Site icon ଆଜିକାଲି

ହତ୍ୟା ପୂର୍ବରୁ ଅତିକ୍ ଅହମ୍ମଦ ଲେଖିଥିବା ଚିଠି ପ୍ରଧାନ ବିଚାରପତି ଓ ୟୁପି ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଯିବ

ନୂଆଦିଲ୍ଲୀ: ହତ୍ୟାର ଶିକାର ହେବା ପୂର୍ବରୁ ମାଫିଆ ଡନ୍ ଅତିକ୍ ଅହମ୍ମଦ ଦେଶର ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ଼ ଓ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଚିଠି ଲେଖିଥିଲେ । ସେହି ଚିଠିକୁ ଏବେ ବନ୍ଦ ଲଫାପାରେ ପ୍ରଧାନ ବିଚାରପତି ଓ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଯିବ। ଅତିକ୍ ଅହମ୍ମଦଙ୍କ ଓକିଲ ବିଜୟ ମିଶ୍ରା ଏହି ସୂଚନା ଦେଇଛନ୍ତି ।

ତାଙ୍କ ସହ କୌଣସି ଅଘଟଣ ଘଟିଲେ କିମ୍ବା ତାଙ୍କୁ ହତ୍ୟା କରାଗଲେ ଏକ ବନ୍ଦ ଲଫାପାରେ ଏହି ଚିଠି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଓ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ପଠାଇବାକୁ ଅତିକ୍ ଅହମ୍ମଦ କହିଥିଲେ ବୋଲି ତାଙ୍କ ଓକିଲ ପ୍ରକାଶ କରିଛନ୍ତି ।

ସେହି ଚିଠି ତାଙ୍କ ପାଖରେ ନାହିଁ କିମ୍ବା ତାଙ୍କ ଦ୍ୱାରା ଏହା ପଠାଯାଉ ନାହିଁ। ଚିଠିଟି ଅନ୍ୟ କେଉଁଠାରେ ରଖାଯାଇଥିଲା ଏବଂ ତାହାକୁ ଅନ୍ୟ କେହି ଜଣେ ପଠାଉଛନ୍ତି | ଏହି ଚିଠିରେ କ’ଣ ଲେଖା ଅଛି ସେ ଜାଣିନାହାଁନ୍ତି ବୋଲି ଅତିକ୍ ଅହମ୍ମଦଙ୍କ ଓକିଲ କହିଛନ୍ତି ।

ପୋଲିସ ସେମାନଙ୍କୁ ମେଡିକାଲ କଲେଜକୁ ଡାକ୍ତରୀ ପରୀକ୍ଷା ପାଇଁ ନେଉଥିବା ବେଳେ ମାଫିଆ-ନେତା ଅତିକ୍ ଅହମ୍ମଦ (୬୦) ଓ ତାଙ୍କ ଭାଇ ଅଶରଫଙ୍କୁ ଶନିବାର ରାତିରେ ପ୍ରୟାଗରାଜରେ ତିନିଜଣ ଆତତାୟୀ ଗୁଳି କରି ହତ୍ୟା କରିଥିଲେ । ସାମ୍ବାଦିକ ବେଶରେ ଆସିଥିବା ଆକ୍ରମଣକାରୀମାନେ ପୋଲିସ୍ ଘେରରେ ଥିବା ଗଣମାଧ୍ୟମ ବ୍ୟକ୍ତିଙ୍କ ସହ କଥାବାର୍ତ୍ତା କରୁଥିବା ସମୟରେ ଅତିକ୍ ଓ ତାଙ୍କ ଭାଇଙ୍କୁ ଗୁଳିମାଡ଼ କରିଥିଲେ ।

ବିଧାୟକ ରାଜୁ ପାଲ ହତ୍ୟା ମାମଲାର ମୁଖ୍ୟ ସାକ୍ଷୀ ଉମେଶ ପାଲ ହତ୍ୟା ମାମଲାରେ ଦୁଇ ଭାଇ ପୋଲିସ ହାଜତରେ ଥିଲେ । ଉମେଶ ପାଲ ହତ୍ୟା ମାମଲାର ଅନ୍ୟତମ ଅଭିଯୁକ୍ତ ଅତିକଙ୍କ ପୁଅ ଅସଦ ଏପ୍ରିଲ ୧୩ରେ ଝାନସିରେ ପୋଲିସ ଏନକାଉଣ୍ଟରରେ ନିହତ ହୋଇଥିଲା। ଅସଦଙ୍କ ଅନ୍ତିମ ସଂସ୍କାରର କିଛି ଘଣ୍ଟା ପରେ ଅତିକ୍ ଅହମ୍ମଦ ଓ ଅଶରଫଙ୍କୁ ହତ୍ୟା କରାଯାଇଥିଲା । ଚଳିତ ବର୍ଷ ଫେବୃଆରୀ ୨୪ରେ ଦିନ ଦ୍ବିପହରରେ ଉମେଶ ପାଲଙ୍କୁ ତାଙ୍କ ଘର ଆଗରେ ଗୁଳିକରି ହତ୍ୟା କରାଯାଇଥିଲା ।

Exit mobile version