ତାବ୍ରେଜ୍‌ ସାମ୍‌ସୀ (୬୮୧) ଓ ଅଷ୍ଟ୍ରେଲୀୟ ସ୍ପିନର ଆଦାମ ଜାମ୍ପା (୬୭୮) ପଛକୁ ପଛ ରହିଛନ୍ତି। ଭାରତୀୟ ଦ୍ରୁତ ବୋଲର ଅର୍ଶଦୀପ ସିଂହ ୪ଟି ସ୍ଥାନ ଉପରକୁ ଉଠି ୨୩ନଂରେ ରହିଛନ୍ତି। ପାକିସ୍ତାନର ଦ୍ରୁତ ବୋଲର ସାହିନ ଶାହା ଆଫ୍ରିଦି ୨୨ନଂରେ ରହିଛନ୍ତି। ବରିଷ୍ଠ ଭାରତୀୟ ସ୍ପିନର ରବିଚନ୍ଦ୍ରନ୍‌ ଅଶ୍ବିନ ମାନ୍ୟତାରେ ୫ଟି ସ୍ଥାନ ଉପରକୁ ଉଠି ୧୩ନଂରେ ରହିଛନ୍ତି। ଶ୍ରୀଲଙ୍କାର ସ୍ପିନର ୱାନିଡୁ ହସରଙ୍ଗା ବୋଲିଂ ମାନ୍ୟତାର ଶୀର୍ଷ ସ୍ଥାନରେ ରହିଛନ୍ତି। ଟ୍ବେଣ୍ଟି୨୦ ବିଶ୍ବକପ୍‌ରେ ସେ ୧୫ଟି ୱିକେଟ୍‌ ହାସଲ କରିଥିଲେ। ଇଂଲଣ୍ଡର ଆଦିଲ ରସିଦ୍‌ ମାନ୍ୟତାର ୮ମ ସ୍ଥାନରେ ରହିଥିବା ବେଳେ ସାମ କରନ୍‌ ୭ମ ସ୍ଥାନରେ ରହିଛନ୍ତି। ଅଲରାଉଣ୍ଡର ମାନ୍ୟତାରେ ଜିମ୍ବାୱେର ସେନ୍‌ ୱିଲିୟମ୍‌ସ ଶ୍ରେଷ୍ଠ ୧୦ଜଣଙ୍କ ମଧ୍ୟରେ ସ୍ଥାନ ପାଇଥିବା ବେଳେ ପାକିସ୍ତାନର ସାଦାବ୍‌ ଖାନ୍‌ ୧୦ଟି ସ୍ଥାନ ଉପରକୁ ଉଠି ୧୫ନଂରେ ରହିଛନ୍ତି।

Exit mobile version