Site icon ଆଜିକାଲି

ଇଡିକୁ ଆହୁରି ବଳ ଦେଲେ ସୁପ୍ରିମକୋର୍ଟ, ଏଣିକି ଲାଞ୍ଚ ନେବା ମନି ଲଣ୍ଡରିଂ ଆଇନ ଅଧୀନରେ ଅପରାଧ ଧରାଯିବ

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ଆହୁରି କ୍ଷମତା ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ । ଏଣିକି ଲାଞ୍ଚ କାରବାର ମଧ୍ୟ ମନିଂ ଲଣ୍ଡରିଂ ଅପରାଧ ଭାବେ ଧରାଯିବ। ଏପରି ମାମଲାରେ ମନି ଲଣ୍ଡରିଂ ଆକ୍ଟ ଅଧୀନରେ ଇଡି କାର୍ଯ୍ୟାନୁଷ୍ଠାନ ନେଇପାରିବ ବୋଲି ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ କହିଛନ୍ତି ସୁପ୍ରିମକୋର୍ଟ | ବର୍ତ୍ତମାନ ସୁଦ୍ଧା ଦୁର୍ନୀତି ମାମଲାରେ ଦୁର୍ନୀତି ନିବାରଣ ଆଇନ, ୧୯୮୮ର ଧାରା ୭ ଅନୁଯାୟୀ ସରକାରୀ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।

ଡିଏମକେ ବିଧାୟକ ତଥା ତାମିଲନାଡୁର ମନ୍ତ୍ରୀ ସେନ୍ଥିଲ ବାଲାଜୀଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲାର ଶୁଣାଣି କରି ଜଷ୍ଟିସ କ୍ରିଷ୍ଣା ମୁରାରୀ ଓ ଜଷ୍ଟିସ ଭି ରାମାସୁବ୍ରମଣ୍ୟମଙ୍କ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି। ୨୦୧୧-୧୫ ମଧ୍ୟରେ ରାଜ୍ୟ ପରିବହନ ନିଗମରେ ନିଯୁକ୍ତି ମାମଲାରେ ଲାଞ୍ଚ କାରବାର ଅଭିଯୋଗ ହୋଇଛି। ଚାକିରି ଆଶାୟୀଙ୍କ ଠାରୁ ଲାଞ୍ଚ ନିଆଯାଇଥିଲା | ସୁପ୍ରିମକୋର୍ଟ ମଧ୍ୟ ଏହି ମାମଲାରେ ପୁନଃ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାରେ ମାଡ୍ରାସ ହାଇକୋର୍ଟ ସେନ୍ଥିଲଙ୍କ ବିରୋଧରେ ଇଡି ତଦନ୍ତ ଉପରେ ରୋକ୍ ଲଗାଇଥିଲେ। ହାଇକୋର୍ଟଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା।

ଜଷ୍ଟିସ୍ ରାମାସୁବ୍ରମଣ୍ୟମ୍ ଏହି ରାୟରେ ଲେଖିଛନ୍ତି ଯେ ଯଦି କୌଣସି ସରକାରୀ କର୍ମଚାରୀ ଲାଞ୍ଚ ନିଅନ୍ତି ତେବେ ସେ ଏକ ଗୁରୁତର ଅପରାଧ କରନ୍ତି। ଜଷ୍ଟିସ୍ ରାମାସୁବ୍ରମଣ୍ୟମ୍ କହିଥିଲେ ଯେ ମନି ଲଣ୍ଡରିଂ ଆଇନର ସେକ୍ସନ-୩ ଅନୁଯାୟୀ ୬ ପ୍ରକାରର ଅପରାଧ ଦଣ୍ଡନୀୟ । ସେଥିମଧ୍ୟରୁ ଲାଞ୍ଚ କାରବାର (ସରକାରୀ କର୍ମଚାରୀଙ୍କ କ୍ଷେତ୍ରରେ) ଅନ୍ୟତମ । ଏଭଳି ମାମଲାରେ ମନି ଲଣ୍ଡରିଂ ଆକ୍ଟ ଅନୁଯାୟୀ ଆକ୍ସନ ନିଆଯାଇପାରିବ ।

Exit mobile version