Site icon ଆଜିକାଲି

ତେନ୍ଦୁଲକର ଡିପଫେକର ଶିକାର, ଟେକ୍ନୋଲୋଜିର ଅପବ୍ୟବହାର ନେଇ ଚିନ୍ତା ପ୍ରକଟ କଲେ

ନୂଆଦିଲ୍ଲୀ: କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର ବି ଡିପଫେକର ଶିକାର ହୋଇଛନ୍ତି । ସେ ନିଜର ଏକ ନକଲି ଭିଡ଼ିଓ ସମ୍ପର୍କରେ ଖୁଲାସା କରିଛନ୍ତି, ଯେଉଁଥିରେ ତାଙ୍କୁ ଏକ ଗେମିଂ ଆପର ପ୍ରଚାର କରୁଥିବା ଦେଖିବାକୁ ମିଳୁଛି । ଏହି ଭିଡିଓରେ ତେନ୍ଦୁଲକରଙ୍କୁ ଏହି ଆପର ବୈଶିଷ୍ଟ୍ୟଗୁଡିକ ବର୍ଣ୍ଣନା କରୁଥିବା ଦେଖିବାକୁ ମିଳୁଛି | ଏଥିରେ ସେ କହୁଛନ୍ତି, ସେ ଜାଣି ନଥିଲେ ଯେ ଟଙ୍କା ରୋଜଗାର କରିବା ଏତେ ସହଜ। ତାଙ୍କ ଝିଅ ମଧ୍ୟ ଏହାକୁ ବ୍ୟବହାର କରୁଛନ୍ତି।ଏହି ଭିଡିଓରେ ବ୍ୟବହୃତ ସ୍ୱର ମଧ୍ୟ ତେନ୍ଦୁଲକରଙ୍କ ଭଳି। ତାଙ୍କର ଏହି ନକଲି ଭିଡ଼ିଓ ସହ ତେନ୍ଦୁଲକର ଏକ ବାର୍ତ୍ତା ପୋଷ୍ଟ କରି ଟେକ୍ନୋଲୋଜିର ଏପରି ଅପବ୍ୟବହାର ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି।

ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ତେନ୍ଦୁଲକର ଲେଖିଛନ୍ତି, “ଏହି ଭିଡ଼ିଓ ନକଲି। ଟେକ୍ନୋଲୋଜିର ଏହି ଅପବ୍ୟବହାର ବିଚଳିତ କରୁଛି | ସମସ୍ତଙ୍କୁ ଏହିପରି ଭିଡିଓ, ବିଜ୍ଞାପନ ଏବଂ ଆପ୍ ବହୁ ସଂଖ୍ୟାରେ ରିପୋର୍ଟ କରିବାକୁ ଅନୁରୋଧ । ”

ତେନ୍ଦୁଲକର ଆହୁରି ଲେଖିଛନ୍ତି, “ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡିକ ଅଭିଯୋଗ ପ୍ରତି ସତର୍କ ଏବଂ ପ୍ରତିକ୍ରିୟାଶୀଳ ହେବା ଜରୁରୀ। ଭୁଲ ତଥ୍ୟ ଏବଂ ଡିପଫେକ୍ ପ୍ରସାରକୁ ରୋକିବା ପାଇଁ ସେମାନଙ୍କ ତରଫରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଗୁରୁତ୍ୱପୂର୍ଣ୍ଣ। ”

ତେନ୍ଦୁଲକରଙ୍କ ଏହି ପୋଷ୍ଟ ପରେ କେନ୍ଦ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର କହିଛନ୍ତି, ସୂଚନା ପ୍ରଯୁକ୍ତିବିଦ୍ୟା ଆଇନ ଅନୁଯାୟୀ ସରକାର ଖୁବ୍ ଶୀଘ୍ର ଡିପଫେକକୁ ରୋକିବା ପାଇଁ କଡ଼ା ନିୟମ ଆଣିବେ।

ସେ ତେନ୍ଦୁଲକରଙ୍କୁ ‘ଏକ୍ସ’ ରେ ଟ୍ୟାଗ୍ କରି ଲେଖିଥିଲେ, ସଚିନଙ୍କୁ ଧନ୍ୟବାଦ। କୃତ୍ରିମ ବୁଦ୍ଧିମତା ବ୍ୟବହାର କରି ଡିପଫେକ୍ ଏବଂ ଭୁଲ ତଥ୍ୟ ଭାରତୀୟ ୟୁଜରଙ୍କ ସୁରକ୍ଷା ଏବଂ ବିଶ୍ୱାସ ପ୍ରତି ବିପଦ ସୃଷ୍ଟି କରିଛି | ଏହିପରି କ୍ଷତିକାରକ ତଥା ଆଇନ ଉଲ୍ଲଂଘନକାରୀ ବିଷୟବସ୍ତୁକୁ ରୋକିବା ଏବଂ ହଟାଇବା ପାଇଁ ପ୍ଲାଟଫର୍ମଗୁଡିକ ଉଦ୍ୟମ କରିବା ଉଚିତ୍। ”

ସେ କହିଛନ୍ତି, “ମନ୍ତ୍ରଣାଳୟ ଦ୍ବାରା ଜାରି ପରାମର୍ଶରେ ପ୍ଲାଟଫର୍ମଗୁଡିକୁ ଏହା ୧୦୦ ପ୍ରତିଶତ ପାଳନ କରିବାକୁ ପଡ଼ିବ। ପ୍ଲାଟଫର୍ମଗୁଡିକ ଦ୍ୱାରା ଅନୁପାଳନ ନିଶ୍ଚିତ କରିବାକୁ ଆମେ ଶୀଘ୍ର ଆଇଟି ଆଇନ ଅନୁଯାୟୀ କଡ଼ା ନିୟମ ଆଣିବୁ। ”

ନିକଟରେ ହଲିଉଡ୍ ଅଭିନେତା ଟମ ହ୍ୟାଙ୍କ୍ସ ଏବଂ ଅଭିନେତ୍ରୀ ରଶ୍ମିକା ମନ୍ଧାନା ମଧ୍ୟ ଡିପଫେକର ଶିକାର ହୋଇଛନ୍ତି।

Exit mobile version