Site icon ଆଜିକାଲି

ତାମିଲନାଡୁରେ ବିଷାକ୍ତ ମଦମୃତ୍ୟୁ ସଂଖ୍ୟା ୨୦କୁ ବୃଦ୍ଧି, ନୋଟିସ୍ ଜାରି କଲେ ମାନବାଧିକାର କମିଶନ

ଚେନ୍ନାଇ: ତାମିଲନାଡ଼ୁରେ ବଢ଼ୁଛି ମଦମୃତ୍ୟୁ ସଂଖ୍ୟା । ବିଷାକ୍ତ ମଦ ପିଇ ଏପର୍ଯ୍ୟନ୍ତ ୨୦ଜଣ ପ୍ରାଣ ହରାଇଲେଣି । ବିଲ୍ଲୁପୁରମ୍ ଓ ଚେଙ୍ଗାଲପଟ୍ଟୁ ଜିଲ୍ଲାରେ ମଦମୃତ୍ୟୁ ସଂଖ୍ୟା ବଢ଼ୁଛି । ବିଲ୍ଲୁପୁରମ୍ ଜିଲ୍ଲାରେ ୧୩ଜଣଙ୍କ ଜୀବନ ଯାଇଥିବା ବେଳେ ଚେଙ୍ଗାଲପଟ୍ଟୁରେ ୭ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ୫୫ରୁ ଅଧିକ ଲୋକ ଏବେବି ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ସେପଟେ ବିଷାକ୍ତ ମୃତ୍ୟୁ ନେଇ ରାଷ୍ଟ୍ରୀୟ ମାନବାଧିକାର କମିଶନ ତାମିଲନାଡ଼ୁ ସରକାର ଓ ପୋଲିସ ଡିଜିଙ୍କୁ ନୋଟିସ୍ ଜାରି କରିଛନ୍ତି ।

ସମାଚାର ଏଜେନ୍ସି ଏଏନଆଇର ରିପୋର୍ଟ ମୁତାବକ, ଏହି ଘଟଣାରେ ପୋଲିସ ବିଷାକ୍ତ ମଦ ପ୍ରସ୍ତୁତ ହେଉଥିବା ଫ୍ୟାକ୍ଟ୍ରିରେ ଚଢ଼ାଉ କରି ଅମରାନ୍ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି । ଏହା ସହିତ ବପୁଳ ପରିମାଣର ବିଷାକ୍ତ ମଦ ମଧ୍ୟ ପୋଲିସ ଜବତ କରିଛି । ଏହି ମଦରେ ମିଥାଲିନ୍ ମିଶିଥିବା ପୋଲିସ ଜାଣିବା ପରେ ଏହାକୁ ପରୀକ୍ଷା ପାଇଁ ଲ୍ୟାବକୁ ପଠାଇଛି । ବିଷାକ୍ତ ମଦ ପିଇ ଆସୁସ୍ଥ ହୋଇପଡ଼ିଥିବା ୫୫ଜଣଙ୍କୁ ରାଜ୍ୟ ବିଭିନ୍ନ ହସପିଟାଲରେ ଚିକିତ୍ସା କରାଯାଇଛି ବୋଲି ସୂଚନା ଦେଇଛନ୍ତି ତାମିଲନାଡୁ ସ୍ବାସ୍ଥ୍ୟମନ୍ତ୍ରୀ ଏମ. ସୁଭ୍ରମନ୍ୟମ ।

ରବିବାର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ୍ ମୃତକଙ୍କ ପରିବାର ସହିତ ଆଲୋଚନା କରି ସହାୟତା ରାଶି ଘୋଷଣା କରିଛନ୍ତି । ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏଁ ଦେବାକୁ ଘୋଷଣା କରିଛନ୍ତି । ସେହିପରି ହସପିଟାଲରେ ଭର୍ତ୍ତି ହୋଇଥିବା ରୋଗୀଙ୍କ ଚିକିତ୍ସା ଖର୍ଚ୍ଚ ପାଇଁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି । ଏହା ସହିତ ରୋଗୀଙ୍କ ଉତ୍ତମ ଚିକିତ୍ସା ସୁବିଧା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ବେଆଇନ ମଦ ପ୍ରସ୍ତୁତ ଫ୍ୟାକ୍ଟ୍ରି ଓ ମିଶାଯାଉଥିବା ବିଷାକ୍ତ କେମିକାଲ ଉପରେ ଅଙ୍କୁଶ ଲଗାଇବାକୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ୍ ନିର୍ଦ୍ଦେଶ ଦେଇଛନ୍ତି ।

ସେପଟେ ବିଲ୍ଲୁପୁରମ ଓ ଚେଙ୍ଗଲପଟ୍ଟୁ ଜିଲ୍ଲାରେ ବିଷାକ୍ତ ମଦମୃତ୍ୟୁ ମାମଲାରେ ରାଷ୍ଟ୍ରୀୟ ମାନବାଧିକାର ଆୟୋଗ ତାମିଲନାଡୁ ସରକାର ଓ ପୋଲିସ ଡିଜିଙ୍କୁ ନୋଟିସ୍ ଜାରି କରିଛନ୍ତି । ମଙ୍ଗଳବାର ଆୟୋଗ ଏକ ବୟାନରେ କହିଛନ୍ତି, ରାଜ୍ୟ ସରକାର ବିଷାକ୍ତ ମଦ ବିକ୍ରି ଓ ବେଆଇନ ମଦ କାରବାର ଉପରେ ରୋକ୍ ଲଗାଇବାରେ ବିଫଳ ହୋଇଛନ୍ତି ।

Exit mobile version