Site icon ଆଜିକାଲି

ରାଜ୍ୟପାଳ ସୌନ୍ଦରାଜନଙ୍କ ବିରୋଧରେ ସୁପ୍ରିମକୋର୍ଟର ଦ୍ବାରସ୍ଥ ହେଲେ ତେଲେଙ୍ଗାନା ସରକାର

ହାଇଦ୍ରାବାଦ: ରାଜ୍ୟପାଳ ତାମିଲାଇସାଇ ସୌନ୍ଦରାଜନଙ୍କ ବିରୋଧରେ ସୁପ୍ରିମକୋର୍ଟର ଦ୍ବାରସ୍ଥ ହେଲେ ତେଲେଙ୍ଗାନା ସରକାର । ବିଧାନସଭାରେ ଗୃହୀତ ବିଲ୍ ଗୁଡ଼ିକୁ ଅନୁମୋଦନ କରିବାକୁ ରାଜ୍ୟପାଳ ଜାଣିଶୁଣି ବିଳମ୍ବ କରୁଛନ୍ତି । ବିଚାରାଧୀନ ବିଲ୍ ଗୁଡ଼ିକୁ ଶୀଘ୍ର ମଞ୍ଜୁରି ପାଇଁ ରାଜ୍ୟପାଳ ତାମିଲାଇସାଇ ସୌନ୍ଦରାଜନଙ୍କୁ କୋର୍ଟ ନିର୍ଦ୍ଦେଶ ଦିଅନ୍ତୁ ବୋଲି ତେଲେଙ୍ଗାନା ସରକାର ଆବେଦନରେ କହିଛନ୍ତି ।

ସୁପ୍ରିମକୋର୍ଟରେ ଦାଖଲ ଆବେଦନରେ କେସିଆର ସରକାର କହିଛନ୍ତି ଯେ ବିଧାନସଭାରେ ପାରିତ ହୋଇଥିବା ମୋଟ ୧୦ଟି ବିଲରେ ରାଜ୍ୟପାଳଙ୍କ ଦସ୍ତଖତ ଆବଶ୍ୟକ । ସେଥିମଧ୍ୟରୁ ସେପ୍ଟେମ୍ବର ୨୦୨୨ ପରଠାରୁ ୭ଟି ବିଲ୍ ବିଚାରାଧୀନ ଥିବାବେଳେ ଆଉ ତିନୋଟି ବିଲକୁ ଗତ ମାସରେ ତାଙ୍କ ଅନୁମୋଦନ ପାଇଁ ପଠାଯାଇଛି | ଏହି ଆବେଦନରେ ତେଲେଙ୍ଗାନା ସରକାର ରାଜ୍ୟପାଳଙ୍କ ସଚିବ ତଥା କେନ୍ଦ୍ର ଆଇନ ମନ୍ତ୍ରଣାଳୟକୁ ପକ୍ଷଭୁକ୍ତ କରିଛନ୍ତି ।

ଏହା ପୂର୍ବରୁ ମଧ୍ୟ ଗତ ମାସରେ ରାଜ୍ୟ ସରକାର ୨୦୨୩-୨୪ ବଜେଟକୁ ରାଜ୍ୟପାଳ ଅନୁମୋଦନ ନ କରିବା ନେଇ ତେଲେଙ୍ଗାନା ହାଇକୋର୍ଟ ଯାଇଥିଲେ । ତେବେ କୌଣସି ଆଦେଶ ଦେବା ପରିବର୍ତ୍ତେ ହାଇକୋର୍ଟ ଉଭୟ ପକ୍ଷକୁ ଏହି ମାମଲାର ଆପୋଷ ସମାଧାନ କରିବାକୁ କହିଥିଲେ । ବିଲ୍ ଅନୁମୋଦନ କରୁନାହାନ୍ତି ବୋଲି ରାଜ୍ୟ ସରକାରଙ୍କ ଅଭିଯୋଗକୁ ରାଜଭବନ ପକ୍ଷରୁ ଗତ ନଭେମ୍ବରରେ ଖଣ୍ଡନ କରାଯାଇଥିଲା । ରାଜଭବନ ତରଫରୁ ଜାରି ଏକ ବିବୃତ୍ତିରେ ଔପଚାରିକ ସାକ୍ଷାତକାର ପାଇଁ ନବ ନିଯୁକ୍ତ ମୁଖ୍ୟ ଶାସନ ସଚିବ ଶାନ୍ତି କୁମାରୀ ରାଜଭବନକୁ ଆସୁନଥିବାରୁ ସମାଲୋଚନା କରାଯାଇଥିଲା ।

Exit mobile version