Site icon ଆଜିକାଲି

ଆଇପିଏଲ୍ ୨୦୨୪ ଅକ୍ସନ ପାଇଁ ଖେଳାଳିଙ୍କ ତାଲିକା ଜାରି

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ) ୨୦୨୪ ପୂର୍ବରୁ ହେବାକୁ ଥିବା ମିନି ନିଲାମ ପାଇଁ ଖେଳାଳିଙ୍କ ତାଲିକା ଜାରି ରହିଛି। ତାଲିକାରେ ଥିବା ଖେଳାଳିଙ୍କୁ ନେଇ ଡିସେମ୍ବର ୧୯ରେ ଦୁବାଇରେ ଆଇପିଏଲ ଅକ୍ସନ ହେବାକୁ ଯାଉଛି । ଅଷ୍ଟ୍ରେଲିଆର ଅଧିନାୟକ ପାଟ୍ କମିନ୍ସ ଓ ଦ୍ରୁତ ବୋଲର ମିଚେଲ୍ ଷ୍ଟାର୍କଙ୍କ ପରି ଖ୍ୟାତାନାମା ଖେଳାଳିଙ୍କ ନାଁ ମଧ୍ୟ ନିଲାମ ତାଲିକାରେ ରହିଛି। ବିସିସିଆଇ ପକ୍ଷରୁ ଜାରି ପ୍ରେସ ବିଜ୍ଞପ୍ତି ଅନୁସାରେ, ଏଥର ମୋଟ ୩୩୩ ଖେଳାଳି ନିଲାମ ପ୍ରକ୍ରିୟାରେ ସାମିଲ ହେବେ । ସେଥିମଧ୍ୟରୁ ୨୧୪ ଜଣ ଭାରତୀୟ ଖେଳାଳି ହୋଇଥିବା ବେଳେ ୧୧୯ ଜଣ ରହିଛନ୍ତି ବିଦେଶୀ ଖେଳାଳି।

୩୩୩ ଖେଳାଳିଙ୍କ ମଧ୍ୟରେ ୧୧୧ ଜଣ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିବା ବେଳେ ୨୧୫ ଜଣ ଅନକ୍ୟାପଡ୍‌(ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ନ ଥିବା) ଖେଳାଳି ରହିଛନ୍ତି । ୧୦ଟି ଫ୍ରାଞ୍ଚାଇଜି ପାଖରେ କେବଳ ୭୭ ଖେଳାଳିଙ୍କୁ କିଣିବା ଲାଗି ସ୍ଥାନ ରହିଛି । ଡିସେମ୍ବର ୧୯ରେ ଭାରତୀୟ ସମୟାନୁସାରେ ଦିନ ୨.୩୦ରେ ଦୁବାଇରେ ମିନି ଅକ୍ସନ ଆୟୋଜିତ ହେବ । ୨୩ ଜଣ ଖେଳାଳି ଏମିତି ଅଛନ୍ତି ଯେଉଁମାନଙ୍କ ବେସ ପ୍ରାଇସ୍‌ ୨ କୋଟି ଟଙ୍କା ରହିଛି।

ସେହିଭଳି ୧୩ ଜଣ ଖେଳାଳିଙ୍କ ବେସ୍‌ ପ୍ରାଇସ ଦେଢ଼ କୋଟି ଟଙ୍କା ରହିଥିବା ବେଳେ ବାକି ଖେଳାଳିଙ୍କ ବେସ୍‌ ପ୍ରାଇସ ଏକ କୋଟି, ୫୦ ଲକ୍ଷ, ୩୦ ଲକ୍ଷ ଏବଂ ୧୦ ଲକ୍ଷ ଟଙ୍କା ରହିଛି । ନିକଟରେ ସମସ୍ତ ଟିମ୍‌ ନିଜ ନିଜର ରିଟେନ ଏବଂ ରିଲିଜ୍‌ ଲିଷ୍ଟ ଜାରି କରିଥିଲେ । ଏଥର ଅନେକ ବଡ଼ ଖେଳାଳି ନିଲାମ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି। ବିଶ୍ଵକପ ଫାଇନାଲରେ ଭାରତ ବିପକ୍ଷରେ ଶତକ ଅର୍ଜନ କରି ଅଷ୍ଟ୍ରେଲିଆକୁ ବିଶ୍ଵ ଚାମ୍ପିଅନ କରାଇଥିବା ଟ୍ରେଭିସ ହେଡ୍‌ ମଧ୍ୟ ଅକ୍ସନରେ ସାମିଲ ହୋଇଛନ୍ତି । ତାଙ୍କର ବେସ୍‌ ପ୍ରାଇସ ବା ମୂଳ ମୂଲ୍ୟ ୨ କୋଟି ଟଙ୍କା ରହିଛି। ଟ୍ରେଭିସ ହେଡଙ୍କ ବ୍ୟତୀତ ମିଚେଲ ଷ୍ଟାର୍କ, ଷ୍ଟିଭ୍‌ ସ୍ମିଥ୍‌, ପାଟ କମିନ୍ସ ଏବଂ ଜୋସ ଇଂଲିଶଙ୍କ ଭଳି ଖେଳାଳିଙ୍କ ଉପରେ ଟଙ୍କା ଲଗାଇବେ ଟିମ୍‌ । ଏହି ସବୁ ଖେଳାଳିଙ୍କ ବେସ ପ୍ରାଇସ୍‌ ୨ କୋଟି ଟଙ୍କା ରହିଛି ।

Exit mobile version