Site icon ଆଜିକାଲି

ମହାନ ଫୁଟ୍‌ବଲର୍‌ ପେଲେଙ୍କ ଦେହାନ୍ତ

ବାର୍ସିଲିଆ : ଫୁଟ୍‌ବଲ୍‌ ଜଗତରେ ଦୁଃଖଦ ଖବର। କିମ୍ବଦନ୍ତୀ ବ୍ରାଜିଲର ଫୁଟବଲର୍‌ ପେଲେଙ୍କ ଦେହାନ୍ତ। ମୃତ୍ୟୁବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା। ତାଙ୍କ ମୃତ୍ୟୁକୁ ଝିଅ କେଲି ନାସିମେଣ୍ଟୋ ଇନଷ୍ଟାଗ୍ରାମରେ ନିଶ୍ଚିତ କରିଛନ୍ତି।

ସେ ଦୀର୍ଘଦିନ ଧରି କୋଲୋନ କ୍ୟାନସରରେ ପୀଡ଼ିତ ଥିଲେ। ସେପ୍ଟେମ୍ବର ୨୦୨୧ରେ ଏକ ଟ୍ୟୁମର ସର୍ଜରି ସରିବା ପରେ ତାଙ୍କର କ୍ୟାନସର ହୋଇଥିଲା। କ୍ୟାନସର ସହ ବିଭିନ୍ନ ରୋଗରେ ଚିକିତ୍ସା ପାଇଁ ତାଙ୍କୁ ନଭେମ୍ବର ମାସରୁ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ତାଙ୍କର ଶ୍ୱାସକ୍ରିୟାରେ ମଧ୍ୟ ସଂକ୍ରମଣ ଥିବା ଜଣାପଡିଥିଲା। ପେଲେ ସବୁ ସମୟର ସର୍ବଶ୍ରେଷ୍ଠ ଫୁଟବଲ ଖେଳାଳି ଭାବରେ ପରିଗଣିତ ଏବଂ ତିନିଥର ବିଶ୍ୱକପ ବିଜେତା।

ତୃତୀୟ ଥର ବିଶ୍ୱକପ୍‌ ବିଜୟୀ ହୋଇଥିବା ଫୁଟବଲ ସମ୍ରାଟ ପେଲେ ଖୁବ୍‌ କମ୍ ବୟସରେ ବିଶ୍ୱ ଷ୍ଟାର୍ ଭାବରେ ଖ୍ୟାତିଲାଭ କରିଥିଲେ। ତାଙ୍କର ଲୋକପ୍ରିୟତା ଏତେ ଥିଲା ଯେ ସାରା ବିଶ୍ୱର ପିଲାଠୁ ବୁଢ଼ା ସମସ୍ତଙ୍କ ପାଖରେ ତାଙ୍କର ପରିଚୟ ଥିଲା। ବ୍ରାଜିଲକୁ ୩ଥର ଚାମ୍ପିୟନ କରିଥିଲେ ପେଲେ। ତାଙ୍କ ଅଧୀନରେ ୧୯୫୮, ୧୯୬୨ ଏବଂ ୧୯୭୦ରେ ବ୍ରାଜିଲ ବିଶ୍ୱକପ ଜିତିଥିଲା। ସେ ୧୯୫୮ ବିଶ୍ୱକପ ଫାଇନାଲରେ ସୁଦାନ ବିପକ୍ଷରେ ଦୁଇଟି ଗୋଲ ସ୍କୋର କରିଥିଲେ। ପେଲେ ତାଙ୍କ ବୃତ୍ତିଗତ କ୍ୟାରିୟରରେ ମୋଟ ୧୩୬୩ ମ୍ୟାଚ ଖେଳି ୧୨୮୧ ଗୋଲ ସ୍କୋର କରିଥିଲେ। ବ୍ରାଜିଲ ପାଇଁ ସେ ୯୧ଟି ମ୍ୟାଚରେ ସେ ୭୭ ଗୋଲ ସ୍କୋର କରିଥିଲେ।

Exit mobile version