Site icon ଆଜିକାଲି

ଗଛରୁ ଝୁଲନ୍ତା ଅବସ୍ଥାରେ ମିଳିଲା ଦୁଇ ଦଳିତ ଭଉଣୀଙ୍କ ମୃତଦେହ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଲଖିମପୁର ଖେରୀ ଜିଲାର ତାମୋଲିନ୍ ଗାଁରେ ଦୁଇ ଦଳିତ ନାବାଳିକା ଭଉଣୀଙ୍କ ମୃତଦେହ ଗଛରୁ ଝୁଲନ୍ତା ଅବସ୍ଥାରେ ମିଳିବା ପରେ ଉତ୍ତେଜନା ପ୍ରକାଶ ପାଇଛି । ସେମାନଙ୍କୁ ଜୋର୍ ଜବରଦସ୍ତି ଘରୁ ଉଠାଇ ନେଇ ବଳାତ୍କାର ପରେ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ। ଏହି ଘଟଣା ନେଇ ବଳାତ୍କାର, ହତ୍ୟା ଏବଂ ଶିଶୁ ନିର୍ଯାତନା ମାମଲା ରୁଜୁ ହୋଇଛି ଏବଂ ଚାରି ଜଣ ସନ୍ଦିଗ୍ଧଙ୍କୁ ଅଟକ ରଖାଯାଇଛି ବୋଲି ଅତିରିକ୍ତ ଏସପି ଅରୁଣ କୁମାର ସିଂହ ସୂଚନା ଦେଇଛନ୍ତି ।

ମୃତ ନାବାଳିକାଙ୍କ ମା ଗଣମାଧ୍ୟମ ଏବଂ ପୋଲିସକୁ କହିଛନ୍ତି ଯେ ଅଭିଯୁକ୍ତମାନେ ଗତକାଲି ରାତିରେ ତାଙ୍କର ଦୁଇ ଝିଅଙ୍କୁ ଘରୁ ଜବରଦସ୍ତି ମୋଟରସାଇକେଲରେ ନେଇ ଯାଇଥିଲେ। ବାଳିକାଙ୍କ ମା ଅଭିଯୋଗ କରିଛନ୍ତି ଯେ ସେ ଅଭିଯୁକ୍ତକୁ ଅଟକାଇବାକୁ ଚେଷ୍ଟା କଲାବେଳେ ତାଙ୍କୁ ଆକ୍ରମଣ କରାଯାଇଥିଲା। ପରେ ପରିବାର ଏବଂ ଗ୍ରାମବାସୀ ଦୁଇ ଝିଅଙ୍କୁ ଖୋଜାଖୋଜି କରିବା ବେଳେ ସେମାନଙ୍କ ମୃତଦେହ ଗଛରେ ଝୁଲୁଥିବାର ଦେଖିଥିଲେ। ତାଙ୍କ ଝିଅମାନଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଛି ବୋଲି ମହିଳା ଜଣକ ଅଭିଯୋଗ କରିଛନ୍ତି । ପକ୍ସୋ ଅଧୀନରେ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ଦୋଷୀଙ୍କୁ ଶୀଘ୍ର ଗିରଫ କରିବାକୁ ଦାବି କରି ବୁଧବାର ରାତିସାରା ଗ୍ରାମବାସୀ ହୋହଲ୍ଲା କରିଥିଲେ । ଗ୍ରାମବାସୀଙ୍କ ସହ ତୀବ୍ର ଯୁକ୍ତିତର୍କ ପରେ ପୋଲିସ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇବାରେ ସକ୍ଷମ ହୋଇଥିଲା।

Exit mobile version