Site icon ଆଜିକାଲି

ରାସ୍ତା ସଫା ପରେ ଆରମ୍ଭ ହେଲା କେଦାରନାଥ ଯାତ୍ରା

ରୁଦ୍ରପ୍ରୟାଗ : କେଦାରନାଥ ଦର୍ଶନ ପାଇଁ ପାଦରେ ଯାଉଥିବା ଶ୍ରଦ୍ଧାଳୁଙ୍କ ପାଇଁ ପୁଣି ଥରେ ରାସ୍ତା ଖୋଲାଯାଇଛି । ଗତକାଲି କୁବେର ଓ ଭୈରବ ଗ୍ଲେସିୟର ନିକଟରେ ଗ୍ଲେସିୟର ଫାଟିବା କାରଣରୁ କେଦାରନାଥ ରାସ୍ତା ଯାତାୟାତ ପାଇଁ ବନ୍ଦ ରହିଥିଲା। ତେବେ ପ୍ରଶାସନ ପକ୍ଷରୁ ରାସ୍ତା ସଫା କରାଯିବା ପରେ ଏବେ ଯାତାୟାତ ସୁରୁଖୁରୁରେ ଆରମ୍ଭ ହୋଇଛି। ଲୋକଙ୍କ ପାଇଁ ବାଟ ଖୋଲିବା ପାଇଁ ଏସଡିଆରଏଫ ଓ ପିଡବ୍ଲ୍ୟୁଡି ଟିମ୍ କଠିନ ପରିଶ୍ରମ କରିଥିଲେ। ତେବେ ଏହି ରାସ୍ତାକେବଳ ପଥଚାରୀଙ୍କ ପାଇଁ ଖୋଲାଯାଇଛି। ଘୋଡ଼ା ଓ ଖଚର ଓ ଦାଣ୍ଡି-କାଣ୍ଡି ( ଜଣେ ବ୍ୟକ୍ତି ବା କିଛି ବ୍ୟକ୍ତି ମିଳିତଭାବେ ବହନ କରୁଥିଲା ଝୁଲା) ପାଇଁ ରାସ୍ତା ବନ୍ଦ ରହିଛି ।

ଗ୍ଲେସିୟର ଭାଙ୍ଗିବା କାରଣରୁ ବୁଧବାର ସନ୍ଧ୍ୟା ପ୍ରାୟ ୬ଟାରେ କେଦାରନାଥ ଯାଉଥିବା ୪ ଜଣ କୁଲି ଫସି ରହିଥିଲେ। ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ଏସଡିଆରଏଫ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଏହି ୪ ଜଣଙ୍କୁ ଉଦ୍ଧାର କରିଥିଲେ । ଏହି ୪ ଜଣ ଲିଞ୍ଚୋଲିରୁ କେଦାରନାଥ ଅଭିମୁଖେ ଯାଉଥିଲେ । ଏହି ସମୟରେ କୁବେର ଓ ଭୈରବ ଗ୍ଲାସିୟର ଫାଟିଯାଇଥିଲା । ଗ୍ଲେସିୟର୍ ଫାଟିବାରୁ ଉଭୟ ପାର୍ଶ୍ୱରୁ ରାସ୍ତା ବନ୍ଦ ହୋଇଯାଇଥିଲା ଏବଂ ସେହି ଲୋକମାନେ ଫସି ରହିଥିଲେ। ସେହିପରି ବଦ୍ରିନାଥ ଧାମରେ ବୁଧବାର ସନ୍ଧ୍ୟାରେ ପ୍ରବଳ ତୁଷାରପାତ ହୋଇଥିଲା। ବଦ୍ରିନାଥ ଧାମରେ ଗତ ୫ ଦିନ ହେଲା ଲଗାଣ ବର୍ଷା ଲାଗି ରହିଛି । ଖରାପ ପାଗ ଦୃଷ୍ଟିରୁ ବଦ୍ରିନାଥରେ ତୀର୍ଥଯାତ୍ରୀମାନଙ୍କୁ ସମସ୍ତ ସତର୍କତା ଅବଲମ୍ବନ କରିବାକୁ ଅନୁରୋଧ କରାଯାଇଛି ।

Exit mobile version