Site icon ଆଜିକାଲି

ରାମମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ ତେନ୍ଦୁଲକର, ବିରାଟ କୋହଲି, ଅମିତାଭ ବଚ୍ଚନଙ୍କ ସହ ୭,୦୦୦ ଲୋକଙ୍କୁ ନିମନ୍ତ୍ରଣ

ନୂଆଦିଲ୍ଲୀ: ଜାନୁଆରୀ ୨୨ରେ ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ | ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ କ୍ରିକେଟର୍ ସଚିନ ତେନ୍ଦୁଲକର ଏବଂ ବିରାଟ କୋହଲି, ଶିଳ୍ପପତି ମୁକେଶ ଅମ୍ବାନୀ, ଗୌତମ ଆଦାନୀ ଏବଂ ରତନ ଟାଟା, ବଲିଉଡ୍ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ଭଳି ଭିଭିଆଇପି ଓ ସେଲିବ୍ରିଟିଙ୍କୁ ନିମନ୍ତ୍ରଣ କରାଯାଇଛି। ଏହାଛଡ଼ା ଲୋକପ୍ରିୟ ଟିଭି ଧାରାବାହିକ ‘ରାମାୟଣ’ରେ ରାମ ଏବଂ ସୀତା ଭୂମିକାରେ ଅଭିନୟ କରିଥିବା ଅରୁଣ ଗୋଭିଲ ଓ ଦୀପିକା ଚିଖଲିଆଙ୍କୁ ମଧ୍ୟ ନିମନ୍ତ୍ରଣ ପଠାଯାଇଛି। ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ନିମନ୍ତ୍ରଣ କରାଯାଇଛି ।

ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ରାମ ମନ୍ଦିର ଟ୍ରଷ୍ଟ ତରଫରୁ ୩,୦୦୦ ଭିଆଇପି ସହ ୭,୦୦୦ରୁ ଅଧିକ ଲୋକଙ୍କୁ ନିମନ୍ତ୍ରଣ ପଠାଯାଇଛି । ମନ୍ଦିର ଆନ୍ଦୋଳନ ସମୟରେ ପ୍ରାଣ ହରାଇଥିବା କର ସେବାଙ୍କ ପରିବାରକୁ ମଧ୍ୟ ନିମନ୍ତ୍ରଣ କରାଯିବ। ଅନ୍ୟ ନିମନ୍ତ୍ରିତ ବ୍ୟକ୍ତିଙ୍କ ମଧ୍ୟରେ ଆରଏସ୍ଏସ୍ ମୁଖ୍ୟ ମୋହନ ଭାଗବତ, ଯୋଗ ଗୁରୁ ରାମଦେବ, ୪,୦୦୦ ସାଧୁ, ଲେଖକ, ସାମ୍ବାଦିକ, ବୈଜ୍ଞାନିକ ଓ ଦେଶର ବିଶିଷ୍ଟ ବ୍ୟକ୍ତି ଅଛନ୍ତି।

ଶ୍ରୀ ରାମ ଜନ୍ଟ୍ରମଭୂମି ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟ କହିଛନ୍ତି, “ଆମେ ୫୦ଟି ଦେଶରୁ ଗୋଟିଏ ଲେଖାଏଁ ପ୍ରତିନିଧୀଙ୍କୁ ନିମନ୍ତ୍ରଣ କରିବାକୁ ଯୋଜନା କରୁଛୁ। ଏହି (ରାମମନ୍ଦିର) ଆନ୍ଦୋଳନ ସମୟରେ ପ୍ରାଣ ହରାଇଥିବା ୫୦ କର ସେବକଙ୍କ ପରିବାରକୁ ମଧ୍ୟ ନିମନ୍ତ୍ରଣ କରାଯାଇଛି। ବୈଜ୍ଞାନିକ, ଲେଖକ, କବି ଏବଂ ବିଚାରପତିଙ୍କ ନିକଟକୁ ମଧ୍ୟ ନିମନ୍ତ୍ରଣ ପଠାଯାଇଛି। ଆମେ ସାଧୁ, ପୁରୋହିତ, ଶଙ୍କରାଚାର୍ଯ୍ୟ, ପୂର୍ବତନ ପ୍ରଶାସନିକ ଅଧିକାରୀ, ଅବସରପ୍ରାପ୍ତ ସେନା ଅଧିକାରୀ, ଆଇନଜୀବୀ, ସଂଗୀତଜ୍ଞ ଏବଂ ପଦ୍ମ ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କୁ ମଧ୍ୟ ନିମନ୍ତ୍ରଣ କରିଛୁ। ”

ଚମ୍ପତ ରାୟ କହିଛନ୍ତି, “ରାମଲାଲା ପାଞ୍ଚ ବର୍ଷର ବାଳକ ରୂପେ ମନ୍ଦିରରେ ବିରାଜମାନ ହେବେ। ଏଥିପାଇଁ କର୍ଣ୍ଣାଟକରୁ ଅଣାଯାଇଥିବା ପଥରରେ ତିନୋଟି ମୂର୍ତ୍ତି ନିର୍ମାଣ କରାଯାଉଛି ଏବଂ ଗୋଟିଏ ରାଜସ୍ଥାନରୁ ଆସିଛି । ମୂର୍ତ୍ତିଗୁଡ଼ିକ ପ୍ରାୟ ପ୍ରସ୍ତୁତ ହୋଇସାରିଛି । ସେଗୁଡ଼ିକୁ ଅନ୍ତିମ ସ୍ପର୍ଶ ଦିଆଯାଉଛି | ପ୍ରାଣ ପ୍ରତିଷ୍ଠା ପାଇଁ ସବୁଠୁ ସୁନ୍ଦର ବିଗ୍ରହକୁ ଚୟନ କରାଯିବ। ”

ଭିଏଚପି ମୁଖପାତ୍ର ଶରଦ ଶର୍ମା କହିଛନ୍ତି, “ଆମେ ସାମ୍ବାଦିକମାନଙ୍କୁ ମଧ୍ୟ ନିମନ୍ତ୍ରଣ କରିଛୁ, ଯେଉଁମାନେ ରାମ ମନ୍ଦିର ଆନ୍ଦୋଳନକୁ ସମର୍ଥନ କରିଥିଲେ। ସେମାନଙ୍କ ବିନା ରାମ ମନ୍ଦିର ପାଇଁ ସଂଗ୍ରାମ ସଫଳ ହୋଇପାରି ନଥାନ୍ତା। ବାରକୋଡ୍ ପାସ୍ ମାଧ୍ୟମରେ ଭିଭିଆଇପି ମାନଙ୍କୁ ପ୍ରବେଶ ଦିଆଯିବ | ୭,୦୦୦ ନିମନ୍ତ୍ରିତ ଅତିଥିଙ୍କ ମଧ୍ୟରୁ ପ୍ରାୟ ୪,୦୦୦ ଧାର୍ମିକ ନେତା ରହିବେ । ଅବଶିଷ୍ଟ ଅତିଥି ବିଭିନ୍ନ କ୍ଷେତ୍ରରୁ ଆସିଥିବା ବିଶିଷ୍ଟ ବ୍ୟକ୍ତିତ୍ୱ ହେବେ | ପ୍ରାଣ ପ୍ରତିଷ୍ଠା ଉତ୍ସବ ପୂର୍ବରୁ ନିମନ୍ତ୍ରିତ ଲୋକମାନଙ୍କ ସହ ଏକ ଲିଙ୍କ୍ ସେୟାର କରାଯିବ | ସେମାନେ ଏହା ଦ୍ବାରା ନିଜକୁ ପଞ୍ଜୀକୃତ କରିସାରିବା ପରେ ଏକ ବାର୍ କୋଡ୍ ସୃଷ୍ଟି ହେବ ଯାହା ଏଣ୍ଟ୍ରି ପାସ୍ ଭାବେ ବ୍ୟବହାର ହେବ ।

Exit mobile version