Site icon ଆଜିକାଲି

ଆଜିଠୁ ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜ, ସେଞ୍ଚୁରିଅନରେ ଖେଳାଯିବ ପ୍ରଥମ ମ୍ୟାଚ୍

ନୂଆଦିଲ୍ଲୀ : ଆଜିଠୁ ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜ । ଉଭୟ ଦଳ ୨ଟି ଟେଷ୍ଟ ମ୍ୟାଚ୍ ଖେଳିବେ । ଆଜି ପ୍ରଥମ ଟେଷ୍ଟ ସେଞ୍ଚୁରିଅନରେ ଅପରାହ୍ନ ସାଢ଼େ ଗୋଟାଏରେ ଖେଳାଯିବ । ରୋହିତ ଶର୍ମାଙ୍କ ନେତୃତ୍ବରେ ମୈଦାନକୁ ଓହ୍ଲାଇବ ଭାରତ । ଆହତ କାରଣରୁ ଟେଷ୍ଟ ମ୍ୟାଚ୍ ଖେଳିବେନି ଇନଫର୍ମ ଫାଷ୍ଟ ବୋଲର ମହମ୍ମଦ ସାମି । ତାଙ୍କ ଅନୁପସ୍ଥିତି ଦଳ ପାଇଁ ଏକ ବଡ଼ କ୍ଷତି ।

ଦକ୍ଷିଣ ଆଫ୍ରିକା ମାଟିରେ ଭାରତର ଟେଷ୍ଟ ପ୍ରଦର୍ଶନ ଭଲ ନୁହେଁ । ସେଠାରେ ଗୋଟିଏ ବି ଟେଷ୍ଟ ସିରିଜ ଜିତିନି । ଦକ୍ଷିଣ ଆଫ୍ରିକାରେ ଭାରତ ମୋଟ୍ ୨୩ଟି ଟେଷ୍ଟ ମ୍ୟାଚ୍ ଖେଳିଥିବା ବେଳେ ଜିତିଛି ମାତ୍ର ୪ଟି । ୧୨ଟି ହାରିଥିବା ବେଳେ ୭ଟି ଟେଷ୍ଟ ମ୍ୟାଚ୍ ଡ୍ର ରହିଛି । ଅର୍ଥାତ ଦକ୍ଷିଣ ଆଫ୍ରିକା ମାଟିରେ ଟେଷ୍ଟରେ ମାତ୍ର ୧୭ ପ୍ରତିଶତ ମ୍ୟାଚ ଜିତିଛି ଟିମ୍ ଇଣ୍ଡିଆ । ଅନ୍ୟପଟେ ଦୁଇ ଦେଶ ମୋଟ୍ ୧୫ଟି ଟେଷ୍ଟ ସିରିଜରେ ମୁହାଁମୁହିଁ ହୋଇଛନ୍ତି । ଏଥିରୁ ଭାରତ ୪ଟି ଓ ଦକ୍ଷିଣ ଆଫ୍ରିକା ଜିତିଛି ୮ଟି । ୩ଟି ସିରିଜ ଡ୍ର ହୋଇଛି । ତେବେ ଚଳିତ ସିରିଜରେ ଦକ୍ଷିଣ ଆଫ୍ରିକା ଉପରେ ଭାରି ପଡ଼ିପାରେ ଟିମ୍ ଇଣ୍ଡିଆ ।

ଦିନିକିଆ ସିରିଜକୁ ୨-୧ରେ ଜିତିଥିବାରୁ ମନୋବଳ ଦୃଢ଼ ରହିଛି । ରୋହିତଙ୍କ ସହ ଇନିଂସ ଓପନ୍ କରି ପାରନ୍ତି ଯଶସ୍ବୀ ଜୟସ୍ବାଲ । ତିନି ନମ୍ବରରେ ଶୁବମନ୍ ଗିଲ୍ , ଚାରି ଓ ପାଞ୍ଚ ନମ୍ବରରେ ଖେଳିପାରନ୍ତି ବିରାଟ କୋହଲି ଓ ଶ୍ରେୟସ ଆୟାର । ଛଅ ନମ୍ବରରେ ବ୍ୟାଟିଂ କରିପାରନ୍ତି ଲୋକେଶ ରାହୁଲ । ତାଙ୍କ ପରେ ଆର୍. ଅଶ୍ବିନ ଓ ରବୀନ୍ଦ୍ର ଜାଡେଜା ଖେଳିପାରନ୍ତି । ଦ୍ରୁତ ବୋଲିଂ ଭାର ସମ୍ଭାଳିପାରନ୍ତି ଯଶପ୍ରୀତ ବୁମରାହ, ମହମ୍ମଦ ସିରାଜ ଓ ସାର୍ଦ୍ଦୁଲ ଠାକୁର । ଅନ୍ୟପଟେ ଘରୋଇ ପରିବେଶରେ ଦିନିକିଆ ପରାଜୟର ବଦଲା ଟେଷ୍ଟରେ ନେବା ଲକ୍ଷ୍ୟରେ ରହିଛି ଦକ୍ଷିଣ ଆଫ୍ରିକା । ଟେମ୍ବା ବାଭୁମାଙ୍କ ନେତୃତ୍ବରେ ଖେଳିବ ।

Exit mobile version