Site icon ଆଜିକାଲି

ପଶ୍ଚିମବଙ୍ଗର ନୂଆ ରାଜ୍ୟପାଳ ସିଭି ଆନନ୍ଦା ବୋଷ

ନୂଆଦିଲ୍ଲୀ: ଡ. ସିଭି ଆନନ୍ଦା ବୋଷ ପଶ୍ଚିମବଙ୍ଗର ନୂଆ ରାଜ୍ୟପାଳ । କେନ୍ଦ୍ର ସରକାରଙ୍କ ସୁପାରିସକ୍ରମେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଜ୍ୟପାଳ ଭାବେ ଡ. ବୋଷଙ୍କ ନିଯୁକ୍ତି ଉପରେ ମୋହର ମାରିଛନ୍ତି। ଏନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ଗୋଟିଏ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ ଡକ୍ଟର ବୋଷଙ୍କୁ ତତ୍କାଳ ପ୍ରଭାବରେ ଦାୟିତ୍ୱ ଗ୍ରହଣ କରିବାକୁ କୁହାଯାଇଛି।

ପଶ୍ଚିମବଙ୍ଗର ରାଜ୍ୟପାଳ ଭାବେ କାର୍ଯ୍ୟ କରୁଥିବା ଜଗଦୀପ ଧନଖଡ଼ ୨୦୨୨ ଅଗଷ୍ଟ ୭ରେ ଦେଶର ଉପରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ ହୋଇଥିଲେ। ଏଥିପାଇଁ ତାଙ୍କୁ ବେଙ୍ଗଲର ରାଜ୍ୟପାଳ ପଦ ଛାଡ଼ିବାକୁ ପଡ଼ିଥିଲା। ସେବେଠାରୁ ରାଜ୍ୟପାଳ ପଦବୀ ବେଙ୍ଗଲରେ ଖାଲି ପଡ଼ିଥିଲା। ମଣିପୁର ରାଜ୍ୟପାଳ ଲା ଗଣେଶନ ବେଙ୍ଗଲ ରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଉଥିଲେ। ଏଥିପାଇଁ କେନ୍ଦ୍ର ସରକାର ଡକ୍ଟର ବୋଷଙ୍କୁ ବେଙ୍ଗଲ ରାଜ୍ୟପାଳ ଭାବେ ନିଯୁକ୍ତି ଦେବାକୁ ସୁପାରିସ କରିଥିଲେ।

ଡକ୍ଟର ସିଭି ଆନନ୍ଦା ବୋଷ ୧୯୫୧ ମସିହା ଜାନୁଆରୀ ୨ରେ କେରଳରେ ଜନ୍ମଗ୍ରହଣ କରିଥିଲେ। ସେ ଜଣେ ଆଇଏଏସ୍ ଅଧିକାରୀ ଭାବେ କାର୍ଯ୍ୟ କରିବାର ଅଭିଜ୍ଞତା ରଖିଛନ୍ତି। ଏକଦା ଜିଲ୍ଲାପାଳ ଭାବେ କାମ କରୁଥିବା ଡକ୍ଟର ବୋଷ କେନ୍ଦ୍ର ଓ ରାଜ୍ୟର ବିଭିନ୍ନ ବିଭାଗରେ କାମ କରିଛନ୍ତି। ପ୍ରଶାସନିକ ସେବାରୁ ଅବସର ନେବା ପରେ ସେ ମେଘାଳୟ ସରକାରଙ୍କ ପରାମର୍ଶଦାତା ହୋଇଥିଲେ। ୭୧ ବର୍ଷୀୟ ଡକ୍ଟର ବୋଷ ଜଣେ ଜଣାଶୁଣା ଲେଖକ। ସେ ବିଭିନ୍ନ ଭାଷାରେ ୩୨ଟି ବହି ଲେଖିଛନ୍ତି।

Exit mobile version