Site icon ଆଜିକାଲି

ତେଜିଲା ସୀମା ବିବାଦ: କର୍ଣ୍ଣାଟକର ବେଲଗାଭିରେ ମହାରାଷ୍ଟ୍ରର ଯାନବାହାନ ଉପରେ ପଥରମାଡ଼

ବେଙ୍ଗାଲୁରୁ: ମହାରାଷ୍ଟ୍ର ଓ କର୍ଣ୍ଣାଟକ ମଧ୍ୟରେ ସୀମା ବିବାଦ ତେଜିବାରେ ଲାଗିଛି । କର୍ଣ୍ଣାଟକର ବେଲଗାଭିରେ ମଙ୍ଗଳବାର ମହାରାଷ୍ଟ୍ରର ରେଜିଷ୍ଟ୍ରେସନ ପ୍ଲେଟ୍ ଲାଗିଥିବା ଯାନବାହାନ ଉପରେ ଆକ୍ରମଣ ହୋଇଛି । ବେଲଗାଭିର ହିରେବାଗେୱାଡି ଟୋଲ୍ ଗେଟରେ ‘କନ୍ନଡ ରକ୍ଷଣ ବେଦିକା’ ନାମକ ସଂଗଠନର କର୍ମୀମାନେ ମହାରାଷ୍ଟ୍ରର ଗାଡି ଉପରେ ଆକ୍ରମଣ କରିଛନ୍ତି । ସେମାନେ ମହାରାଷ୍ଟ୍ରର ଗାଡ଼ି ଗୁଡ଼ିକ ଉପରେ ପଥରମାଡ଼ କରିବା ସହ ବସ୍ ଏବଂ ଟ୍ରକର ଗ୍ଲାସ୍ ଭାଙ୍ଗି ନମ୍ବର ପ୍ଲେଟ୍ ଗୁଡିକୁ କାଢ଼ି ନେଇଥିଲେ । ବସ୍ ଏବଂ ଟ୍ରକ୍ ଛାତ ଉପରେ ଏହି ସଂଗଠନର କର୍ମୀମାନେ ନିଜ ପତାକା ଲଗାଇଥିଲେ । ଏହି ଘଟଣା ପରେ ସଂଗଠନର ମୁଖ୍ୟ ନାରାୟଣ ଗୌଡାଙ୍କ ସମେତ କିଛି କାର୍ଯ୍ୟକର୍ତ୍ତାଙ୍କୁ ପୋଲିସ ଗିରଫ କରିଛି । ଏହି କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ବହୁ ସଂଖ୍ୟକ ମହିଳା ମଧ୍ୟ ସାମିଲ ଥିଲେ |

‘କନ୍ନଡ ରକ୍ଷଣ ବେଦିକା’ କାର୍ଯ୍ୟକର୍ତ୍ତାମାନେ ଅତି କମରେ ୫ଟି ଗାଡି ଭଙ୍ଗାରୁଜା କରିଥିଲେ। ସେମାନେ ମହାରାଷ୍ଟ୍ରରୁ ଆସୁଥିବା ଯାନବାହାନକୁ ଯିବାକୁ ଦେବେ ନାହିଁ ବୋଲି ଧମକ ଦେଇଥିଲେ। ଏହି ଗାଡ଼ି ଗୁଡ଼ିକ ପୁଣେରୁ ବାଙ୍ଗାଲୋର ଅଭିମୁଖେ ଯାଉଥିଲା | ଗିରଫ ହେବା ପୂର୍ବରୁ ନାରାୟଣ ଗୌଡା ପାଟି କରି କହିଥିଲେ ଯେ ବେଲାଗାଭି (ବେଲଗାମ) କର୍ଣ୍ଣାଟକର ଏକ ଅବିଚ୍ଛେଦ୍ୟ ଅଙ୍ଗ। ‘କନ୍ନଡ ରକ୍ଷଣ ବେଦିକା’ ଏବଂ ମହାରାଷ୍ଟ୍ର ଏକୀକରଣ କମିଟିର କାର୍ଯ୍ୟକର୍ତ୍ତା ମାନଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ବିବାଦ ଲାଗି ରହିଛି ।

ସୂଚନାଯୋଗ୍ୟ, ଉଭୟ ମହାରାଷ୍ଟ୍ର ଏବଂ କର୍ଣ୍ଣାଟକରେ ବିଜେପି ସରକାର ଥିଲେ ମଧ୍ୟ ଦୁଇ ରାଜ୍ୟ ମଧ୍ୟରେ ସୀମା ବିବାଦ ଉଗ୍ରରୂପ ନେଇଛି । ରାଜ୍ୟର ଗାଡ଼ି ଗୁଡ଼ିକ ଉପରେ ଆକ୍ରମଣ ଘଟଣା ପରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମ୍ମାଇଙ୍କ ସହ ଫୋନରେ କଥା ହୋଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ମହାରାଷ୍ଟ୍ରରୁ ଆସୁଥିବା ଯାନଗୁଡିକୁ ସୁରକ୍ଷା ଯୋଗାଇବା ସହ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଫଡନାଭିସଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ।

Exit mobile version