Site icon ଆଜିକାଲି

ପ୍ରଥମ ଶ୍ରେଣୀ କ୍ରିକେଟରେ ଦ୍ରୁତତମ ତ୍ରିଶତକ ସହ ରେକର୍ଡ ବୁକରେ ତନ୍ମୟ ଅଗ୍ରୱାଲ

ନୂଆଦିଲ୍ଲୀ: ହାଇଦ୍ରାବାଦର ଖେଳାଳି ତନ୍ମୟ ଅଗ୍ରୱାଲ ପ୍ରଥମ ଶ୍ରେଣୀ କ୍ରିକେଟ ଇତିହାସରେ ଦ୍ରୁତତମ ତ୍ରିଶତକ ହାସଲ କରିବାର ରେକର୍ଡ କରିଛନ୍ତି | ତନ୍ମୟ ଅଗ୍ରୱାଲ ଅରୁଣାଚଳ ପ୍ରଦେଶ ବିପକ୍ଷ ରଣଜୀ ଟ୍ରଫି ମ୍ୟାଚ୍ (ଗ୍ରୁପ୍ ପ୍ଲେଟ୍)ରେ ମାତ୍ର ୧୪୭ ବଲରେ ତ୍ରିଶତକ ହାସଲ କରିଥିଲେ। ପ୍ରଥମ ଶ୍ରେଣୀ କ୍ରିକେଟରେ ଏହା ହେଉଛି ଦ୍ରୁତତମ ତ୍ରିଶତକ ।

ତନ୍ମୟ ଦକ୍ଷିଣ ଆଫ୍ରିକୀୟ ବ୍ୟାଟର ମାର୍କୋ ମରାଏସଙ୍କ ରେକର୍ଡ ଭାଙ୍ଗିଛନ୍ତି । ମରାଏସ ୨୦୧୭ରେ ଦକ୍ଷିଣ ଆଫ୍ରିକାର ଏକ ପ୍ରଥମ ଶ୍ରେଣୀ ମ୍ୟାଚରେ ୧୯୧ ବଲରେ ତ୍ରିଶତକ ଶତକ ହାସଲ କରିଥିଲେ |

ହାଇଦ୍ରାବାଦର ୨୮ ବର୍ଷୀୟ ବାମହାତୀ ଓପନିଂ ବ୍ୟାଟ୍ସମ୍ୟାନ୍ ତନ୍ମୟ ଅଗ୍ରୱାଲ ଷ୍ଟମ୍ପ ଅପସାରଣ ବେଳକୁ ୧୬୦ ବଲରେ ୩୨୩ ରନ୍ କରି ଅପରାଜିତ ଅଛନ୍ତି। ତାଙ୍କର ଏହି ଇନିଂସରେ ସେ ୩୩ଟି ଚୌକା ଓ ୨୧ଟି ଛକା ମାରିଥିଲେ । ତନ୍ମୟ ଅଗ୍ରୱାଲଙ୍କ ତ୍ରିଶତକ ସହାୟତାରେ ହାଇଦ୍ରାବାଦ ମାତ୍ର ୪୮ ଓଭରରେ ଗୋଟିଏ ୱିକେଟ୍ ହରାଇ ୫୨୯ ରନ୍ କରିଛି ।

ତନ୍ମୟ ମଧ୍ୟ ପ୍ରଥମ ଭାରତୀୟ କ୍ରିକେଟର ଭାବେ ଦ୍ରୁତତମ ଦ୍ୱିଶତକ ହାସଲ କରିବା ରେକର୍ଡ କରିଛନ୍ତି । ସେ ୧୧୯ ବଲରେ ଦ୍ୱିଶତକ ପୂରଣ କରିଥିଲେ।

ଏହାଛଡ଼ା ହାଇଦ୍ରାବାଦ ଜନ୍ମିତ ଏହି ବ୍ୟାଟ୍ସମ୍ୟାନ୍ ଗୋଟିଏ ଇନିଂସରେ ସର୍ବାଧିକ ଛକା ମାରିବାରେ ଇଶାନ କିଶନଙ୍କ ରେକର୍ଡ ଭାଙ୍ଗିଛନ୍ତି । ତନ୍ମୟ ତାଙ୍କ ତୋଫାନୀ ଇନିଂସରେ ମୋଟ ୨୧ଟି ଛକା ମାରିଥିଲେ। ପୂର୍ବରୁ କିଶନ ଗୋଟିଏ ଇନିଂସରେ ୧୪ଟି ଛକା ମାରିଥିଲେ ।

Exit mobile version