Site icon ଆଜିକାଲି

ବିଶ୍ବବିଦ୍ୟାଳୟ କୁଳାଧିପତି ପଦରୁ ରାଜ୍ୟପାଳ ଆରିଫ ମହମ୍ମଦ ଖାନଙ୍କୁ ହଟାଇବେ କେରଳ ସରକାର


ଥିରୁବନନ୍ତପୁରମ୍ : କେରଳର ବାମପନ୍ଥୀ ସରକାର ବୁଧବାର ରାଜ୍ୟପାଳ ଆରିଫ ମହମ୍ମଦ ଖାନଙ୍କୁ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟର କୁଳାଧିପତି ପଦରୁ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟପାଳଙ୍କୁ ପଦରୁ ହଟାଇବା ପାଇଁ ଏକ ଅଧ୍ୟାଦେଶ ଆଣିବା ସପକ୍ଷରେ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କ କ୍ୟାବିନେଟ୍ ମତ ଦେଇଛି। ଏହାପୂର୍ବରୁ ରାଜ୍ୟପାଳ ଆରିଫ ମହମ୍ମଦ ଖାନ ୯ ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ ଇସ୍ତଫା ଦେବାକୁ କହିଥିଲେ। ରାଜ୍ୟପାଳଙ୍କ ଆଦେଶକୁ ଚ୍ୟାଲେଞ୍ଜ କରି ଉକ୍ତ ୯ କୁଳପତି ହାଇକୋର୍ଟ ପହଞ୍ଚିଥିଲେ ।

ବିଶ୍ୱବିଦ୍ୟାଳୟ ଗୁଡ଼ିକର କାର୍ଯ୍ୟଧାରା ନେଇ ରାଜ୍ୟପାଳଙ୍କ ସହ ରାଜ୍ୟ ସରକାରଙ୍କ ବିବାଦରେ ସଦ୍ୟତମ ପ୍ରସଙ୍ଗ ହେଉଛି କୁଳପତିଙ୍କ ନିଯୁକ୍ତି। କେରଳ ଉଚ୍ଚଶିକ୍ଷା ମନ୍ତ୍ରୀ ଆର୍ ବିନ୍ଦୁ କହିଛନ୍ତି ଯେ ରାଜ୍ୟପାଳଙ୍କ ସ୍ଥାନରେ ସରକାର ବିଶ୍ୱବିଦ୍ୟାଳୟର କୁଳାଧିପତି ଭାବରେ ବିଶେଷଜ୍ଞ ଶିକ୍ଷାବିତଙ୍କୁ ନିଯୁକ୍ତ କରିବାକୁ ଚାହୁଁଛନ୍ତି। ଅକ୍ଟୋବରରେ ସୁପ୍ରିମକୋର୍ଟ ଥିରୁବନନ୍ତପୁରମ୍ ସ୍ଥିତ ଏପିଜେ ଅବଦୁଲ କଲାମ ଟେକ୍ନୋଲୋଜି ବିଶ୍ବବିଦ୍ୟାଳୟ (କେଟିୟୁ)ର କୁଳପତି ଡ଼ଃ ରାଜଶ୍ରୀ ଏମ୍ଏସଙ୍କୁ ବିଶ୍ୱବିଦ୍ୟାଳୟ ନିୟମ ଉଲ୍ଲଂଘନ ଦର୍ଶାଇ ବହିଷ୍କୃତ କରିଥିଲେ |

ନିୟମ ଅନୁଯାୟୀ, ଏକ ସରକାରୀ କମିଟି ଦ୍ୱାରା ସୁପାରିଶ କରାଯାଇଥିବା ନାମ ମଧ୍ୟରୁ ଜଣଙ୍କୁ କୁଳପତି ଭାବେ ନିଯୁକ୍ତ କରିଥାନ୍ତି କୁଳାଧିପତି । କିନ୍ତୁ ସରକାର କେବଳ ଗୋଟିଏ ନାମ ସୁପାରିଶ କରିଥିଲେ। ସୁପ୍ରିମକୋର୍ଟ କହିଥିଲେ ଯେ କ କୌଣସି ନାମ ତାଲିକା ପଠାଯାଇ ନ ଥିବାରୁ କୁଳପତିଙ୍କ ପାଖରେ କିଛି ବିକଳ୍ପ ନଥିଲା। ପରେ ରାଜ୍ୟପାଳ ସିଜା ଥୋମାସଙ୍କୁ କାମଚଳା କୁଳପତି ଭାବରେ ନିଯୁକ୍ତ କରିଥିଲେ। ରାଜ୍ୟ ସରକାର ହାଇକୋର୍ଟଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟପାଳଙ୍କ ଦ୍ୱାରା ସୁପାରିଶ ନିଯୁକ୍ତିକୁ ସ୍ଥଗିତ ରଖିବାକୁ ଅନୁରୋଧ କରିଥିଲେ ମଧ୍ୟ କୋର୍ଟ ମନା କରି ଦେଇଥିଲେ ।

Exit mobile version