Site icon ଆଜିକାଲି

ଗୁଲାମ ଅଲିଙ୍କୁ ରାଜ୍ୟସଭାକୁ ମନୋନୀତ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ : ଜମ୍ମୁ-କାଶ୍ମୀର ଗୁର୍ଜର ମୁସଲିମ ସମ୍ପ୍ରଦାୟର ନେତା ଗୁଲାମ ଅଲି ରାଜ୍ୟସଭାକୁ ମନୋନୀତ ହୋଇଛନ୍ତି । ଶନିବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବିଧାନର ଅନୁଚ୍ଛେଦ ୮୦ର ଧାରା ୧ର ଉପଧାରା(କ) ବଳରେ ତାଙ୍କୁ ରାଜ୍ୟସଭାକୁ ମନୋନୀତ କରିଛନ୍ତି । ଏନେଇ ଗୃହ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି । ତେବେ ପ୍ରଥମ ଥର ପାଇଁ ଜମ୍ମୁ କଶ୍ମୀରର ଜଣେ ଗୁର୍ଜର ସମ୍ପ୍ରଦାୟ ମୁସଲିମ୍ ରାଜ୍ୟସଭାକୁ ମନୋନୀତ ହୋଇଛନ୍ତି ।

ରାଜ୍ୟସଭାର ଜଣେ ମନୋନୀତ ସଦସ୍ୟ ଅବସର ନେବା ପରେ ଉକ୍ତ ଆସନଟି ଖାଲି ପଡିଥିଲା । ଉକ୍ତ ଆସନରେ ରାଷ୍ଟ୍ରପତି ଗୁଲାମ ଅଲିଙ୍କୁ ନିଯୁକ୍ତ କରିଛନ୍ତି । ୨୫୦ ସଦସ୍ୟ ବିଶିଷ୍ଟ ରାଜ୍ୟସଭାରେ ୨୩୮ ସଦସ୍ୟ ବିଭିନ୍ନ ରାଜ୍ୟରୁ ମନୋନୀତ ହୋଇଥାନ୍ତି । ହେଲେ ୧୨ ଜଣ ସଦସ୍ୟଙ୍କୁ ରାଷ୍ଟ୍ରପତିଙ୍କ ଦ୍ବାରା ଚୟନ କରାଯାଏ । ବିଜେପି ଆଇଟି ଶାଖା ମୁଖ୍ୟ ଅମିତ ମାଲବୀୟ ଗୁଲାମ ଅଲିଙ୍କୁ ନିଯୁକ୍ତିକୁ ମହତ୍ବପୂର୍ଣ୍ଣ ପଦକ୍ଷେପ ବୋଲି କହିଛନ୍ତି । ମାଲବୀୟ ଟ୍ବିଟ୍ କରିଛନ୍ତି ଯେ, ”ଭାରତ ସରକାରଙ୍କ ସୁପାରିଶ କ୍ରମେ ରାଷ୍ଟ୍ରପତି ଜମ୍ମୁ-କଶ୍ମୀରର ଗୁର୍ଜର ମୁସଲିମ୍ ଗୁଲାମ ଅଲିଙ୍କୁ ରାଜ୍ୟସଭାକୁ ନିଯୁକ୍ତ କରିଛନ୍ତି । ଧାରା ୩୭୦ ଉଚ୍ଛେଦ ହେବା ପୂର୍ବରୁ ଏହି ସମୁଦାୟକୁ ସଠିକ୍ ମାନ୍ୟତା ଦିଆଯାଇ ନଥିଲା । ସେମାନେ ସବୁ ପ୍ରକାର ସାମାଜିକ ନ୍ୟାୟରୁ ବଞ୍ଚିତ ହେଉଥିଲେ ।”

Exit mobile version