Site icon ଆଜିକାଲି

ଉତ୍ତର ପ୍ରଦେଶରେ ଟ୍ୟାକ୍ସ ଫ୍ରି ହେଲା ‘ଦି କେରଳ ଷ୍ଟୋରି’

ଲକ୍ଷ୍ନୌ: ‘ଦି କେରଳ ଷ୍ଟୋରି’କୁ ନେଇ ରାଜନୀତି ଜୋର ଧରିଛି । ପଶ୍ଚିମବଙ୍ଗ ଓ ତାମିଲନାଡୁରେ ଏହି ଫିଲ୍ମକୁ ବ୍ୟାନ୍ କରାଯାଇଥବା ବେଳେ ବିଜେପି ଶାସିତ ରାଜ୍ୟ ଗୁଡ଼ିକରେ ଏହି ଚଳଚ୍ଚିତ୍ର ଉପରୁ ଟିକସ ଛାଡ଼ କରାଯାଇଛି । ମଧ୍ୟପ୍ରଦେଶ ପରେ ଏବେ ଉତ୍ତର ପ୍ରଦେଶରେ ଟ୍ୟାକ୍ସ ଫ୍ରି ହୋଇଛି ‘ଦି କେରଳ ଷ୍ଟୋରି’ ।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିଜେ ଟ୍ବିଟ୍ କରି ଏହି ଘୋଷଣା କରିଛନ୍ତି । ସେ କହିଛନ୍ତି, ଉତ୍ତର ପ୍ରଦେଶରେ ‘ଦି କେରଳ ଷ୍ଟୋରି’କୁ ଟ୍ୟାକ୍ସ ଫ୍ରି କରାଯିବ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କର ପୁରା କ୍ୟାବିନେଟ ସହ ଆଜି ଏହି ଫିଲ୍ମ ଦେଖିପାରନ୍ତି । ଅନ୍ୟପକ୍ଷରେ ପଶ୍ଚିମବଙ୍ଗ ସରକାର ଏହି ବିବାଦୀୟ ଫିଲ୍ମକୁ ବ୍ୟାନ୍ କରିଛନ୍ତି । ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କାରେ ମମତା ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।

ପଶ୍ଚିମବଙ୍ଗରେ ‘ଦି କେରଳ ଷ୍ଟୋରି’କୁ ବ୍ୟାନ୍ କରିବା ନିଷ୍ପତ୍ତିକୁ ଚଳଚ୍ଚିତ୍ର ନିର୍ମାତା ତଥା ଭାରତୀୟ ଚଳଚ୍ଚିତ୍ର ଏବଂ ଟେଲିଭିଜନ ନିର୍ଦ୍ଦେଶକ ସଂଘର ସଭାପତି ଅଶୋକ ପଣ୍ଡିତ ନିନ୍ଦା କରିଛନ୍ତି। ସେ କହିଛନ୍ତି, “ଚଳଚ୍ଚିତ୍ର ନିର୍ମାତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ଉପରେ ଏହା ଏକ ବଡ଼ ଆକ୍ରମଣ। ଏପରି ନିଷ୍ପତ୍ତି ଦେଶକୁ ଏକ ଭୁଲ ବାର୍ତ୍ତା ଦେଉଛି।”

ଏହି ଚଳଚ୍ଚିତ୍ର କେରଳରୁ ନିଖୋଜ ହୋଇ ଇସଲାମ ଧର୍ମ ଗ୍ରହଣ କରିଥିବା ଯୁବତୀମାନଙ୍କ କାହାଣୀ ଉପରେ ପର୍ଯ୍ୟବେସିତ । ଗୋଟିଏ ଗୋଷ୍ଠୀ ଏହି ଚଳଚ୍ଚିତ୍ରକୁ ଏକ ‘ପ୍ରୋପାଗଣ୍ଡା’ କହି ଖାରଜ କରିଥିବାବେଳେ ଅନ୍ୟ ଗୋଷ୍ଠୀ ଏହାକୁ କେରଳର ଏପରି ଏକ ବାସ୍ତବତା ବୋଲି କହୁଛି ଯାହା ଏପର୍ଯ୍ୟନ୍ତ ଖୋଲାଖୋଲି ଭାବେ ଆଲୋଚନା କରାଯାଇ ନାହିଁ। ବିବାଦ ସତ୍ତ୍ବେ ‘ଦି କେରଳ ଷ୍ଟୋରି’ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରୁଛି । ଏକ ରିପୋର୍ଟ ଅନୁଯାୟୀ ପ୍ରଥମ ତିନି ଦିନ ମଧ୍ୟରେ ଏହି ଫିଲ୍ମ ପ୍ରାୟ ୩୫ କୋଟି ଟଙ୍କା ଆୟ କରିଛି ।

Exit mobile version