Site icon ଆଜିକାଲି

ପାକିସ୍ତାନର ଏହି ବଡ଼ ରେକର୍ଡ ଭାଙ୍ଗିଲା ଟିମ୍ ଇଣ୍ଡିଆ

ହରାରେ: ଜିମ୍ବାୱେ ଗସ୍ତରେ ଥିବା କେଏଲ ରାହୁଲଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଜୟଯାତ୍ରା ଜାରି ରଖିଛି । ପ୍ରଥମ ଦିନିକିଆକୁ ୧୦ ୱିକେଟରେ ଜିତିବା ପରେ ହରାରେ ସ୍ପୋର୍ଟ୍ସ କ୍ଲବରେ ଶନିବାର ଅନୁଷ୍ଠିତ ଦ୍ୱିତୀୟ ଦିନିକିଆରେ ମଧ୍ୟ ଭାରତ ୫ ୱିକେଟରେ ବିଜୟ ହାସଲ କରିଛି । ଏଥିସହ ଭାରତ ଅପରାଜେୟ ୨-୦ରେ ଅଗ୍ରଣୀ ହାସଲ ପୂର୍ବକ ତିନି ମ୍ୟାଚ୍ ବିଶିଷ୍ଟ ସିରିଜ୍ କବଜା କରିନେଇଛି ।

ହରାରେରେ ଏହା ଭାରତର କ୍ରମାଗତ ୧୧ତମ ବିଜୟ ଥିଲା । ଏଥିସହ ଗୋଟିଏ ନିର୍ଦ୍ଦିଷ୍ଟ ଗ୍ରାଉଣ୍ଡରେ କ୍ରମାଗତ ମ୍ୟାଚ୍ ଜିିତିବାରେ ଭାରତ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନର ଏକ ଦୀର୍ଘକାଳୀନ ରେକର୍ଡ ଭାଙ୍ଗିଛି । ଟିମ୍ ଇଣ୍ଡିଆ ପ୍ରଥମ ଦଳ ଭାବେ ଏହି ଗ୍ରାଉଣ୍ଡରେ କ୍ରମାଗତ ୧୧ଟି ଦିନିକିଆ ମ୍ୟାଚ୍ ଜିତିଛି । ହରାରେ ସ୍ପୋର୍ଟ କ୍ଲବରେ ଭାରତର ଏହି ବିଜୟ ଧାରା ୨୦୧୩ରୁ ଆରମ୍ଭ ହୋଇଥିଲା ଏବଂ ୮ ବର୍ଷ ଧରି ବଜାୟ ରହିଛି । ଏହି ଭେନ୍ୟୁରେ ଭାରତ ୨୦୦୩ରେ ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱରେ ଜିମ୍ବାୱେକୁ ୩-୦ରେ ମୂଳପୋଛ ବି କରିଥିଲା ।

ପାକିସ୍ତାନ ୧୯୯୦ରୁ ଶାରଜା କ୍ରିକେଟ୍ ଗ୍ରାଉଣ୍ଡରେ କ୍ରମାଗତ ୧୦ଟି ଦିନିକିଆ ମ୍ୟାଚ୍ ଜିତିଥିଲା । ପାକିସ୍ତାନର ଏହି ୩୨ ବର୍ଷର ରେକର୍ଡ ଏବେ ଭାରତ ଭାଙ୍ଗି ଦେଇଛି । ଗୋଟିଏ ଗ୍ରାଉଣ୍ଡରେ ଲଗାତାର ସର୍ବାଧିକ ସଂଖ୍ୟକ ମ୍ୟାଚ ଜିତିଥିବା ଦଳ ମାନଙ୍କ ମଧ୍ୟରେ ୱେଷ୍ଟଇଣ୍ଡିଜ୍ ତୃତୀୟ ସ୍ଥାନରେ ରହିଛି । ୱେଷ୍ଟଇଣ୍ଡିଜ୍ ୧୯୯୨ରୁ ୨୦୦୧ ମଧ୍ୟରେ ଅଷ୍ଟ୍ରେଲିଆରେ ବ୍ରିସବେନରେ କ୍ରମାଗତ ୯ଟି ମ୍ୟାଚ୍ ଜିତିଥିଲା ।
ଜିମ୍ବାୱେ ବିପକ୍ଷ ତୃତୀୟ ତଥା ଅନ୍ତିମ ଦିନିକିଆ ଅଗଷ୍ଟ ୨୨ରେ ହରାରେ ସ୍ପୋର୍ଟ୍ସ କ୍ଲବରେ ହିଁ ଖେଳାଯିବାକୁ ଥିବା ବେଳେ ଭାରତ ଏହି ଭେନ୍ୟୁରେ ନିଜ ବିଜୟ ଧାରାକୁ ପ୍ରଲମ୍ବିତ କରିବାକୁ ଚାହିଁବ ।

Exit mobile version