Site icon ଆଜିକାଲି

ପାକିସ୍ତାନରେ ତେଜିଲା ଉତ୍ତେଜନା; ବିଭିନ୍ନ ସହରରେ ଇମ୍ରାନ ଖାନ ସମର୍ଥକଙ୍କ ବିକ୍ଷୋଭ

ଇସଲାମାବାଦ : ପାକିସ୍ତାନରେ ସରକାର ବିରୋଧୀ ପ୍ରଦର୍ଶନ ବେଳେ ଇମ୍ରାନ ଖାନଙ୍କୁ ଗୁଳିମାଡ଼ ପରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । ଇମ୍ରାନଙ୍କ ଗୋଡ଼ରେ ଗୁଳି ବାଜିଥିବା ବେଳେ ସେ ଏବେ ଲାହୋର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ତେବେ ଇମ୍ରାନ ବିପଦମୁକ୍ତ ଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି । ଅନ୍ୟପକ୍ଷରେ ଏହି ଆକ୍ରମଣରେ ଇମ୍ରାନଙ୍କ ଜଣେ ସହଯୋଗୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୧୨ ଜଣ ସହଯୋଗୀ ଆହତ ହୋଇଛନ୍ତି ।

ପାକିସ୍ତାନର ପଞ୍ଜାବ ପ୍ରଦେଶର ୱାଜିରାବାଦରେ ଏକ ରାଲି ବେଳେ ଇମ୍ରାନଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା । ଗୁଳି ଚଳାଇଥିବା ବ୍ୟକ୍ତିକୁ ଗିରଫ କରାଯାଇଛି । ତେବେ ଏହି ଗୁଳିକାଣ୍ଡ ପରେ ରାଜନୀତି ତେଜିଛି । ଏହି ଗୁଳିମାଡ଼ ପଛରେ ତିନି ଜଣ ଥିବା ଇମ୍ରାନଙ୍କ ଦଳ ପାକିସ୍ତାନ ତେହେରିକ୍-ଇ-ଇନସାଫ, ପିଟିଆଇ ପକ୍ଷରୁ କୁହାଯାଇଛି । ପିଟିଆଇର ଜଣେ ବରିଷ୍ଠ ନେତା କହିଛନ୍ତି ଯେ, ଏହି ଗୁଳିକାଣ୍ଡ ପଛରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ, ଆଭ୍ୟନ୍ତରୀଣ ମନ୍ତ୍ରୀ ରାଣା ସନଉଲ୍ଲାହା ଓ ଜଣେ ଆର୍ମି ଜେନେରାଲ ମିଆଁ ଅସଲାମ ଇକବାଲ ଥିବା ପିଟିଆଇ ଅଭିଯୋଗ କରିଛି ।

ଏହା ସହ ଏହି ତିନି ଜଣ ତୁରନ୍ତ ନିଜ ପଦ ଛାଡ଼ନ୍ତୁ ବୋଲି ଇମ୍ରାନଙ୍କ ଦଳ ଦାବି କରିଛି । ଅନ୍ୟପକ୍ଷେ ଇମ୍ରାନଙ୍କ ଉପରେ ଗୁଳିମାଡ଼ ପ୍ରତିବାଦରେ ପାକିସ୍ତାନର ବିଭିନ୍ନ ସହରରେ ତାଙ୍କର ସମର୍ଥକମାନେ ବିକ୍ଷୋଭ କରିଛନ୍ତି । ପାକିସ୍ତାନର ସ୍ଥିତି ଉପରେ କଡ଼ା ନଜର ରଖାଯାଇଛି ବୋଲି କହିଛି ଭାରତ । ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଅରିନ୍ଦମ ବାଗଚୀ କହିଛନ୍ତି ଯେ, ପାକିସ୍ତାନର ସ୍ଥିତିକୁ ଲଗାତର ଭାବେ ଅନୁଧ୍ୟାନ କରାଯାଉଛି ।

ସେପଟେ କ୍ୟାମେରା ଆଗରେ ଆତତାୟୀ ସ୍ୱୀକାର କରିଛି, ସେ ଇମ୍ରାନଙ୍କୁ ଗୁଳିମାରିିଛି । ଆତତାୟୀଙ୍କ ଅଭିଯୋଗ ହେଲା, ଇମ୍ରାନ ଲୋକଙ୍କୁ ବିଭ୍ରାନ୍ତି କରୁଛନ୍ତି । ଏହାକୁ ସହିନପାରି ଇମ୍ରାନଙ୍କୁ ମାରିବାକୁ ଉଦମ୍ୟ କରିଛନ୍ତି । ଆଜାଦୀ ମାର୍ଚ୍ଚ ଆରମ୍ଭ ହେବାଠାରୁ ସେ ଇମ୍ରାନଙ୍କୁ ଟାର୍ଗେଟ କରିଥିଲା ବୋଲି କହିଛି ଆତତାୟୀ ।

Exit mobile version