Site icon ଆଜିକାଲି

ହିନ୍ଦୁ ଶବ୍ଦ ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିବା କଂଗ୍ରେସ ନେତା କ୍ଷମା ମାଗିବାକୁ ମନାକଲେ, କହିଲେ ଭୁଲ୍ ପ୍ରମାଣିତ ହେଲେ ଇସ୍ତଫା ଦେବେ


ବେଙ୍ଗାଲୁରୁ: ହିନ୍ଦୁ ଶବ୍ଦ ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିବା କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ତଥା ବିଧାୟକ ସତୀଶ ଜାର୍କିହୋଲି ଏବେ ମଧ୍ୟ ତାଙ୍କ ବୟାନରେ ଅଟଳ ରହିଛନ୍ତି । ସେ ଓଲଟି ଚ୍ୟାଲେଞ୍ଜ କରି କହିଛନ୍ତି ଯଦି ତାଙ୍କ ମନ୍ତବ୍ୟ ଭୁଲ୍ ବୋଲି ପ୍ରମାଣିତ ହୁଏ ତେବେ ସେ ବିଧାୟକ ପଦରୁ ଇସ୍ତଫା ଦେବେ ।

ସତୀଶ ଜାର୍କିହୋଲି କହିଛନ୍ତି, “ସମସ୍ତେ ପ୍ରମାଣ କରନ୍ତୁ ଯେ ମୁଁ ଭୁଲ୍ ଅଟେ। ଯଦି ମୁଁ ଭୁଲ୍ ବୋଲି ପ୍ରମାଣିତ କରାଯାଏ, ମୁଁ ବିଧାୟକ ପଦରୁ ଇସ୍ତଫା ଦେବି। ମୋର ମନ୍ତବ୍ୟ ପାଇଁ ମୁଁ କ୍ଷମା ମାଗିବି ନାହିଁ।”

ରବିବାର କର୍ଣ୍ଣାଟକର ବେଲାଗାଭି ଜିଲ୍ଲାରେ ସତୀଶ ଜାର୍କିହୋଲି ‘ହିନ୍ଦୁ’ ଶବ୍ଦ ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ସେ କହିଥିଲେ, “ହିନ୍ଦୁ ଶବ୍ଦ କେଉଁଠୁ ଆସିଛି, ଏହା ଆମର? ଏହା ପାର୍ସୀରୁ ଆସିଛି। ପାର୍ସୀ – ଇରାନ, ଇରାକ, କାଜାଖସ୍ତାନ, ଉଜବେକିସ୍ତାନରୁ ଏହି ଶବ୍ଦ ଆସିଛି। ଏହା ସହ ଭାରତର କୌଣସି ସମ୍ପର୍କ ନାହିଁ । ତାହେଲେ ଆପଣ ହିନ୍ଦୁ ହେଲେ କିପରି? ଏହା ଉପରେ ଆଲୋଚନା ହେବା ଉଚିତ । “ହିନ୍ଦୁ” ଶବ୍ଦର ଏକ କଦର୍ଯ୍ୟ ଅର୍ଥ ରହିଛି, ଯାହା ଜାଣିଲେ ଆପଣ ଲଜ୍ଜିତ ଅନୁଭବ କରିବେ । ଆପଣ ଆଉ କୌଣସି ଦେଶର ଧର୍ମ, କିଛି ସ୍ଥାନର ଶବ୍ଦ ଆଣି ଆମ ଉପରେ ଜୋର୍ ଜବରଦସ୍ତ ଲଦିବାକୁ ଚେଷ୍ଟା କରୁଛନ୍ତି । ”

ଯେଉଁ ଭିଡିଓରେ ସତୀଶ ଜାର୍କିହୋଲି ଏଭଳି ବିବାଦୀୟ କଥା କହିଛନ୍ତି, ସେହି ଭିଡିଓ ଭାଇରାଲ ହେବା ପରେ ବିରୋଧୀ ବିଜେପି ସତୀଶ ଓ କଂଗ୍ରେସ ଦଳକୁ ଟାର୍ଗେଟ କରିଛନ୍ତି । ସତୀଶ ଓ କଂଗ୍ରେସ ଦଳ କ୍ଷମା ମାଗନ୍ତୁ ବୋଲି ବିଜେପି ଦାବି କରିଛି ।

Exit mobile version