Site icon ଆଜିକାଲି

ତେଲେଙ୍ଗାନା ରାଜ୍ୟପାଳ ତାମିଲିସାଇ ସୌନ୍ଦରାଜନଙ୍କ ଇସ୍ତଫା, ଲୋକସଭା ନିର୍ବାଚନ ଲଢ଼ିବା ସମ୍ଭାବନା

ହାଇଦ୍ରାବାଦ: ତେଲେଙ୍ଗାନା ରାଜ୍ୟପାଳ ତାମିଲିସାଇ ସୌନ୍ଦରାଜନ ସୋମବାର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ସେ ଆଗାମୀ ଲୋକସଭା ନିର୍ବାଚନ ଲଢ଼ିବା ସମ୍ଭାବନା ରହିଛି। ପୁଡୁଚେରୀର ଉପରାଜ୍ୟପାଳ ମଧ୍ୟ ଥିବା ସୌନ୍ଦରାଜନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନିଜ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତିି ।

ସୌନ୍ଦରାଜନ ୨୦୧୯ ପର୍ଯ୍ୟନ୍ତ ତାମିଲନାଡୁ ବିଜେପିର ଅଧ୍ୟକ୍ଷ ଥିଲେ । ସେ ସେପ୍ଟେମ୍ବର ୨୦୧୯ରେ ତେଲେଙ୍ଗାନାର ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଥିଲେ। କିରଣ ବେଦୀଙ୍କୁ ହଟାଯିବା ପରେ ତାଙ୍କୁ ପୁଡୁଚେରୀର ଉପରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଥିଲା। ସୌନ୍ଦରାଜନ ତାମିଲନାଡୁରୁ ଆଗାମୀ ଲୋକସଭା ନିର୍ବାଚନ ଲଢ଼ିପାରନ୍ତି । ବିଜେପିର ତୃତୀୟ ତାଲିକାରେ ସୌନ୍ଦରାଜନଙ୍କ ନାମ ଘୋଷଣା ହୋଇପାରେ । ବିଜେପି ତାଙ୍କୁ ଡିଏମକେ ନେତ୍ରୀ କାନିମୋଜିଙ୍କ ବିରୋଧରେ ମଇଦାନକୁ ଓହ୍ଲାଇବା ସମ୍ଭାବନା ରହିଛି ।

ପ୍ରଭାବଶାଳୀ ନାଗରା ସମ୍ପ୍ରଦାୟରୁ ଆସିଥିବା ତାମିଲିସାଇ ସୌନ୍ଦରାଜନ ଗତ ଲୋକସଭା ନିର୍ବାଚନରେ ଥୋଥୁକୁଡି ଆସନରୁ ଲଢ଼ିଥିଲେ । ହେଲେ ଡିଏମକେର କାନିମୋଜିଙ୍କ ଠାରୁ ବଡ଼ ବ୍ୟବଧାନରେ ହାରିଯାଇଥିଲେ। ୨୦୦୯ ସାଧାରଣ ନିର୍ବାଚନରେ ମଧ୍ୟ ସେ ଚେନ୍ନାଇ (ଉତ୍ତର) ଆସନରୁ ଡିଏମକେର ଟିକେଏ ଏଲାଙ୍ଗୋଭନଙ୍କ ଠାରୁ ପରାସ୍ତ ହୋଇଥିଲେ ।

Exit mobile version