Site icon ଆଜିକାଲି

ଟ୍ୟାଙ୍କ ବ୍ୟାରେଲ ବିସ୍ଫୋରଣ: ୨ ଯବାନ ମୃତ, ଜଣେ ଗୁରୁତର


ଝାନ୍ସି : ଝାନ୍ସିରେ ଟି-୯୦ ଟ୍ୟାଙ୍କର ବ୍ୟାରେଲ ବିସ୍ଫୋରଣ ହୋଇ ୨ ଜଣ ଭାରତୀୟ ସେନାର ଯବାନଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ଗୁରୁବାର ଦିନ ଝାନ୍ସିର ବବିନା କ୍ୟାଣ୍ଟନମେଣ୍ଟ ଅଞ୍ଚଳରେ ସାମରୀକ ପ୍ରଶିକ୍ଷଣ ସମୟରେ ଏହି ଦୁର୍ଘଟଣା ଘଟିଥିଲା। ମୃତ୍ୟୁ ଘଟିଥିବା ୨ ଜଣ ଯବାନ ଜେସିଓ ରାଙ୍କର ଥିଲେ ବୋଲି ଜଣାପଡ଼ିଛି। ତେବେ କାହିଁକି ଏଭଳି ଘଟଣା ଘଟିଲା ତାହାର ତଦନ୍ତ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛି।

ସୂଚନା ଅନୁସାରେ ଅକ୍ଟୋବର ୬ ତାରିଖରେ ବବିନା ଫିଲ୍ଡରେ ଆୟୋଜିତ ବାର୍ଷିକ ଉତ୍ସବରେ ଏହି ଟ୍ୟାଙ୍କ ଭାଗନେଇଥିଲା। ବିସ୍ଫୋରଣ ସମୟରେ ଟ୍ୟାଙ୍କରେ ୩ ଜଣ ଯବାନ ଉପସ୍ଥିତ ଥିଲେ। ବିସ୍ଫୋରଣ ପରେ ଘଟଣାସ୍ଥଳରୁ ସେମାନଙ୍କୁ ତୁରନ୍ତ ମେଡ଼ିକାଲ ସହାୟତା ପ୍ରଦାନ ସହିତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ଏହି ଘଟଣାରେ ଉକ୍ତ ଟ୍ୟାଙ୍କର କମାଣ୍ଡର ଓ ଗନ ମ୍ୟାନ୍‌ ଅଧିକ ପୋଡିଜଳି ଯାଇଥିବାରୁ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ସେହିପରି ଟ୍ୟାଙ୍କର ଡ୍ରାଇଭର ଅବସ୍ଥା ଏବେ ବିପଦମୁକ୍ତ ଥିବା ମେଡ଼ିକାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଏନେଇ ଭାରତୀୟ ସେନା ତରଫରୁ ମୃତକଙ୍କ ପ୍ରତି ଶୋକପ୍ରକାଶ କରାଯାଇଛି।

Exit mobile version