Site icon ଆଜିକାଲି

ବିଜେପି ସାଂସଦଙ୍କ ଘରୁ ନାବାଳକର ଝୁଲନ୍ତା ମୃତଦେହ ଉଦ୍ଧାର

ଗୁଆହାଟୀ: ଆସାମ ବିଜେପି ସାଂସଦ ରାଜଦୀପ ରୟଙ୍କ ବାସଭବନରୁ ଜଣେ ପିଲାର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ପିଲାଟିର ବୟସ ୧୦ ବର୍ଷ ହେବ । ସେ ତା’ର ମା ଓ ଭଉଣୀ ସହ ସାଂସଦଙ୍କ ଘରେ ରହୁଥିଲା।

ପୋଲିସ ବିଜେପି ସାଂସଦଙ୍କ ଘରୁ ନାବାଳକର ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ରିପୋର୍ଟ ଅନୁଯାୟୀ, ମୃତ ନାବାଳକର ନାମ ମଧ୍ୟ ରାଜଦୀପ ରୟ ଏବଂ ସେ ପଞ୍ଚମ ଶ୍ରେଣୀରେ ପଢ଼ୁଥିଲା । ତେବେ କେଉଁ ପରିସ୍ଥିତିରେ ତା’ର ମୃତ୍ୟୁ ହୋଇଛି, ଏହା ହତ୍ୟା ନା ଆତ୍ମହତ୍ୟା ସେନେଇ ପୋଲିସ ତଦନ୍ତ ଜାରି ରଖିଛି ।

ମୃତ ପିଲାର ଜଣେ ପରିବାର ସଦସ୍ୟ କହିଛନ୍ତି ଯେ ସେମାନେ କାଚର ଜିଲ୍ଲାର ପାଲୋଙ୍ଗ ଘାଟ ଅଞ୍ଚଳର ବାସିନ୍ଦା। ପୁଅର ମାଆ ବିଜେପି ସାଂସଦ ରୟଙ୍କ ଘରେ ଘରୋଇ ସହାୟିକା ଭାବେ କାମ କରନ୍ତି | ମହିଳା ଜଣକ ଦୁଇ ବର୍ଷ ତଳୁ ନିଜର ଦୁଇ ପିଲାଙ୍କ ସହ ସିଲଚର ଆସିଥିଲେ।

ଏହି ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ବିଜେପି ସାଂସଦ ରାଜଦୀପ ରୟ ତୁରନ୍ତ ତାଙ୍କ ଘରେ ପହଞ୍ଚିଥିଲେ । ସେ ଗଣମାଧ୍ୟମକୁ କହିଛନ୍ତି, ପିଲାଟିର ମୃତଦେହ ଯେଉଁ ରୁମରୁ ଉଦ୍ଧାର ହୋଇଥିଲା ତାହା ଭିତରୁ ତାଲା ପଡ଼ିଥିଲା । ତାକୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ଡାକ୍ତରମାନେ ତାକୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ସମ୍ପର୍କରେ ସେ ସିଲଚର ଏସପିଙ୍କ ସହ କଥା ହୋଇଛନ୍ତି । ପାରିପାର୍ଶ୍ୱିକ ସ୍ଥିତିରୁ ଏହା ଏକ ଆତ୍ମହତ୍ୟା ମାମଲା ଜଣାପଡୁଥିବା ଏସପି ତାଙ୍କୁ କହିଛନ୍ତି । ପୋଲିସ ଘଟଣାର ତଦନ୍ତ କରୁଛି ବୋଲି ବିଜେପି ସାଂସଦ ପ୍ରକାଶ କରିଛନ୍ତି ।

Exit mobile version