Site icon ଆଜିକାଲି

ନୂଆ ଫୌଜଦାରୀ ଆଇନ୍ ନେଇ ଆପତ୍ତି ପ୍ରକାଶ କଲା କଂଗ୍ରେସ, କହିଲା ନାଗରିକ ଭୋଗିବେ ଭୟଙ୍କର ପରିଣାମ

ନୂଆଦିଲ୍ଲୀ: କଂଗ୍ରେସ ତିନି ନୂଆ ଫୌଜଦାରୀ ଆଇନ୍ ନେଇ ଆପତ୍ତି ପ୍ରକାଶ କରିଛି । ଏହି ଆଇନର ପରିଣାମ ଭୟଙ୍କର ହୋଇପାରେ ବୋଲି ବିଶେଷଜ୍ଞମାନେ ଆଶଙ୍କା ବ୍ୟକ୍ତ କରିଥିବା କହିଛି ଦଳ ।

କେନ୍ଦ୍ର ସରକାର ୧୪୦ରୁ ଅଧିକ ବିରୋଧୀ ସାଂସଦଙ୍କୁ ଜାଣିଶୁଣି ନିଲମ୍ବନ କରି ଏହି ଆଇନ ସମ୍ବନ୍ଧୀୟ ବିଲ୍ ସଂସଦରେ ପାରିତ କରିଥିଲେ ବୋଲି କଂଗ୍ରେସ ଅଭିଯୋଗ କରିଛି।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଏହି ତିନି ଫୌଜଦାରୀ ବିଲକୁ ମଞ୍ଜୁରି ପ୍ରଦାନ କରିବା ପରେ ଏହା ବର୍ତ୍ତମାନ ଆଇନରେ ପରିଣତ ହୋଇଛି ।

ବ୍ରିଟିଶ ଯୁଗର ଆଇପିସି, ସିଆରପିସି ଓ ଇଣ୍ଡିଆନ୍ ଏଭିଡେନ୍ସ ଆକ୍ଟର ସ୍ଥାନ ନେଇଛି ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଓ ଭାରତୀୟ ସାକ୍ଷ୍ୟ ଆଇନ।

କଂଗ୍ରେସର ସାଧାରଣ ସମ୍ପାଦକ ଜୟରାମ ରମେଶ ‘ଏକ୍ସ’ରେ ଲେଖିଛନ୍ତି – “ଇଣ୍ଡିଆ ମେଣ୍ଟର ୧୪୬ ସାଂସଦଙ୍କୁ ସୁଚିନ୍ତିତ ଭାବେ ନିଲମ୍ବନ ସହ ଗତ ସପ୍ତାହରେ ସଂସଦରେ ପାରିତ କରାଯାଇଥିବା ତିନିଟି ଫୌଜଦାରୀ ବିଲକୁ ବର୍ତ୍ତମାନ ରାଷ୍ଟ୍ରପତିଙ୍କ ମଞ୍ଜୁରି ମିଳିଛି । ତେବେ ଏହି ଆଇନ ବିଶେଷ କରି ସମାଜର ବଞ୍ଚିତ ବର୍ଗଙ୍କ ପାଇଁ ଭୟଙ୍କର ପରିଣାମ ଆଣିବ ବୋଲି ବହୁ ବିଶିଷ୍ଟ ଆଇନଜୀବୀ ଓ ଆଇନ ବିଶେଷଜ୍ଞ ଆଶଙ୍କା ବ୍ୟକ୍ତ କରିଛନ୍ତି ।”

ଏହି ଆଇନ୍ କାର୍ଯ୍ୟକାରୀ ହେବା ସହିତ ପୋଲିସ ହାଜତ ଅବଧି ୯୦ ଦିନକୁ ବୃଦ୍ଧି କରାଯିବ, ଯାହା ପୁରୁଣା ଆଇନ ଅଧୀନରେ ୧୫ ଦିନ ଥିଲା । ଭାରତର ସାର୍ବଭୌମତ୍ୱ, ଏକତା ଏବଂ ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି କଲାଭଳି କାର୍ଯ୍ୟ ପାଇଁ ଏକ ନୂଆ ଅପରାଧ ବର୍ଗ ସାମିଲ କରାଯାଇଛି।

ଆଇପିସିରୁ ‘ରାଜଦ୍ରୋହ’କୁ ହଟାଇ ଦିଆଯାଇଛି ଯାହା ଉପରେ ସୁପ୍ରିମକୋର୍ଟ ରୋକ୍ ଲଗାଯାଇଥିଲେ । ଏହା ବଦଳରେ ‘ଦେଶଦ୍ରୋହ’ ଅପରାଧ ଯୋଡ଼ା ଯାଇଛି। ଏଥିରେ କେଉଁ ପ୍ରକାର ଦଣ୍ଡ ଦିଆଯାଇପାରିବ ତାହା ନୂଆ ଫୌଜଦାରୀ ଆଇନରେ ବିସ୍ତୃତ ଭାବେ ଉଲ୍ଲେଖ କରାଯାଇଛି ।

ଆତଙ୍କବାଦୀ କାର୍ଯ୍ୟକଳାପ, ଯାହା ପୂର୍ବରୁ ବେଆଇନ କାର୍ଯ୍ୟକଳାପ (ନିରୋଧୀ) ଆଇନ ପରି ସ୍ବତନ୍ତ୍ର ଆଇନର ଅଂଶବିଶେଷ ଥିଲା, ତାହା ବର୍ତ୍ତମାନ ଭାରତୀୟ ନ୍ୟାୟ ସଂହିତାରେ ସାମିଲ କରାଯାଇଛି।

ଏହାଛଡା ନୂଆ ଫୌଜଦାରୀ ଆଇନରେ ‘ମବ୍ ଲିଞ୍ଚିଂ’ ବା ଭିଡ଼ ହିଂସାରେ ହତ୍ୟା ପାଇଁ ମୃତ୍ୟୁ ଦଣ୍ଡର ବ୍ୟବସ୍ଥା କରାଯାଇଛି।

Exit mobile version